ନଭେମ୍ବର ୧୦ ଓ ୧୧ ଦୁଇଦିନ କଖଡି-ମହାଳପଡା କାର୍ତ୍ତିକେଶ୍ୱର ଭସାଣୀ ଉତ୍ସବ
୮ମେଢ ଭସାଣୀରେ ଯୋଗ ଦେବେ
ଗୁରୁଡିଝାଟିଆ : କଖଡି-ମହାଳପଡା କାର୍ତ୍ତିକେଶ୍ୱର ପୂଜା ଭସାଣୀ ଉତ୍ସବ ନଭେମ୍ବର ୧୦ ଓ ୧୧ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ୮ଟି ପୂଜା ମଣ୍ଡପର ମେଢ ଭସାଣୀ ଉତ୍ସବରେ ଯୋଗଦେବା ପାଇଁ ବୁଧବାର ଚୁଡାନ୍ତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଗାଁ କମିଟିର ସଭାପତି ଦିଲ୍ଲିିପ କୁମାର ଛତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚୁଡାନ୍ତ ପ୍ରସ୍ତୁତି ବୈଠକରେ କଟକ-ଭୁବନେଶ୍ୱର କମିସନରେଟ ପୋଲିସର ଟିପିଏମ ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ନାୟକ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖି ସରକାରଙ୍କ ସମସ୍ତ ନୀତି ନିୟମକୁ ମାନି ଭସାଣୀ ଉତ୍ସବ କରିବା ନିମନ୍ତେ ଉପସ୍ଥିତ ପୂଜା କମିଟିର ସଦସ୍ୟ ଓ ମୁରବୀମାନଙ୍କୁ ନିବେଦନ କରିଥିଲେ। ସଭାପତି ଶ୍ରୀ ଛତାର ୧୦ ତାରିଖ ଦିନ ସମସ୍ତ ପୂଜାମଣ୍ଡପରୁ ମେଢଗୁଡିକ ବାହାରି ଗାନ୍ଧୀହାଟ ପଡିଆରେ ସମବେତ ହେବେ ବୋଲି କହିବା ସହ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ୧୧ ତାରିଖ ଦିନ ମେଢଗୁଡିକ ଶୋଭାଯାତ୍ରାରେ ବାହାରି କ୍ରମାନ୍ୱୟରେ ନିର୍ଦ୍ଧାରିତ ପଥ ଦେଇ ଘାଟକୂଳ ଠାରେ ନିର୍ମିତ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜିତ ହେବ ବୋଲି କହିଥିଲେ । ଏଥିସହିତ ଶାନ୍ତି କମିଟିର ନୀତି ନିୟମକୁ ସମସ୍ତ ପୂଜା କମିଟିର ସଦସ୍ୟ ମାନିବା ସହିତ ଗ୍ରାମ ଓ ପୂଜା ଉତ୍ସବର ପରମ୍ପରା ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶ୍ରୀ ଛତାର ଅନୁରୋଧ କରିଥିଲେ। ଏହି ବୈଠକରେ ଶାନ୍ତି କମିଟିର ସଭାପତି ଭାଗିରଥି ସାହୁ, ସମିତି ସଭ୍ୟ ପ୍ରଦୀପ କୁମାର ମହାନ୍ତି, ବେଣୁଧର ମହାନ୍ତି,ଭୀମସେନ ବେହେରା, ସୁରେନ୍ଦ୍ର କୁମାର ମହାନ୍ତି, ବ୍ରଜରାଜ ଖଟୁଆ, ମାୟାଧର ଦଳାଇ, କାଙ୍ଗାଲି ସାହୁ, ନରେନ୍ଦ୍ର କୁମାର ସାହୁ, ପବିତ୍ର ନାୟକ, ଗାଁ ସଂପାଦକ ସନ୍ତୋଷ ବେଦାନ୍ତ, ରଞ୍ଜନ କୁମାର ମୁଦୁଲି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଭସାଣୀ ଉତ୍ସବରେ ଚଳିତ ବର୍ଷ ୭ଟି ପୂଜାମଣ୍ଡପ ସହିତ ଲକ୍ଷ୍ମୀନାରାୟଣ ପୂଜାମଣ୍ଡପ ମହାଳପଡା ସମସ୍ତ ନୀତି ନିୟମକୁ ମାନି ସଂଶ୍ଲିଷ୍ଟ ହୋଇଅଛି । ଫଳରେ ଚଳିତ ଭସାଣୀ ଯାତ୍ରା ୮ଗୋଟି ମେଢକୁ ନେଇ ଅନୁଷ୍ଠିତ ହେବ। ଏହି ଆଲୋଚନାରେ ୮ଗୋଟି ପୂଜାମଣ୍ଡପର(ମେଢ) ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Comments are closed.