କଟକ : ନାବାଳିକା ଗର୍ଭବତୀ ହେବା ପରେ ଗର୍ଭ ନଷ୍ଟ କରିବା ପାଇଁ ରହିଥିବା ସରକାରୀ କଟକଣା ହଟାଇବା ଲାଗି ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ଅବସରରେ ହାଇକୋର୍ଟ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍ଓପି) ଜାରି କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଏସ୍ଓପି ପ୍ରସ୍ତୁତି ଲାଗି ସ୍ତ୍ରୀ ରୋଗ ବିଶେଷଜ୍ଞ, ପ୍ରସୂତି ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ ଆଇନ୍ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ଏସ୍ଓପି ପ୍ରସ୍ତୁତ ହେବା ପରେ ବିଜ୍ଞପ୍ତି ଭାବେ ପ୍ରକାଶ କରାଯିବ। ଏସ୍ଓପି କପିକୁ ପ୍ରତ୍ୟେକ ସରକାରୀ ଏବଂ ଘରