ଗାଁକୁ ଫେରିଲା ମୃତ ଦାଦନର ଶବ

କଲମପୁର: ବେଙ୍ଗାଲୁରୁ ଠାରେ ମୃତ ଜଣେ ଦାଦନ ଶ୍ରମିକର ଶବ ଶନିବାର ସକାଳୁ ତାର ଜନ୍ମ ମାଟି ପୋଟେସ ଗାଁକୁ ଫେରିଛି। ଶୋକାକୂଳ ପରିବେଶ ମଧ୍ୟରେ ଦାହ ସଂସ୍କାର ପାଇଁ ଗାଁ ଶ୍ମଶାନକୁ ନିଆଯାଇଛି। ସୂଚନା ଅନୁସାରେ ପୋଟେସ କଲୋନୀ ପଡ଼ାର ବୁଢା ମାଝୀଙ୍କ ୨୮ ବର୍ଷିୟ ପୁଅ କୁଅଁର ମାଝୀ ଦାଦନ ଖଟିବା ପାଇଁ ଗତ ଅଗଷ୍ଟ ପହିଲାରେ ସୁଦୁର ବେଙ୍ଗାଲୁରୁକୁ ଯାଇଥିଲା। ସେଠାରେ ଗତ ୧୫ ତାରିଖ ଦିନ ସମଗ୍ର ଦେଶ ୭୭ତମ ସ୍ୱାଧିନତା ଦିବସ ପାଳନରେ ମସଗୁଲ ଥିବା ବେଳେ ପୁଅ କୁଅଁରର ମୃତ୍ୟୁ ଖବର ପାଇ ପରିବାରର ଶୋକରେ ବୁଡି ରହିଥିଲେ। ପୁଅର ମୃତ୍ୟୁ ଅସ୍ୱାଭାବିକ। ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସ୍ଥାନୀୟ କଲମପୁର ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ସେମାନେ ଗରିବ ଏବଂ ନିରକ୍ଷର। ତେଣୁ ତାଙ୍କ ପୁଅର ମୃତ ଦେହ ଗାଁକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। କୁଅଁର କାମ କରୁଥିବା ସଂସ୍ଥା ପକ୍ଷରୁ ପୁଲିସକୁ ସୂଚନା ଦେବା ସହ ଏକ ଡାକ୍ତରଖାନାରେ ଶବ ସଂରକ୍ଷିତ ରଖାଯାଇଥିଲା। ଗୁରୁବାର ଶବ ବ୍ୟଚ୍ଛେଦ କରାଯିବା ପରେ ସାଥି ଶ୍ରମିକଙ୍କୁ ଶବ ହସ୍ତାନ୍ତରିତ କରାଯାଇଥିଲା। ମୃତ୍ୟୁର ୫ଦିନ ପରେ ଆଜି ସକାଳୁ ଗାଁ ମାଟିକୁ ଶବ ପହଞ୍ଚିଲା। ଶୋକାକୂଳ ପରିବେଶ ମଧ୍ୟରେ ଦାହ ସଂସ୍କାର ପାଇଁ ଗାଁ ଶ୍ମଶାନକୁ ନିଆଯାଇଛି। ସୂଚନାଯୋଗ୍ୟଯେ, ମୃତ କୁଅଁରର ବାପା ବୁଢା ମାଝୀ ଥୁଆମୁଳ ରାମପୁରର ମୂଳ ବାସିନ୍ଦା। ସେଠାରୁ ଆସି କଲମପୁର ନିକଟସ୍ଥ ବିରିପୁର ହାତୀନଦୀ ଖଣ୍ଡିପଡ଼ାଠାରେ ବସବାସ କରୁଥିଲେ। ଏହି ପଡ଼ାଟି ହାତୀନଦୀ ଗର୍ଭରେ ଲୀନ ହେବା ପରେ ସେହି ପଡ଼ାର ବାସିନ୍ଦାଙ୍କୁ ପୋଟେସ କଲୋନୀପଡ଼ାରେ ଅବସ୍ଥାପିତ କରାଯାଇଥିଲା। ବୁଢା ମାଝୀ ଅତ୍ୟନ୍ତ ଗରିବ, ଭୂମିହୀନ। ମୂଲ ଲାଗି ପରିବାର ପ୍ରତିପୋଷମ କରି ଆସୁଥିଲେ। ପରିବାରର ଶୋଚନୀୟ ଅବସ୍ଥା ଯୋଗୁଁ କୁଅଁର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲା। କିନ୍ତୁ ସେଠାରେ କୁଅଁରର ଅସ୍ୱାଭାବିକ ମୃତ୍ୟୁ ପରିବାରର ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ କୁଅଁରର ମୃତ୍ୟୁରେ ବୃଦ୍ଧ ବାପା ମା ସମେତ ବିଧବା ପତ୍ନୀ ଏବଂ ୪ ବର୍ଷର କନ୍ୟା ସନ୍ତାନ ଅସହାୟ ହେଇ ପଡ଼ିଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଏବଂ ସରକାର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.