ବିଜେଡି-ବିଜେପି ଲଢେଇରେ ଜେଏମଏମ୍‌ ହୋଇପାରେ ନିର୍ଣ୍ଣାୟକ

ବିଜାତଳା ): ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସମୀକରଣ ଓ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ବିଜାତଳା, ବିଶୋଇ, ସାରସକଣା ବ୍ଲକ୍‌ ସମେତ କୁସୁମୀ ବ୍ଲକର ୪ଟି ପଞ୍ଚାୟତକୁ ନେଇ ସାରସକଣା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି। ଆଦିବାସୀଙ୍କ ପାଇଁ ସଂରକ୍ଷିତ ଏହି ଆସନ ଏବେ ବିଜେପି ଦଖଲରେ ରହିଛି। ୨୦୦୯ ମସିହାରେ ସୀମା ପୁନଃନିର୍ଦ୍ଧାରଣ ପରେ ଏଠାରୁ ଏନସିପି ଟିକଟରେ ଇଂ. ରାମଚନ୍ଦ୍ର ହାଁସଦା, ୨୦୧୪ରେ ବିଜେଡିର ଭାଦବ ହାଁସଦା, ୨୦୧୯ରେ ବିଜେପିର ଡ଼ାକ୍ତର ବୁଢ଼ାନ ମୁର୍ମୁ ନିର୍ବାଚିତ ଜିତିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅମର ସିଂ ଟୁଡୁଙ୍କୁ ୬୮୧୩ ଖଣ୍ଡ ଭୋଟରେ ପରାଜିତକରି ବିଜେପିର ଶ୍ରୀ ମୁର୍ମୁ ବାଜି ମାରିଥିଲେ। ବିଜେପିକୁ ୫୩,୧୯୭ ଭୋଟ ମିଳିଥିବାବେଳେ ବିଜେଡି ୪୬,୩୮୪ ଖଣ୍ଡ ଭୋଟ ପାଇଥିଲା। ସେହିଭଳି ତୃତୀୟ ସ୍ଥାନରେ ଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ମହେଶ ଚନ୍ଦ୍ର​‌ ହେମ୍ବ୍ରମ୍‌ଙ୍କୁ ୩୪,୮୩୧ ଖଣ୍ଡ ଭୋଟ ମିଳିଥିଲା l ଏଠାରେ ବିଜେପିକୁ ୩୪ ପ୍ରତିଶତ, ବିଜେଡିକୁ ୩୦ ପ୍ରତିଶତ ଓ ଜେଏମ୍‌ଏମ୍‌କୁ ୨୨ ପ୍ରତିଶତ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଇଂ ରାମଚନ୍ଦ୍ର ହଁାସଦା ମାତ୍ର ୧୦ ହଜାର ୩୬ ଅର୍ଥାତ୍ ୬ ପ୍ରତିଶତ ଭୋଟ ପାଇଥିଲେ। ମୟୂରଭଞ୍ଜ ଜିଲାକୁ ଶାସକ ବିଜେଡି ଏବେ ଦୁଇଟି ସାଙ୍ଗଠନିକ ଜିଲା କରି ଗଡ଼ ସଜାଡ଼ିବା ଆରମ୍ଭ କରିଛି। ବିଜେପି ମଧ୍ୟ ଅନୁରୂପ ଭାବେ ସଙ୍ଗଠନକୁ ଦୃଢ କରିବାରେ ଲାଗିଛି। ଅନ୍ୟପକ୍ଷରେ ଜେଏମଏମ ତା’ର ପାରମ୍ପରିକ ଭୋଟକୁ ଅଧିକ ଦୃଢୀଭୂତ କରିବାକୁ ପ୍ରୟାସ କରୁଛି। ବିଜେଡିରେ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ମୟୂରଭଞ୍ଜ ସଦର ଜିଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ବିଜାତଳା ବ୍ଲକ୍‌ ବିଜେଡି ସଭାପତି ମାଝିଆରାମ ଟୁଡୁ, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମୁର୍ମୁ, ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା, ପୂର୍ବତନ ବିଧାୟକ ଭାଦବ ହାଁସଦା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ ପ୍ରମୁଖ ରହିଛନ୍ତି l ବିଜେପି ବିଧାୟକ ଡ଼ାକ୍ତର ବୁଢ଼ାନ ମୁର୍ମୁ ପୁନର୍ବାର ପ୍ରାର୍ଥୀ ହେବା ନେଇ ଆଶାବାଦୀ ଥିବାବେଳେ ଦଳର ବରିଷ୍ଠ ନେତା ଗୁରୁବା ମୁର୍ମୁ, ଲକ୍ଷେସ୍ୱର ନାଏକ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ସେହିଭଳି ଜେଏମ୍‌ଏମ୍‌ରୁ ଓଡିଶା ରାଜ୍ୟ ସଭାନେତ୍ରୀ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଂଜନୀ ସୋରେନ ପ୍ରାର୍ଥୀ ହେବା ନେଇ ଆଲୋଚନା ଚାଲିଛି। ଗତଥର ଏଠାରେ ଚତୁର୍ଥ ସ୍ଥାନରେ ଥିବା କଂଗ୍ରେସ ସଙ୍ଗଠନ ସଜାଡିବାରେ କିଛିଟା ବିଳମ୍ବ କରିଥିବା ଦେଖାଯାଉଛି। ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କର କିଛି ସ୍ଥାନରେ ଭୋଟବ୍ୟାଙ୍କ ଥିବାରୁ ତାଙ୍କର ଗତିବିଧି ମଧ୍ୟ ଆସନ୍ତା ନିର୍ବାଚନରେ ପ୍ରଭାବ ପକାଇପାରେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଭରସାରେ ଶାସକ ବିଜେଡି ରହିଥିବାବେଳେ ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ବିଭିନ୍ନ ଯୋଜନା ବିଷୟରେ ପ୍ରଚାର କରି ନିର୍ବାଚନୀ ବୈତରଣୀ ପାର ହେବା ଆଶା ରଖିଛି। ଜେଏମଏମ ଉଭୟ କେନ୍ଦ୍ର ଓ ରାଜ୍ୟର ବିଫଳତା ଏବଂ ପାରମ୍ପରିକ ଆଦିବାସୀ ଭୋଟବ୍ୟାଙ୍କ ଉପରେ ଆଧାର କରି ଗୋଟି ଚଳାଉଛି l ଏଥରକ କଂଗ୍ରେସକୁ ନିଜ ପକେଟ ଭୋଟ ଉପରେ ସନ୍ତୁଷ୍ଟ ହେବାକୁ ପଡିବ ବୋଲି କେତେକ ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି। ଗତଥର ଭଳି ଚଳିତ ଥର ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ସମ୍ଭାବନା ଥିଲେ ବି ଜେଏମଏମ ଏଠାରେ ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ଆଲୋଚନା ହେଉଛି। ପ୍ରାର୍ଥୀ ମନୋନୟନ ବିଜୟର ମାପ କାଠି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବିଗତ ୩ଟି ନିର୍ବାଚନରେ ଏହାର ଭୋଟରମାନେ ୩ ଅଲଗା ଅଲଗା ଦଳକୁ ଜିତାଇଛନ୍ତି l ଏଥରକ ସେହି ଧାରା ରହିବ ନା ବଦଳିବ ତାହା ଆଗାମୀ ଦିନରେ ଜଣାପଡିବ।

Comments are closed.