ଧୋନି ଧମାକା ; ଶେଷ ବଲ୍ରେ ଜିତିଲା ଚେନ୍ନଇ
ମୁମ୍ବଇର କ୍ରମାଗତ ୭ମ ପରାଜୟ

ମୁମ୍ବଇ : ଚଳିତ ଆଇପିଏଲ୍ରେ ‘କର ବା ମର’ ମ୍ୟାଚ୍ରେ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍ସ ତା’ର ୭ମ ମ୍ୟାଚ୍ରେ ୭ମ ପରାଜୟ ଭୋଗିଛି। ଗୁରୁବାର ମହେନ୍ଦ୍ର ସିଂହ ଧୋନି ଶେଷ ୪ ବଲ୍ରୁ ୧୬ ରନ୍ ନେଇ ଏବଂ ଶେଷ ବଲ୍ରେ ଚୌକାମାରି ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଜିତାଇଛନ୍ତି। ୩ ୱିକେଟରେ ଜିତି ଚେନ୍ନଇ ୭ମ ମ୍ୟାଚ୍ରେ ୨ୟ ବିଜୟ ହାସଲ କରିଛି। ତିଳକ ବର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍ସ ୭ ୱିକେଟରେ ୧୫୫ ରନ୍ କରିଥିଲା। ପରେ ଅମ୍ବତି ରାୟୁଡୁଙ୍କ ୪୦ ଓ ଧୋନିଙ୍କ ଅପରାଜିତ ୨୮ ରନ୍ ବଳରେ ଶେଷ ବଲ୍ରେ ୭ ୱିକେଟ ହରାଇ ସିଏସ୍କେ ଜିତିଥିଲା। ପ୍ରଥମ ୭ଟିଯାକ ମ୍ୟାଚ୍ ହାରିବା ପରେ ମୁମ୍ବଇର ପ୍ଲେଅଫ୍ ଆଶା ପ୍ରାୟ ମଉଳି ଯାଇଛି।
ଚେନ୍ନଇ ପରି ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟ ବିପର୍ଯ୍ୟୟ ସହ ୧୫୬ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୧୬ ରନ୍ରେ ୨ଟି ୱିକେଟ ପଡ଼ି ଯାଇଥିଲା। ଗତ ମ୍ୟାଚ୍ର ହିରୋ ଋତୁରାଜ ଗାଏକ୍ୱାଡ୍ ଇନିଂସର ପ୍ରଥମ ବଲ୍ରେ ଆଉଟ ହୋଇଥିଲେ। ମିଚେଲ ସାଣ୍ଟ୍ନର ୧୧ ରନ୍କରି ଆଉଟ୍ ହୋଇଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରବିନ୍ ଉଥପ୍ପା ଓ ଅମ୍ବତି ରାୟୁଡୁ ୫୦ ରନ୍ ଯୋଡ଼ିଥିଲେ। ଉଥପ୍ପା ୨୫ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍କରି ଆଉଟ ହୋଇଥିଲେ। ଶିବମ୍ ଦୁବେ ୧୩ ରନ୍କରି ଆଉଟ୍ ହୋଇଥିଲେ। ଅମ୍ବତି ରାୟୁଡୁ ୩୫ ବଲ୍ରୁ ୩ଟି ଛକା ଓ ୨ଟି ଚୌକା ସହ ୪୦ ରନ୍ କରିଥିଲେ। ଅଧିନାୟକ ରବୀନ୍ଦ୍ର ଜାଡ଼େଜା ୩ ରନ୍ କରି ପାରିଥିଲେ। ପରେ ମହେନ୍ଦ୍ର ସିଂହ ଧୋନି ଓ ଡ୍ବେନ୍ ପ୍ରିଟୋରିୟସ୍ ଲଢ଼ୁଆ ବ୍ୟାଟିଂ କରିଥିଲେ। ଶେଷ ଓଭରରୁ ୧୭ ରନ୍ ଆବଶ୍ୟକ ଥିବା ବେଳେ ପ୍ରିଟୋରିୟସ୍ ପ୍ରଥମ ବଲ୍ରେ ୧୪ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍କରି