www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ରୋଗୀଙ୍କୁ ନୂଆ ଜୀବନ ଦେଲା ୧୬ ମାସର ଶିଶୁ

ଭୁବନେଶ୍ବର : ବୟସ ମାତ୍ର ୧୬ ମାସ। ଜୀବନ କ’ଣ ଜାଣିବା ପୂର୍ବରୁ ସେ ହୋଇଯାଇଛନ୍ତି ଅମର। ନିଜ କିଡ୍‌ନୀ(ବୃକକ୍‌) ଏବଂ ଲିଭର(ଯକୃତ) ଦାନ କରି ୧୬ ମାସର ମାଷ୍ଟର ଜନ୍ମେଶ ଦୁଇ ରୋଗୀଙ୍କୁ ଦେଇଛନ୍ତି ନୂଆ ଜୀବନ। ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ସୁଦ୍ଧା ଦୁଇଜଣଙ୍କ ପାଖରେ ସେ ନିଜର ସତ୍ତା ଛାଡି ଯାଇଛନ୍ତି। ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା ମାଷ୍ଟର ଜନ୍ମେଶଙ୍କ ଶରୀରରୁ ସଫଳତାର ସହିତ ବୃକକ୍‌ ଓ ଯକୃତ ସଂଗ୍ରହ କରାଯାଇଥିବା ଭୁବନେଶ୍ବର ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଜନ୍ମେଶ ଲେଙ୍କାଙ୍କ ପିତାମାତାଙ୍କ ଏପରି ସାହସିକ ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଏମ୍‌ସ ଭୁବନେଶ୍ବରରେ ହିଁ ଜଣେ କିଶୋର ରୋଗୀଙ୍କ ଶରୀରରେ ଦୁଇ କିଡ୍‌ନି ପ୍ରତିରୋପଣ କରାଯାଇଥିଲା। ୟୁରୋଲୋଜି ବିଭାଗର ମୁଖ୍ୟ ଡା. ପ୍ରଶାନ୍ତ ନାୟକଙ୍କ ନେତୃତ୍ବରେ ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ସଫଳତାର ସହିତ ସମ୍ପାଦିତ ହୋଇଥିଲା। ରାଜ୍ୟରେ ଏନ-ବ୍ଲକ୍ କିଡ୍‌ନୀ ପ୍ରତିରୋପଣର ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ଏକ ଜଟିଳ ଶଲ୍ୟଚିକିତ୍ସା ପଦ୍ଧତି ଯେଉଁଥିରେ ଜଣେ ଶିଶୁଦାତାଙ୍କ ଉଭୟ ବୃକକକୁ ଏକାକୀ ଗ୍ରହଣକାରୀଙ୍କ ଶରୀରରେ ପ୍ରତିରୋପଣ କରାଯାଏ। ଅପରପକ୍ଷରେ ଡା. ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ଗ୍ୟାଷ୍ଟ୍ରୋ-ସର୍ଜରୀ ଦଳ ଦ୍ୱାରା ଯକୃତକୁ ସଫଳତାର ସହିତ ଉଦ୍ଧାର କରାଯାଇଥିଲା। ଏହାକୁ ପ୍ରତିରୋପଣ ପାଇଁ ଗ୍ରିନ୍‌ କରିଡର୍‌ରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ କୁ ପଠାଯାଇଥିଲା। ସୂଚନା ଅନୁସାରେ, ଗତ ମାସ ୧୨ ତାରିଖରେ ଏମ୍‌ସ ଭୁବନେଶ୍ବରର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଫରେନ୍‌ ବଡି ଆସ୍ପିରେସନ୍‌ ଏଣ୍ଡ୍‌ ଚୋକିଂ  ରୋଗରେ ପୀଡ଼ିତ ହୋଇ ମାଷ୍ଟର ଜନ୍ମେଶ ଡା. କୃଷ୍ଣ ମୋହନ ଗୁଲ୍ଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଥିଲେ। ତୁରନ୍ତ କାର୍ଡିଓପଲ୍‌ମୋନାରୀ ରିସସିଟେସନ ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ ୧ ତାରିଖରେ ଜନ୍ମେଶଙ୍କୁ ବ୍ରେନ୍‌ ଡେଡ୍‌  ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କୁ ଜୀବନର ଉପହାର ଦେବାର ସମ୍ଭାବନାକୁ ସ୍ବୀକାର କରି ଏମ୍‌ସ ଭୁବନେଶ୍ବରର ଡାକ୍ତରୀ ଦଳ ଅଙ୍ଗଦାନ ବିଷୟରେ ଶୋକାକୁଳ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। ଜନ୍ମେଶଙ୍କ ପିତାମାତା ଅଙ୍ଗଦାନ ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ। ସମ୍ମତି ପରେ ଏମ୍‌ସର ସର୍ଜନ ଏବଂ ପ୍ରତିରୋପଣ ସଂଯୋଜକଙ୍କ ଏକ ବହୁମୁଖୀ ଦଳ ଶୀଘ୍ର ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାକୁ ସହଜ କରିଥିଲେ। ଏମ୍‌ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡା. ଆଶୁତୋଷ ବିଶ୍ବାସ ଅଙ୍ଗ ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରିବାରେ ସେମାନଙ୍କର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରତିରୋପଣ ସମନ୍ୱୟ ଦଳ ଏବଂ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିଛନ୍ତି। ମାଷ୍ଟର ଜନ୍ମେଶ ଲେଙ୍କା ଏବଂ ତାଙ୍କ ପିତାମାତାଙ୍କ ନିଷ୍ପତ୍ତି ସମଗ୍ର ଭାରତରେ ଅଙ୍ଗଦାନ, ବିଶେଷକରି ଶିଶୁ ଅଙ୍ଗଦାନ କ୍ଷେତ୍ରରେ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ମାଷ୍ଟର ଜନ୍ମେଶଙ୍କ ପିତା ଏମ୍‌ସ ଭୁବନେଶ୍ବରରେ ହଷ୍ଟେଲ ୱାର୍ଡେନ ଭାବରେ କାର୍ଯ୍ୟ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories