ବର୍ଷକ ତଳେ ଏହି ଛାତ୍ରାବାସଟି ଆଇଟିଡିଏ ତରଫରୁ ୫ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା। ତେବେ ପୁରୁଣା ଛପର ବଦଳା ଯାଇ ନ ଥିବା ପାର୍ଶ୍ଵ ଆଜି କାଳବୈଶାଖୀରେ ଉଡାଇ ନେଇଛି। କାଳବୈଶାଖୀ ସମୟରେ ଛାତ୍ରାବାସରେ ୨୨ ଜଣ ଛାତ୍ର ଥିଲେ । ସେହିପରି କାଳବୈଶାଖୀରେ କେତେକ ଟାଇଲ ଛପର ଓ ଆଜବେଷ୍ଟସ ଘର ମଧ୍ୟ ଆଂଶିକ କ୍ଷତି ଘଟିଥିବା ସୂଚନା ମିଳିଛି । ଭଅଁରପୁର ଗ୍ରାମର ଗୋବର୍ଦ୍ଧନ ନାଏକଙ୍କ ଆଜବେଷ୍ଟସ ଘର ଛପର ଉଡ଼ାଇ ନେଇଛି। ଚେମଣା ଓ ଧନୁର୍ଜ୍ଜୟପୁର ନିକଟରେ ବିଦ୍ୟୁତ ଲାଇନରେ ବାଉଁଶ ଗଛ ଉପୁଡି ପଡିଥିବାରୁ ଏହାକୁ ସ୍ୱାଭାବିକ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।
କାଳ ବୈଶାଖୀ ଝଡ଼ରେ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ଫସଲ ନଷ୍ଟ ହୋଇଛି । ପାଟଣା ଓ ଘଟଗାଁ ବ୍ଲକ୍ ଅଂଚଳରେ ଆଜି ଝଡ଼ବର୍ଷା ଫଳରେ ୫୦ ପ୍ରତିଶତରୁ ଉର୍ଦ୍ଧ ଆମ୍ବ ଗଛରୁ ଝଡି ପଡିଛି । ଯାହାଫଳରେ ଚଳିତବର୍ଷ ଆମ୍ବ ଉତ୍ପାଦନ ହ୍ରାସ ପାଇବାସହ ଚାଷୀମାନେ କ୍ଷତିରେ ପଡ଼ିବେ ବୋଲି କୁହାଯାଇଛି। ବିଶେଷ କରି ଭଲ ଦେଶୀ ବିଦେଶୀ ଆମ୍ବଚାଷ କରିଥିବା ଉଦ୍ୟାନ ଚାଷୀମାନେ ବହୁତ କ୍ଷତିର ସମ୍ମୁଖୀନ ହେବେ ବୋଲି ଏରେଣ୍ଡେଇ, ଡୁମୁରିୁଆ ଅଞ୍ଚଳର ଚାଷୀ ମାନେ ମତ ରଖିଛନ୍ତି ।
କାଳବୈଶାଖୀ ପ୍ରଭାବରେ ପାଟଣା-ପିପିଳିଆ ରାସ୍ତାର ପିପିଳିଆ ଗ୍ରାମ ନିକଟରେ ଏକ ବଡ ଆମ୍ବଗଛ ରାସ୍ତା ଉପରେ ଭାଙ୍ଗି ପଡିଛି। ଯାହାଫଳରେ ଏହି ରାସ୍ତା ଦେଇ ଯାତ୍ରୀବାହୀ ବସ୍ ସହ ଅନ୍ୟାନ୍ୟ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ପିପିଳିଆ ଗ୍ରାମର କିଛି ଟାଇଲି ଛପର ଓ ଚାଳଘର କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ପବନ ସାଙ୍ଗକୁ ଘଡଘଡି ଯୋଗୁଁ ପିପିଳିଆ ଆଖପାଖ ଗ୍ରାମରେ ଅପରାହ୍ନରେ ଯେଉଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ହାଲୁକାଏ ବର୍ଷା ତାକୁ ଶାନ୍ତ କରିଦେଇଛି । ତେବେ ଆଜି ସନ୍ଧ୍ୟାରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗଛଟି କୁ ଖଣ୍ଡ ଖଣ୍ଡ କରି କାଟି ଅଲଗା କରିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି।