କଲମପୁର: ଗ୍ରୀଷ୍ମ ପାଇଁ ଦୁର୍ବିସହ ଜନ ଜୀବନ। ଦାଉ ସାଧୁଛି ଜଳ କଷ୍ଟ। ଲୋକେ ପାନୀୟ ଜଳ ଟିକକ ପାଇବା ପାଇଁ ଡହଳ ବିକଳ। ପାନୀୟ ଜଳ ଟିକକ ପାଇବା ପାଇଁ ଲୋକେ କୁଅ ନଳକୂପକୁ ଭରସା କରୁଥିବା ବେଳେ ଏକ ନଳକୂପ ପଥରକୁ ଭରସା କରି ଛିଡା ରହିବା ସାଧାରଣରେ ବିଭାଗୀୟ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ରାସ୍ତାକଡରେ ରହିଛି ଦୁଲକିବନ୍ଧ ଗ୍ରାମ। ଏହି ଗ୍ରାମ ଛକର ମାତ୍ର ୫୦ ମିଟର ମଧ୍ୟରେ ଏକ ନଳକୂପ ରହିଛି। ଯେଉଁ ନଳକୂପ ଉପରେ ପଥଚାରୀଙ୍କ ସମେତ ନିକଟସ୍ଥ ପଡ଼ାର ପ୍ରାୟ ୩୦ ପରିବାର। କିନ୍ତୁ ଏହି ନଳକୂପ ଦିନକୁ ଦିନ ତଳକୁ ଦବି ଯାଉଛି। ଏପରିକି ଏହି ନଳକୂପରୁ ଅତ୍ୟନ୍ତ କାଦୁଅ ମିଶା ପାଣି ବାହାରୁଥିବାରୁ ବ୍ୟବହାର ଅନୁପଯୋଗୀ ହେଇ ପଡ଼ିଛି। ଲୋକେ ଏହି ପାଣି ବ୍ୟବହାର କରିବା ପରିବର୍ତେ ନିକଟରେ ଥିବା ଏକ ପକ୍କା କୁଅ ପାଣି ବ୍ୟବହାର କରିବାକୁ ଉଚିତ ତଥା ସୁରକ୍ଷିତ ମଣୁଛନ୍ତି। ଖୋଦ ମୁଖ୍ୟ ରାସ୍ତା ନିକଟରେ ଥିବା ନଳକୁଅର ଅବସ୍ଥା ଏହି ପ୍ରକାର। ଯାହାକୁ ସର୍ବସାଧାରଣଙ୍କ ସମେତ ଅଂଚଳର ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ଦେଖୁଥିଲେ ମଧ୍ୟ ଏହାର ମରାମତି ଦିଗରେ ଗୁରୁତ୍ୱ ନଦେବା ପରିତାପର ବିଷୟ। ଏନେଇ ଗତ ଦୁଇ ଦିନ ତଳେ ସମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ ହେଇଥିଲା। ଯାହାକୁ ନେଇ ଆମ ପ୍ରତିନିଧି ସରପଂଚ ବାଳକୃଷ୍ଣ ମାଝୀଙ୍କ ସହ ଯୋଗାଯୋଗ କରିଥିଲେ। ଏହି ନଳ କୁଅ ବ୍ୟବହାର ଅନୁପଯୋଗୀ ବୋଲି ସୁଚନା ଦେଇଥିଲେ। କିନ୍ତୁ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଦୁଖିବନ୍ଧୁ ରାଉଳ ତୁରନ୍ତ ଏହାର ମରାମତି କରାଯିବ ବୋଲି ସୁଚନା ଦେଇଥିଲେ। ଅନ୍ୟପଟେ ଗ୍ରାମର ଜଣେ ମହିଳା ଏହି ନଳକୂପ ପ୍ରତିବଦଳରେ ଅନ୍ୟ ଏକ ନଳକୂପର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ।



