ନୂଆଦିଲ୍ଲୀ: ଭାରତୀୟ ରେଳସେବାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ୨୦୩୦ ସୁଦ୍ଧା ସରକାର ୫୦ଲକ୍ଷ କୋଟି ଟଙ୍କା ନିବେଶ କରିବେ ବୋଲି ରେଳମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସ୍ୱଳ୍ପ ପରିମାଣର ପୁଞ୍ଜି ନିବେଶ ଯୋଗୁଁ ଗତ ୬୫ ବର୍ଷ ମଧ୍ୟରେ ଦେଶରେ ରେଳ ଭିତ୍ତିଭୂମି ମାତ୍ର ୩୦ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ମାଲ୍ ପରିବହନ ଏବଂ ଯାତ୍ରୀ ଗମନାଗମନ ୧୫ଶହ ପ୍ରତିଶତ ବୃଦ୍ଧି ପାଇଥିବା ସେ କହିଛନ୍ତି।
ପଣଜିରେ ଶନିବାର ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନରେ ଯୋଗ ଦେଇ ଗୋୟଲ ସାମ୍ବାଦିକମାନଙ୍କୁ କହିଛନ୍ତି, ୧୧ହଜାର କୋଟି ବ୍ୟୟରେ ମୁମ୍ବାଇରୁ ମାଙ୍ଗାଲୁର କୋଙ୍କଣ ରେଳ ରୁଟ୍ ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ହେବ। ସେ କହିଛନ୍ତି, ବିଦ୍ୟୁତିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଏହାଦ୍ୱାରା କୋଙ୍କଣ ରେଳ ରୁଟରେ ପ୍ରଦୂଷଣ ହ୍ରାସ ପାଇବ। ମନ୍ତ୍ରୀ କହିଛନ୍ତି, ଗୋଆ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ସେଠାରେ ରେଳ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉଛି।



