ଡାକ୍ତର କାଫିଲଙ୍କ ଅଭିଯୋଗ; ତାଙ୍କ ଭାଇଙ୍କୁ ଗୁଳିମାଡ଼ ପଛରେ ଅଛନ୍ତି ବିଜେପି ସାଂସଦ

0

ଲକ୍ଷ୍ନୌ : ଭାଇ କାଶିଫ ଜାମିଲଙ୍କୁ ଗୁଳିମାଡ଼ର ପ୍ରାୟ ସପ୍ତାହେ ପରେ ନିଲମ୍ବିତ ବିଆରଡି ମେଡିକାଲ କଲେଜର ନୋଡାଲ ଅଫିସର ଡାକ୍ତର କାଫିଲ ଖାନ ରବିବାର ଗୁଳି ମାଡ଼ ପଛରେ ବାନସଗାଓଁର ବିଜେପି ସାଂସଦ କମଲେଶ ପାସୱାନ ଥିବା ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଡାକି କାଫିଲ କହିଛନ୍ତି ଯେ ପାସୱାନ ଏବଂ ସତୀଶ ନାଗାଁଲିଆ ମୋ ଭାଇକୁ ହତ୍ୟା କରିବା ପାଇଁ ଏକ ସୁଟ୍‍ରକୁ ସୁପାରି ଦେଇଥିଲେ। ମୋ ଭାଇ ସହ ସେମାନଙ୍କ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ତେବେ ମୋ କକାଙ୍କ ଏକ ଜମିକୁ ପାସୱାନ ଏବଂ ସତୀଶ ଗତ ଫେବୃଆରୀ ମାସରେ ଜବର ଦଖଲ କରିଥିଲେ। ଏନେଇ ମାମଲା ଦାଏର ହୋଇଥିଲା। ପରେ ହାଇକୋର୍ଟ ଏହି ଗିରଫଦାରୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ଏହି ମାମଲାରେ ଜୁନ୍‍ ୧୩ରେ ରାୟ ଆସିବାର ଥିଲା। ଏହା ପୂର୍ବରୁ ଜୁନ୍‍ ୧୦ ରବିବାର ରାତି ପ୍ରାୟ ୧୧ଟା ସମୟରେ ତାଙ୍କ ଭାଇ ଉପରେ ଗୁଳିମାଡ଼ କରାଯାଇଥିଲା। ଏହା ପଛରେ ସାଂସଦ, ଇମାନ ହୁସେନ ଏବଂ ନିକହତ ଆରା ସାମିଲ ଅଛନ୍ତି। ତାଙ୍କ ଭାଇଙ୍କ କାନ୍ଧ, ବେକ ଓ ଥୋଡ଼ିରୁ ତିନିଟି ଗୁଳି ବାହାର କରାଯାଇଛି। ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଉଲ୍ଲେଖ ଯେ ଜୁନ୍‍ ୧୦ରେ ଗୋରଖପୁର ମଠଠାରୁ ମାତ୍ର କେଇ ମିଟର ଦୂରରେ ଦୁଇ ଜଣ ଯୁବକ ଏକ ସ୍କୁଟରରେ ଆସି ୩୪ବର୍ଷୀୟ ଜାମିଲଙ୍କ ଉପରକୁ ଗୁଳି ଚଳାଇବା ସହ ଫେରାର ହୋଇଯାଇଥିଲେ। କାଫିଲ ଖାନ ସାଂସଦ ପାସୱାନ ଏବଂ ସତୀଶଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ ଯେ ୨୦୧୭ ଅଗଷ୍ଟରେ ୪ଦିନ ମଧ୍ୟରେ ଗୋରଖପୁର ଡାକ୍ତରଖାନାରେ ଅକ୍ସିଜେନ୍‍ ଅଭାବରୁ ପ୍ରାୟ ୬୩ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଡାକ୍ତର କାଫିଲଙ୍କୁ ଗିରଫ କରାଯାଇଥିଲା। ଗତ ଏପ୍ରିଲରେ ସେ ଏହ୍ଲାବାଦ ହାଇକୋର୍ଟରୁ ଜାମିନରେ ଆସିଛନ୍ତି। ଜାମିନ୍‍ରେ ଆସିବା ପରେ ତାଙ୍କ ପରିବାର ପ୍ରତି ବିପଦ ଥିବା ସେ କହିଆସୁଥିଲେ। ପରେ ତାଙ୍କ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ପୁଲିସ୍‍ ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି ସେ କହିଛନ୍ତି। ଏହାସହ ତାଙ୍କ ପରିବାର ପାଇଁ ସୁରକ୍ଷା ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଏହି ମାମଲାର ସିବିଆଇ କିମ୍ବା କୌଣସି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

kalyan agarbati
Leave A Reply