ବିମାନ ସେବା ଦୁଇ ପୁରାତନ ସହର ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଆଣିବ : ସିନ୍ଧିଆ
ଉତ୍କେଲା ବିମାନବନ୍ଦରକୁ ବିମାନ ଚଳାଚଳ
ନୂଆଦିଲ୍ଲୀ/ ଭବାନିପାଟଣା: କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନବନ୍ଦରକୁ ଗୁରୁବାରଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ୱାନ୍ ବିମାନ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ଉତ୍କେଲା ଅଭିମୁଖେ ଯାତ୍ରା କରିଛି । ସକାଳ ୯ଟା ୩୦ ମିନିଟ୍ ସମୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭି.କେ.ସିଂହ ନୂଆଦିଲ୍ଲୀରେ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ସବୁଜ ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ।
ମନ୍ତ୍ରୀ ଶ୍ରୀ ସିନ୍ଧିଆ ତାଙ୍କର ଉଦ୍ବୋଧନରେ କହିଥିଲେ ଯେ ଓଡ଼ିଶାର ଏହି ଦୁଇ ପୁରାତନ ସହର ମଧ୍ୟରେ ବିମାନ ଚଳାଚଳ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଆଣିବ। କେନ୍ଦ୍ର ସରକାରଙ୍କର ଉଡ଼ାଣ ଯୋଜନାରେ ଆଞ୍ଚଳିକ ସ୍ତରରେ ସଂଯୋଗୀକରଣ ବୃଦ୍ଧି କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଭୁବନେଶ୍ୱରରେ ବିମାନ ଚଳାଚଳର ଶୁଭାରମ୍ଭ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିବାବେଳେ ଉତ୍କେଲାଠାରେ ସାଂସଦ ବସନ୍ତ ପଣ୍ଡା ଏବଂ ସାଂସଦ ସୁଜିତ କୁମାର, ବିଧାୟକ ପ୍ରଦିପ୍ତ କୁମାର ନାଏକ, ଭୁପିନ୍ଦର ସିଂ, ମହୋଷଧି ବାଗଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉତ୍କେଲା ଅଭିମୁଖେ ଯାତ୍ରା କରିଥିବା ବିମାନକୁ ସକାଳ ସାଢ଼େ ୧୦ଟାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିମାନରେ ପ୍ରଥମ ଯାତ୍ରୀଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଉତ୍କେଲା ବିମାନ ବନ୍ଦରରେ ଅବତରଣ କରିଥିଲେ।ସକାଳ ପ୍ରାୟ ୧୧ ଟା ୨୫ ମିନିଟ ସମୟରେ ଉତ୍କେଲା ବିମାନ ବନ୍ଦରରେ ପ୍ରଥମ ଯାତ୍ରୀବାହୀ ବିମାନ ଅବତରଣ ବେଳେ ବିମାନ ଉପରକୁ ପାଣି ସିଞ୍ଚନ କରି ବିମାନ କୁ ସ୍ବାଗତ କରାଯାଇଥିଲା।
ପରେ ଦିନ ୧୨ ଟା ୪୫ ମିନିଟରେ ବିମାନଟି ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲା। ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସାଂସଦ ସୁଜିତ୍ କୁମାର, ଖଡ଼ିଆଳର ଯାତ୍ରୀ ଯଦୁମଣି ପାଣିଗ୍ରାହୀ , ଉତ୍କେଲାର ଯାତ୍ରୀ ନୀଳକଣ୍ଠ ସରାଫ, କେସିଙ୍ଗା ର ଯାତ୍ରୀ ମିତ୍ରଭାନୁ ମୋଲଣା ଙ୍କ ସମେତ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ , ବିଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ୭ ଜଣ ଭୁବନେଶ୍ୱର ଆସିଥିଲେ।
ଆଜି ଉତ୍କେଲା ବିମାନ ବନ୍ଦରକୁ ନବ ବଧୂ ବେଶରେ ସଜାଇ ଦିଆଯାଇଥିଲା । ସ୍ଥାନେ ସ୍ଥାନେ ମାଁ ମାଣିକେଶ୍ଵରୀଙ୍କ କଟ ଆଉଟ୍ ସାଙ୍ଗକୁ ଆକର୍ଷଣୀୟ ଝୋଟି, ବେଲୁନରେ ପୁରା ବିମାନ ବନ୍ଦରକୁ ସଜା ଯାଇଥିଲା ।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଉତ୍କେଲା ବିମାନ ଯାତ୍ରା ଭଡ଼ା ୯ ଶହ ୯୯ ଟଙ୍କା ରଖାଯାଇଛି। ଭୁବନେଶ୍ୱରରୁ ସକାଳ ୭ଟା ୧୫ ମିନିଟ୍ରେ ବିମାନଟି ଉଡ଼ାଣ କରି ଉତ୍କେଲାରେ ୮ଟା ୨୫ ମିନିଟ୍ରେ ପହଞ୍ଚିବ। ସେହିଭଳି ବିମାନଟି ସକାଳ ୮ଟା ୫୦ରେ ଉତ୍କେଲାରୁ ବାହାରି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବ। ସପ୍ତାହର ଦୁଇଦିନ ମଙ୍ଗଳବାର ଏବଂ ଗୁରୁବାର ଦିନ ଉଭୟ ଦିଗରୁ ବିମାନ ଚଳାଚଳ କରିବ। ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ବାଣିଜ୍ୟ ଭିତ୍ତିକ ସହରଭାବେ ଭବାନୀପାଟଣା ପରିଚିତ। ଦେଶର ଏବଂ ରାଜ୍ୟର ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲାକୁ ଆସିବା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ବିମାନ ସେବାକୁ ନେଇ ସ୍ଥାନୀୟ ଲୋକମାନେ ଖୁସି ପ୍ରକଟ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରାୟ ୧୬୨ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଉତ୍କେଲା ବିମାନ ବନ୍ଦର କୁ ୨ବି ଲାଇସେନ୍ସ ପ୍ରଦାନ କରାଯାଇଛି। ତେବେ ପରେ ପରେ ଏଠାରୁ ରାୟପୁର କୁ ବିମାନ ଯାତ୍ରା ସମ୍ପ୍ରସାରଣ କରାଯିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷ ରୁ କୁହାଯାଇଛି।
Comments are closed.