ବାଘ ସହିତ ମୁକାବିଲା; ଗଣମାଧ୍ୟମରେ ଯୁବତୀଙ୍କ ସେଲ୍ଫି
ମୁମ୍ବଇ : ବାଘ ଭଳି ଏକ ହିଂସ୍ର ପ୍ରାଣୀ କବଳରୁ ଖସି ଆସିବା ସହଜ ନୁହେଁ ନିଶ୍ଚିତ; କିନ୍ତୁ କୌଣସି ମତେ ଏଭଳି ସୌଭାଗ୍ୟ ଲାଭ କରିଥିବା ବ୍ୟକ୍ତି ପକ୍ଷରେ ସେହି ମୁହୂର୍ତ୍ତକୁ ସାରାଜୀବନ ଭୁଲିବା ସମ୍ଭବ ହୁଏ ନାହିଁ । ମହାରାଷ୍ଟ୍ରର ବାନ୍ଦ୍ରା ଜିଲାର ବାସିନ୍ଦା ୨୧ବର୍ଷ ବୟସ୍କା ଯୁବତୀ ରୁପାଲି ମେଶ୍ରମ୍ଙ୍କ କ୍ଷେତ୍ରରେ ଏଭଳି ଘଟିଛି। ଅତି ସାହସିକତା ପ୍ରଦର୍ଶନ ପୂର୍ବକ ସେ ଏମିତି ଏକ ମରଣାନ୍ତକ ପରିସ୍ଥିତିରୁ ମୁକୁଳି ଆସିଛନ୍ତି। ଖଣ୍ଡେ ବାଡ଼ି ଧରି ସେ ମହାବଳ ବାଘର ମୁକାବିଲା କରି ତାକୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ଯଦିଓ ସେ କ୍ଷତବିକ୍ଷତ ହୋଇଛନ୍ତି ତଥାପି ନିଜ ଜୀବନ ବଞ୍ଚାଇବାକୁ ସେ ସଫଳ ହୋଇଛନ୍ତି। ଘଟଣାଟି ଘଟିଛି ଗତ ୨୪ ତାରିଖରେ । କିନ୍ତୁ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଆଲୋଚନା ଜାରି ରହିଛି।
ଉସ୍ଗାଓଁ ନିବାସୀ ରୁପାଲି ଘଟଣା ଦିନ ମଧ୍ୟାହ୍ନ ସମୟରେ ହଠାତ୍ ତାଙ୍କ ଛେଳିମାନଙ୍କ ଆର୍ତ୍ତ ଚିତ୍କାର ଶୁଣିଥିଲେ। ସେ ତୁରନ୍ତ ଛେଳିମାନଙ୍କୁ ବନ୍ଧା ଯାଇଥିବା ବୁଦା ନିକଟକୁ ଯାଇ ଦେଖିଲେ ସେଠାରେ ତିନୋଟି ଛେଳି ମରି ପଡିଛନ୍ତି। ଘଟଣା କ’ଣ ବୁଝିବା ପୂର୍ବରୁ ନିକଟସ୍ଥ ବୁଦା ଆଢ଼ୁଆଳରେ ଥିବା ବାଘଟିଏ ତାଙ୍କ ଆଡ଼କୁ ଚାହିଁ ଗର୍ଜନ କରିଥିଲା। ବାଘ ଦେଖି ରୁପାଲି ଭୟଭୀତ ହୋଇଯାଇଥିଲେ। ଇତସ୍ତତଃ ହୋଇ ସେ ନିକଟରେ ପଡିଥିବା ଏକ ବାଡ଼ି ଉଠାଇ ନିଜକୁ ରକ୍ଷା କରିବାକୁ ବେଶ୍ କିଛି ସମୟ ଉଦ୍ୟମ କରିଥିଲେ। ବାଘ କବଳରୁ ରକ୍ଷା ପାଇବା ଲାଗି ଭଗବାନଙ୍କୁ ସ୍ମରଣ କରିବା ସହିତ ଚିତ୍କାର କରି ମା’ଙ୍କୁ ଡାକ ପକାଇଥିଲେ। ମା’ ମଧ୍ୟ ଝିଅର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କୌଣସି ମତେ ରୁପାଲିଙ୍କୁ ଘର ଭିତରକୁ ଘୋଷାଡ଼ି ନେଇ କବାଟ ବନ୍ଦ କରିଦେଇଥିଲେ। ତେଣେ ବାଘ ଖସି ପଳାଇଥିଲା। ରୁପାଲି ତୁରନ୍ତ ସୋନେଗାଓଁଠାରେ ରହୁଥିବା ତାଙ୍କ ମାମୁଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ। ମାମୁଙ୍କଠାରୁ ଖବର ପାଇ ବନ ବିଭାଗ ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ରୁପାଲିଙ୍କୁ ନାଗପୁରସ୍ଥିତ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ବାଘ ଆକ୍ରମଣରେ ରୁପାଲିଙ୍କ ଶରୀରର ଅଧିକାଂଶ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। କୌତୁହଳର ବିଷୟ ହେଲା, ଡାକ୍ତରଖାନା ଯିବା ପୂର୍ବରୁ ରୁପାଲି କ୍ଷତାକ୍ତ ଅବସ୍ଥାରେ ମା’ଙ୍କ ସହ ନିଜର ସେଲ୍ଫି ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି । ରୁପାଲିଙ୍କ ବୀରତ୍ୱର ଫଟୋଟି ଭାଇରାଲ ହେବା ପରେ ଲୋକେ ତାଙ୍କ ସାହସିକତାକୁ ଯେତିକି ପ୍ରଶଂସା କରୁଛନ୍ତି, ସେଲ୍ଫି ଉଠାଇବା ନେଇ ତାଙ୍କ ମନୋଭାବ ବିଷୟରେ ସେତିକି ଆଲୋଚନା ମଧ୍ୟ ହେଉଛି।