ହଣ୍ଡା ପାଇବା ଲୋଭରେ ବୃଦ୍ଧ ବାପାକୁ ବଳି ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ଗ୍ରାମରକ୍ଷୀ ଆହତ
କଲମପୁର: ବାପା ବରଗଛ ତଳ ଛାଇ। ବାପ ଥିବା ପୁଅ ଯୁଦ୍ଧରେ ହାରେନା। ସେ ବାପା ମହାନ୍। କିନ୍ତୁ ଏବେ ସମ୍ପତି ପାଇଁ ବାପା ପୁଅ ଦ୍ୱାରା ନିର୍ଯ୍ୟାତିତ। ଏପରିକି ସମ୍ପତି ପାଇଁ ବାପା ପୁଅର ମାଡ ଗାଳି ଖାଉଛି। କିନ୍ତୁ ଆଜି କଲମପୁର ଅଂଚଳରେ ଘଟିଥିବା ଘଟଣା ଅନ୍ୟ ସମସ୍ତ ଘଟଣା ଠାରୁ ବଳିଯାଇଛି। ପୁଅ ଗୁପ୍ତଧନ ହଣ୍ଡା ପାଇବା ଆଶାରେ ବାପାଙ୍କୁ ଅକଥିନୀୟ ମାଡ ମାରି ବଳି ନେବା ପାଇଁ ନେଇଥିଲା। ତେବେ ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ବୃଦ୍ଧ ବାପାଙ୍କ ଜୀବନ ବଞ୍ଚି ଯାଇଛି। ଏଭଳି ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି କଲମପୁର ଅଂଚଳରେ।
ସୂଚନା ଅନୁସାରେ କଲମପୁର ରାଜସ୍ୱ ଗ୍ରାମ ଅଧିନସ୍ଥ ବେଲପଡାର ବଳଦେବ ଭୋଇଙ୍କ ପୁଅ ଲିଙ୍ଗରାଜ ଅନେକ ସମୟରେ ତାର ବାପାକୁ ଅକଥନୀୟ ମାଡ ମାରି ଅତ୍ୟାଚାର କରେ। ଗତ କିଛି ଦିନ ହେବ କୌଣସି ଜଣେ ପୂଜକର କଥାରେ ପଡି ବାପାକୁ ବଳି ଦେବା ପାଇଁ ପ୍ରସ୍ତୁତ ହେଉଥିଲା। ଲିଙ୍ଗରାଜର ଏଭଳି କାରନାମା ଦେଖି ତାର ସ୍ତ୍ରୀ ନିଜର ନାବାଳକ ଶିଶୁକୁ ନେଇ ଇଛଆପୁର ଠାରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛି। ଶୁକ୍ରବାର ମଧ୍ୟାହ୍ନରେ ଲିଙ୍ଗରାଜ ବାପା ବଳିଦେବାକୁ ନିକଟସ୍ଥ ନଳକୁଅଁରେ ସ୍ନାନ କରାଇ ଏକ ନୂଆ ଲୁଗା ଓ ସାର୍ଟ ଦେଇଥିଲା ପିନ୍ଧିବାକୁ ଦେଇଥିଲା। ଏହାସହ ଏକ ରସୁଣ ମାଳ ଏବଂ ଫୁଲ ମାଳ ପିନ୍ଧାଇ ଘରକୁ ନେଇଥିଲା। ଏହି ସମୟରେ କହୁଥିଲା ତତେ ଏବେ ବଳି ଦେବି ହଣ୍ଡା ପାଇବି। ଏପରିକି ଘରେ ପୂର୍ବରୁ କଳସ ସ୍ଥାପନ କରିବା ସହ ଘର ଭିତରେ ପୂଜା ପାଠ ଜାରି ରଖିଥିଲା। ଲିଙ୍ଗରାଜଙ୍କ ସାଙ୍ଗରେ ଥିଲେ ରାଜପୁର ଗ୍ରାମର ଚିତ୍ରସେନ ରଣା ନାମକ ବୃଦ୍ଧ ଯିଏକି ପୂଜକ ଭାବେ ନିୟୋଜିତ ଥିଲେ। ଏନେଇ ପଡ଼ୋଶି ଲୋକ ତୁରନ୍ତ କଲମପୁର ପୁଲିସ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପୁଲିସ ଫାଣ୍ଡି ଅଧିକାରୀ ବିପିନ କୁମାର ଝରିଆ, କନେଷ୍ଟବଲ ସନ୍ତୋ, କୁମାର ପଣ୍ଡା ଏବଂ ଗ୍ରାମରକ୍ଷୀ ଗଙ୍ଗାରାମ ବାଗ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ବାପା ବଳଦେବକୁ ଉଦ୍ଧାର କରିଥିଲେ। କିନ୍ତୁ ବୃଦ୍ଧ ବାପାଙ୍କୁ ଉଦ୍ଧାର କରିବା ପରେ ହଠାତ୍ ଆକ୍ରମଣ ଉଦ୍ଦେଶ୍ୟରେ ଏକ ଟଙ୍ଗିଆରେ ଝରକା ପାଖରୁ ଫିଙ୍ଗିବା ଦ୍ୱାରା ଗ୍ରାମରକ୍ଷୀ ଗଙ୍ଗାରାମର ହାତରେ ବାଜିଥିଲା। ଗଙ୍ଗା ଗୁରୁତର ଆହତ ହେବା ପରେ ତୁରନ୍ତ ତାକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଏ ନେଇ ତୁରନ୍ତ ଜୟପାଟଣା ଥାନା ଅଧିକାରୀଙ୍କୁ ଜଣାଇବା ପରେ ଏସଆଇ ବିନୟ ବାରା, ଏଏସଆଇ ତ୍ରିସେନ ପାତ୍ର, ଏଏସଆଇ ନିତିନ ତ୍ରୀବେଦୀ ଓ ଆଇଆରବି ଯବାନ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଲିଙ୍ଗରାଜ ଝରକା ପଟରୁ ଶାବଳ, ଲୁହା ଛଡ, ପଥର ଆଦି ସାହାଯ୍ୟରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। ଶେଷରେ ଉଭୟ ପୂଜକ ଚିତ୍ରସେନ ଓ ଲିଙ୍ଗରାଜକୁ କାବୁ କରିବାରେ ପୁଲିସ ସଫଳ ହେଇଥିଲେ। ଦୁଇଜଣଙ୍କୁ ଜୟପାଟଣା ଥାନାକୁ ସ୍ଥାନାନ୍ତର କରାଯାଇଛି। ଡିଜିଟାଲ ଯୁଗରେ ଏଭଳି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଏବେ ବି ଅନେକ ଲୋକ ରହିଛନ୍ତି। କେବେ ଏଭଳି ଅନ୍ଧ ବିଶ୍ୱାସ ଦୂର ହେବ ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି।
Comments are closed.