ଆଉଟ ହୋଇଥିଲେ। ଶେଷ ୪ ବଲ୍ରୁ ୧୬ ରନ୍ ଆବଶ୍ୟକ ଥିବା ବେଳେ ଧୋନି ଏହି ୩ ବଲ୍ରୁ ୬, ୪, ୨ ନେବା ପରେ ଶେଷ ବଲ୍ରେ ୪ ରନ୍ ଆବଶ୍ୟକ ଥିଲା। ଧୋନି ଚୌକାମାରି ଦଳକୁ ଜିତାଇଥିଲେ। ଧୋନି ୧୩ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୮ ରନ୍କରି ଅପରାଜିତ ଥିଲେ। ଡାନିଏଲ୍ ସାମ୍ସ ୪ଟି ଓ ଜୟଦେବ ଉନାଦ୍କତ୍ ୨ଟି ୱିକେଟ ନେଇଥିଲେ।
ଚେନ୍ନଇ ସୁପର କିଙ୍ଗ୍ସ ଟସ୍ ଜିତି ଫିଲ୍ଡିଂ ନେବା ପରେ ୪୭ ରନ୍ରେ ୪ଟି ୱିକେଟ ହରାଇଥିଲା। ପ୍ରଥମ ଓଭରରେ ମୁମ୍ବଇ ଇଣ୍ଡିଆନ୍ସ ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ମୁକେଶ ଚୌଧୁରୀଙ୍କ ଏହି ଓଭରରେ ଅଧିନାୟକ ରୋହିତ ଶର୍ମା ୨ୟ ବଲ୍ରେ ଓ ଈଶାନ୍ କିଷନ ୫ମ ବଲ୍ରେ ଆଉଟ୍ ହୋଇଥିଲେ। ପରେ ଡିୱାଲ୍ଡ ବ୍ରେଭିସ୍ ୪ ରନ୍କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ କ୍ରିଜ୍କୁ ଆସିବା ମାତ୍ରେ ଚମତ୍କାର ବ୍ୟାଟିଂ କରିଥିଲେ। ହେଲେ ସୂର୍ଯ୍ୟ ବେଶି ସମୟ ରହି ପାରିନଥିଲେ। ୮ମ ଓଭରରେ ଆଉଟ୍ ହୋଇଥିବା ସୂର୍ଯ୍ୟକୁମାର ୨୧ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨ ରନ୍କରି ଆଉଟ ହୋଇଥିଲେ। ୪୭ ରନ୍ରେ ୪ଟି ୱିକେଟ ପଡ଼ିବା ପରେ ତିଳକ ବର୍ମା ଓ ହ୍ରିତିକ ସୋକିନ୍ ୬ ଓଭରରେ ୩୮ ରନ୍ ଯୋଡ଼ିଥିଲେ। ଆଇପିଏଲ୍ ପଦାର୍ପଣ କରିଥିବା ୨୧ ବର୍ଷ ବୟସ୍କ ସୋକିନ୍ ୨୫ ବଲ୍ରୁ ୩ଟି ଚୌକା ସହ ୨୫ ରନ୍ କରିଥିଲେ। କୈରନ୍ ପୋଲାର୍ଡ ୯ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍କରି ଆଉଟ୍ ହୋଇଥିଲେ। ଅବିଭାଜିତ ୮ମ ୱିକେଟ ପାଇଁ ତିଳକ ବର୍ମା ଓ ଜୟଦେବ ଉନାଦ୍କତ ଶେଷ ୧୬ ବଲ୍ରୁ ୩୫ ରନ୍ ନେଇଥିଲେ। ଉନାଦ୍କତ ୯ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍କରି ଅପରାଜିତ ଥିଲେ। ତିଳକ ବର୍ମା ୪୩ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୫୧ ରନ୍କରି ଅପରାଜିତ ଥିଲେ। ମୁକେଶ ଚୌଧୁରୀ ୩ଟି ଓ ଡ୍ବେନ୍ ବ୍ରାଭୋ ୨ଟି ୱିକେଟ ନେଇଥିଲେ।
Comments are closed.