ମାନହାନି ମକଦ୍ଦମା: ଜେଏନ୍ୟୁ ଛାତ୍ର ସଂଗଠନ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ମାନହାନି ମକଦ୍ଦମାରେ ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ଛାତ୍ର ସଂଗଠନର ପଦାଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରତ୍ୟେକ ଅଭିଯୁକ୍ତଙ୍କୁ ହାଇକୋର୍ଟ ୨୦୦୦ ଟଙ୍କା ଲେଖାଏଁ ଜାରିମାନା କରିଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବ୍ଲକ୍ଠାରୁ ୧୦୦ ମିଟର ପରିସର ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ ନ କରିବା ଲାଗି ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଛାତ୍ରମାନେ ଉଲ୍ଲଙ୍ଘନ କରିଥିବା ବିଚାରପତି ଭି. କାମେଶ୍ୱର ରାଓ ରାୟ ଦର୍ଶାଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବ୍ଲକ୍ଠାରୁ ୧୦୦ ମିଟର ଦୂରରେ ବିକ୍ଷୋଭ ପ୍ରଦର୍ଶନ ନିମନ୍ତେ ୨୦୧୭ ଅଗଷ୍ଟ ୯ରେ ହାଇକୋର୍ଟ ଛାତ୍ର ସଂଗଠନକୁ ନିର୍ଦେଶ ଦେଇଥିଲେ। ପ୍ରଶାସନିକ ବ୍ଲକ୍ଠାରୁ ୧୦୦ ମିଟର ମଧ୍ୟରେ ବିକ୍ଷୋଭ ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସର ସହାୟତା ନେଇପାରିବେ ବୋଲି କୋର୍ଟ କହିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଛାତ୍ର ସଂଗଠନ ପକ୍ଷରୁ ହାଇକୋର୍ଟଙ୍କ ରାୟକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଏଣୁ ଛାତ୍ର ସଂଗଠନର ସଭାପତି ଗୀତା କୁମାରୀ, ଉପ-ସଭାପତି ସିମୋନ ଜୋୟା ଖାନ୍, ସାଧାରଣ ସମ୍ପାଦକ ଦୁଗିରାଲା ଶ୍ରୀକ୍ରିଷ୍ଣା ଏବଂ ଯୁଗ୍ମ ସମ୍ପାଦକ ସୁଧାଂଶୁ ସିଂହଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା।