ଓଡ଼ିଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଜିଓର ଏକ ବଳିଷ୍ଠ ପଦକ୍ଷେପ

- ମୁକ୍ତପେସା ଭାବରେ କାର୍ଯ୍ୟ ଯୋଗାଇ ଦେଉଥିବା ଜିଓର ଏହି ଜିଓ ଗ୍ରାହକ ସହାୟକ (ଜେସିଏ) କାର୍ଯ୍ୟକ୍ରମ ଓଡ଼ିଶାରେ ମହିଳାଙ୍କୁ କରୁଛି ଆତ୍ମନିର୍ଭରଶୀଳ

ଭୁବନେଶ୍ୱର: ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଜିଓ ଏକ ଅଭିନବ ପଦକ୍ଷେପ ହାତକୁ ନେଇଛି । ମହିଳାମାନଙ୍କୁ ସଶକ୍ତ କରିବା ସହିତ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ ଅତ୍ୟନ୍ତ ଉତ୍ସାହର ସହ କମ୍ପାନି ଏହି ନୂଆ କାର୍ଯ୍ୟକ୍ରମ ଚଳାଇଛି । ଘରେ ରହି କାର୍ଯ୍ୟ କରିବାର ସୁବିଧା ଏବଂ ଅର୍ଥ ଉପାର୍ଜନର ଯେଉଁ ବଳିଷ୍ଠ ସୁଯୋଗ ମହିଳାମାନଙ୍କୁ ମିଳିଛି ତାହା ହେଲା ଜିଓ କଷ୍ଟମର ଆସୋସିଏଟ୍ ପ୍ରୋଗ୍ରାମ (ଜେସିଏ) ।

ଏହି ଅତ୍ୟନ୍ତ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୫୦୦ରୁ ଅଧିକ ସୁଖୀ ମହିଳା ଜେସିଏଭାବେ କାର୍ଯ୍ୟ କରୁଛନ୍ତି । ଛାତ୍ରୀ, ଆତ୍ମନିଯୁକ୍ତ ଯୁବତୀ, ଗୃହିଣୀ, କ୍ଷୁଦ୍ର ବ୍ୟବସାୟ ଆଦି ଭିନ୍ନ ଭିନ୍ନ ପୃଷ୍ଠଭୂମିର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଜିଓ ଗ୍ରାହକମାନଙ୍କୁ ସହାୟତା କରୁଛନ୍ତି ।

ନିରନ୍ତର ତାଲିମ, ଦକ୍ଷତା ବିକାଶ ଏବଂ ଡିଜିଟାଲ ଉପକରଣ ଜରିଆରେ ଏହି ଜେସିଏମାନେ ଗ୍ରାହକମାନଙ୍କୁ ସବୁପ୍ରକାର ସହାୟତା ପ୍ରଦାନ କରିବାରେ ସମର୍ଥ ହେଉଛନ୍ତି । ଫୋନ୍ ରିଚାର୍ଜ କରିବା, ଅନଲାଇନ୍ ଦେୟ ପ୍ରଦାନ ସହିତ ଗ୍ରାହକଙ୍କୁ ଅଭ୍ୟସ୍ତ କରାଇବା, ସମ୍ଭାବ୍ୟ ଗ୍ରାହକଙ୍କୁ କ୍ରୟ ନିଷ୍ପତ୍ତି ନେବା ଆଦି ର ସହଯୋଗ କରିବା କ୍ଷେତ୍ରରେ ଜେସିଏମାନେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଗ୍ରାହକଙ୍କୁ ସେବା ପ୍ରଦାନ ସମୟରେ ସେମାନଙ୍କୁ କିଭଳି ବ୍ୟବହାର ପ୍ରଦାନ କରାଯିବ ତାହା ଡିଜିଟାଲ ଜରିଆରେ କାର୍ଯ୍ୟ କରିବା ସମୟରେ ଶିଖିବା ଫଳରେ ଏହି ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ । ଏହା କେବଳ ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହେଉନାହିଁ ବରଂ ସବୁ ଭାରତୀୟଙ୍କ ପାଇଁ ଜିଓ ଡିଜିଟାଲ ଲାଇଫ ମିସନକୁ ଫଳପ୍ରଦ କରିପାରୁଛି ।

ଏଥିସହିତ ଅସଂଖ୍ୟ ଜିଓ ଗ୍ରାହକ, ବିଶେଷକରି ଆଭ୍ୟନ୍ତରୀଣ ଅଂଚଳରେ ବସବାସ କରୁଥିବା ଗ୍ରାହକଙ୍କ ପାଇଁ ଜିଓ କଷ୍ଟମର ଆସୋସିଏଟ ପ୍ରୋଗ୍ରାମ ବରଦାନ ସାବ୍ୟସ୍ତ ହୋଇଛି । କାରଣ ସେହି ଗ୍ରାହକଙ୍କ ପାଇଁ ଭାଷା ଆଉ ପ୍ରତିବନ୍ଧକ ହୋଇ ରହିନାହିଁ । ଗ୍ରାହକମାନେ ସେମାନଙ୍କ ନିଜ ଆଞ୍ଚଳିକ ବା କଥିତ ଭାଷାରେ କଥାବାର୍ତ୍ତା ହୋଇ ପାରୁଛନ୍ତି । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ବିଭିନ୍ନ ଉତ୍ପାଦ ଓ ସେବା ସମ୍ପର୍କରେ ଭଲଭାବେ ଅବଗତ ହୋଇପାରୁଛନ୍ତି ।

ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ର ଜଣେ ଗୃହିଣୀ ତରଙ୍ଗିଣୀ ରାଉତରାୟ କୁହନ୍ତି, ଜେସିଏ କାର୍ଯ୍ୟକ୍ରମ ତାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇପାରିଛି ଏବଂ ଆର୍ଥିକ ଦୃଷ୍ଟିରୁ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଘରେ ରହି ସେ ରୋଜଗାର କରିପାରୁଛନ୍ତି । ଏହାଦ୍ୱାରା ସେ ତାଙ୍କ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସହଯୋଗ କରିବା ସହିତ ତାଙ୍କ ୭ ବର୍ଷର ପୁଅ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା କରିପାରିଛନ୍ତି । ଘରୁ ଆରାମରେ ଏବଂ ନିରାପଦରେ ତାଙ୍କ ସୁବିଧା ଅନୁଯାୟୀ କାମ କରିପାରୁଥିବାରୁ ସେ ଅତ୍ୟନ୍ତ ଖୁସି । ଜେସିଏ ଭାବେ କାର୍ଯ୍ୟ କରି ସେ ତାଙ୍କ କାମ ଏବଂ ପାରିବାରିକ ଦାୟିତ୍ୱ ସଂପାଦନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିପାରୁଛନ୍ତି ବୋଲି ମତ ରଖିଛନ୍ତି ।

ରାୟଗଡ଼ାର ଗୃହିଣୀ ବନ୍ଦନା ମହାରଣା ପ୍ରଥମେ ଯେତେବେଳେ ଜେସିଏ କାର୍ଯ୍ୟକ୍ରମ ସଂପର୍କରେ ଜାଣିବାକୁ ପାଇଲେ ସେତେବେଳେ ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଘରୁ ତାଙ୍କ ସମୟ ସୁବିଧା ଅନୁସାରେ କାମ କରି ରୋଜଗାର କରିପାରିବେ । ସେ ସଦାସର୍ବଦା ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାକୁ ଉଦ୍ୟମ କରୁଥିଲେ । ତେବେ ବିବାହ ପରେ ପରିବାରର ଦାୟିତ୍ୱ ସମ୍ଭାଳିବା ପାଇଁ ପୂର୍ବରୁ ଏକ କ୍ଷୁଦ୍ର ସଂସ୍ଥାରେ ସେ କରୁଥିବା ଆକାଉଟାଂଟ ଚାକିରି ତାଙ୍କୁ ଛାଡ଼ିବାକୁ ପଡ଼ିଲା । ତେବେ ସେ ବର୍ତ୍ତମାନ ଅତ୍ୟନ୍ତ ଖୁସି । କାରଣ ପୂର୍ବରୁ ପୂର୍ଣ୍ଣକାଳୀନ କାର୍ଯ୍ୟ କରି ସେ ଯେତିକି ରୋଜଗାର କରୁଥିଲେ ବର୍ତ୍ତମାନ ଘର ଦାୟିତ୍ୱ ସମ୍ଭାଳିବା ସହିତ ଘରୁ ସାମୟିକ ଭାବେ କାର୍ଯ୍ୟ କରି ତା’ଠାରୁ ଅଧିକ ରୋଜଗାର କରିପାରୁଛନ୍ତି । ସେ ଗର୍ବର ସହିତ କୁହନ୍ତି, ଜେସିଏ ଭାବେ କାର୍ଯ୍ୟ କରିବା ପରେ ନିଜ ପାଇଁ ସ୍କୁଟର କିଣିବା ଲାଗି ରଖିଥିବା ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିପାରିଛନ୍ତି ।

କଳାହାଣ୍ଡି ଗୋଲାମୁଣ୍ଡାର କୁମୁଦିନୀ ଓ ଋକ୍ମିଣୀ ଗତବର୍ଷ ସେମାନଙ୍କ ସ୍ନାତକ ପାଠପଢ଼ା ଶେଷ କରିବା ପରେ ଜେସିଏ ଭାବେ ପ୍ରାୟ ବର୍ଷେ ହେଲା କାର୍ଯ୍ୟ କରୁଛନ୍ତି । ଜେସିଏ ଭାବେ କାମ କରିବାର ଅଭିଜ୍ଞତା ସଂପର୍କରେ କୁମୁଦିନୀ କୁହନ୍ତି, ଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ନେବା ସମୟରେ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି । ତାଲିମ ତାଙ୍କ ଆତ୍ମବିଶ୍ୱାସ ଏବଂ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାର ଦକ୍ଷତାକୁ ବଢ଼ାଇଛି । ସେହିଭଳି ଋକ୍ମିଣୀ କୁହନ୍ତି, ଗ୍ରାହକଙ୍କୁ ସେ ତାଙ୍କ ନିଜ ଭାଷାରେ ବିସ୍ତୃତ ଭାବେ ବୁଝାଇବା ଏବଂ କଥା ହେବା ସମୟରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥାନ୍ତି । ଏଥିସହିତ ଜେସିଏ ଭାବେ କାମ କରି ସେ ଯେଉଁ ରୋଜଗାର କରୁଛନ୍ତି ସେଥିରେ ସେ ତାଙ୍କ ସାନ ଭଉଣୀର ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିପାରୁଥିବାରୁ ବେଶ୍ ଖୁସୀ ବୋଲି ସେ କୁହନ୍ତି ।

Comments are closed.