ଉତ୍ତରାଚଣ୍ଡୀ ପୀଠରେ ଝାମୁଯାତ୍ରା
ଆଠଗଡ : ପବିତ୍ର ଚୈତ୍ର ଅଷ୍ଟମୀ ବା ଅଶୋକାଷ୍ଟମୀ ଅବସରରେ ଆଠଗଡର ଆରାଧ୍ୟା ମା’ଉତ୍ତରାଚଣ୍ଡୀଙ୍କ ପୀଠରେ ଆନନ୍ଦଉଲ୍ଲାସ ମଧ୍ୟରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ପୀଠରେ ଉପବାସ ବ୍ରତଧାରୀ ଝାମୁଆମାନେ ସଂପୂର୍ଣ୍ଣ ନିର୍ଜଳ ଉପବାସରେ ରହି ଏହି ଝାମୁଯାତ୍ରାରେ ଝାମୁ ଚାଲିଥିଲେ। ଅପରାହ୍ନ ୩ଟାରେ ମା’ଙ୍କ ଆଜ୍ଞାମାଳ ପାଇବା ପରେ ପାଟଝାମୁଆଙ୍କୁ ମିଶାଇ ମୋଟ ୮ଜଣ ବ୍ରତଧାରୀ ମାଆଙ୍କ ଘଟ ସହିତ ବଡପୋଖରୀରେ ସ୍ନାନକରି ଆସିବା ପରେ ଝାମୁ ଚାଲିଥିଲେ। ଉତ୍ତରାଚଣ୍ଡୀ ପୀଠ ନିକଟରେ ସର୍ବାଧିକ ୫୪ହାତ ଝାମୁଗାତ ସହିତ ୮ଟି ଝାମୁ ଗାତରେ ଜଳନ୍ତା ରଡ ନିଆଁ ଉପରେ ଝାମୁଆମାନେ ଚାଲିବା ବେଳେ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନିରେ କମ୍ପିଥିଲା ଝାମୁ ପଡିଆ।
ଗତ ଦୋଳ ପୂର୍ଣ୍ଣିମାରେ ବଡପୋଖରୀ ନିକଟରେ ଘଟ ପୂଜା ସାରି ମନ୍ଦିର ଫେରିବା ପରେ ପ୍ରତିଦିନ ଘଟ ବିଭିନ୍ନ ସାହି ପରିକ୍ରମା କରି ଭୋଗ ଲାଗି ହୋଇଥାନ୍ତି । ଅଶୋକାଷ୍ଟମୀର ଝାମୁଯାତ୍ରା ପରେ ସେହି ଦିନ ନିଶାର୍ଦ୍ଧରେ ଉକ୍ତ ଘଟକୁ ବିସର୍ଜନ କରାଯାଏ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ମହାପାତ୍ରଙ୍କ ସୁତ୍ରରୁ ପ୍ରକାଶ। ମା’ଙ୍କର ସ୍ୱତନ୍ତ୍ର ନୀତି ପୂଜା ମୁଖ୍ୟପୂଜକ ମନୋରଞ୍ଜନ ମହାପାତ୍ର, ଜ୍ଞାନରଞ୍ଜନ ମହାପାତ୍ର, ଚିତ୍ତରଞ୍ଜନ ମହାପାତ୍ର ଏବଂ ସହଯୋଗ ବିଜ୍ଞାନ ମିଶ୍ର ଓ ପରାଗ ମିଶ୍ର ସଂପନ୍ନ କରିଥିଲେ।
Comments are closed.