କଳାହାଣ୍ଡିରେ ଜେପି ନଡ୍ଡା; ୨୪ ପାଇଁ କଳାହାଣ୍ଡି ଓ ନୂଆପଡ଼ା ଜିଲା କର୍ମୀଙ୍କୁ ଦେଲେ ବିଜୟର ମନ୍ତ୍ର

ମୋଦୀଙ୍କ ଶାସନର ସଫଳତା ବାର୍ତ୍ତା ଘରେ ଘରେ ପହଞ୍ଚାଅ: ନଡ୍ଡା

ଭବାନୀପାଟଣା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶୁକ୍ରବାର କଳାହାଣ୍ଡି ଗସ୍ତରେ ଆସି କଳାହାଣ୍ଡି ଲୋକସଭା କ୍ଷେତ୍ର(କଳାହାଣ୍ଡି ଓ ନୂଆପଡା ଜିଲା)ର ପ୍ରମୁଖ କାର୍ଯ୍ୟକର୍ତ୍ତା, ଦଳୀୟ ନେତା ଏବଂ କର୍ମୀଙ୍କ ସମାବେଶରେ ଯୋଗ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କିଭଳି କଳାହାଣ୍ଡି ଲୋକସଭା ଆସନକୁ ପୁଣି ଥରେ ହାତେଇବ ସେନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଜୟ ହାସଲ ପାଇଁ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନଡ୍ଡା। ଏହି କର୍ମକର୍ତ୍ତା ସମାବେଶ ଭବାନୀପାଟଣା ଟାଉନହଲଠାରେ ଅନୁଷ୍ଠିତ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ହେଲିକପ୍ଟର ଯୋଗେ ଭବାନୀପାଟଣା କଲେଜ ପଡିଆରେ ଦିନ ପ୍ରାୟ ୧୧ଟା ୩୦ ମିନିଟରେ ପହଞ୍ଚିବା ପରେ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିଥିଲେ। ପରେ କଡ଼ା ସୁରକ୍ଷା ଭିତରେ ମା’ ମାଣିକେଶ୍ୱରୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ସେଠାରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିଥିଲେ। ପରେ ସେ ଲାଲବାହଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଗରିବ କଲ୍ୟାଣ ମହା ସମାବେଶରେ ଯୋଗ ଦେଇଥିଲେ।

prayash

ନଡ୍ଡା ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ ମହା ଜନସମ୍ପର୍କ ଅଭିଯାନ ଓ କର୍ମକର୍ତ୍ତା ବୈଠକରେ ଯୋଗଦେଇଥିଲେ। ଏହି କାର୍ଯ୍ୟକର୍ତ୍ତା ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ .ପି. ନାଡ୍ଡା କହିଥିଲେ ଯେ, କର୍ମୀମାନେ ପୂର୍ବାପେକ୍ଷା ଦଶ ଗୁଣା ଅଧିକ ପରିଶ୍ରମ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନର ସଫଳତା ବାର୍ତ୍ତା ତଥା କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ଘରେ ଘରେ କର୍ମୀମାନେ ପହଞ୍ଚାନ୍ତୁ। ଜନ ସଂପର୍କ ରକ୍ଷା କରିବା ସହ ଆଦିବାସୀ, ହରିଜନ, ମହିଳାଙ୍କ ସମସ୍ତ ସମସ୍ୟା ସଂପର୍କରେ ପଚାରି ବୁଝନ୍ତୁ। ଯଦି କୌଣସି ସମସ୍ୟା ଅସମାହିତ ରହୁଛି ତାହେଲେ ପ୍ରଶାସନ, ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ଲାଗି ପ୍ରୟାସ କରନ୍ତୁ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରନ୍ତୁ। ତେବେ ଯାଇ ଆଗାମୀ ୨୦୨୪ ନିର୍ବାଚନରେ ବିଜୟ ସୁନିଶ୍ଚିତ ହେବ ବୋଲି କର୍ମୀ ତଥା ନେତୃବର୍ଗଙ୍କୁ କହିଛନ୍ତି ନଡ୍ଡା। ସମାବେଶରେ କଳାହାଣ୍ଡି ଲୋକସଭା କ୍ଷେତ୍ର(କଳାହାଣ୍ଡି ଓ ନୂଆପଡା ଜିଲା)ର କର୍ମୀ, ନେତା, ଦଳୀୟ ସଂଗଠନର କର୍ମକର୍ତ୍ତା, ଜନ ପ୍ରତିନିଧିମାନେ ଏଥିରେ ବହୁ ସଂଖ୍ୟାରେ ଭାଗ ନେଇଥିଲେ। କଳାହାଣ୍ଡି ଲୋକସଭା କ୍ଷେତ୍ର ଅଧୀନରେ ଥିବା ଭବାନୀପାଟଣା, ନର୍ଲା, ଲାଞ୍ଜିଗଡ଼, ଜୁନାଗଡ, ଧର୍ମଗଡ, ଖରିଆର ଓ ନୂଆପଡା ଆଦି ବିଧାନସଭା କ୍ଷେତ୍ରର ପରାଜିତ ବିଧାୟକ ପ୍ରାର୍ଥୀ, ମଣ୍ଡଳ ସଭାପତି, ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ।

ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କେନ୍ଦ୍ର ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ରାଜ୍ୟ ସଭାପତି ମନମୋହନ ସାମଲ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ମାନସ ରଂଜନ ମହାନ୍ତି, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, କନକ ବର୍ଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ କୁମାର ପଣ୍ଡା ଓ କଳାହାଣ୍ଡି ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ। ନଡ୍ଡା ଉପସ୍ଥିତ ବିଜେପି ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ୨୦୨୪ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସହ ପ୍ରଧାନମନ୍ତ୍ରୀଙ୍କ ଗତ ୯ ବର୍ଷ ଶାସନର ସଫଳତା ଏବଂ ରାଜ୍ୟ ବିଜେଡି ସରକାରଙ୍କ ବିଫଳତାକୁ କର୍ମୀମାନେ ଘରଘର ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ବିଶେଷକରି ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.