କର୍ଣ୍ଣାଟକ: କର୍ଣ୍ଣାଟକରେ ନଅ ଜଣ କଂଗ୍ରେସ ବିଧାୟକ ଓ ତିନି ଜଣ ଜେ.ଡି.ଏସ୍. ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟର ମେଣ୍ଟ ସରକାରରେ ଘୋର ସଂକଟ ଦେଖା ଦେଇଛି। ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ରମେଶ କୁମାରଙ୍କୁ ଇସ୍ତଫାପତ୍ର ଦେବା ପରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ଜେ.ଡି.ଏସ୍. ବିଧାୟକ ଏ.ଏଚ . ବିଶ୍ୱନାଥ କହିଛନ୍ତି କଂଗ୍ରେସରୁ ୧୪ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି କିନ୍ତୁ ବିଧାନସଭା ସଚିବାଳୟ ୧୩ ଜଣ ବିଧାୟକ ଇସ୍ତଫା ଦେଇଥିବା କହିଛନ୍ତି। କିଛି ଦିନ ପୂର୍ବରୁ କଂଗ୍ରେସର ଆନନ୍ଦ ସିଂହ ତାଙ୍କର ଇସ୍ତଫାପତ୍ର ଦାଖଲ କରିଥିଲେ ଓ ୧୩ଜଣଙ୍କ ମଧ୍ୟରେ ସେ ଅଛନ୍ତି।
୨୨୪ ଆସନ ବିଶିଷ୍ଟ ବିଧାନସଭାରେ ମେଣ୍ଟ ସରକାରକୁ ୧୧୮ଟି ସମର୍ଥନ ଥିବା ବେଳେ ଯଦି ୧୩ ଜଣଙ୍କ ଇସ୍ତଫା ଗ୍ରହଣ କରିନିଆଯାଏ, ସରକାର ସଂକଟରେ ପଡ଼ିବାର ସମ୍ଭାବନା ରହିଛି। ବାଚସ୍ପତି ରମେଶ କୁମାର କହିଛନ୍ତି ଯେ ସରକାର ରହିବ କି ନାହିଁ ତାହା ଜୁଲାଇ ୧୨ରେ ବିଧାନସଭା ଅଧିବେଶନ ଆରମ୍ଭ ହେଲେ ସ୍ପଷ୍ଟ ହେବ।



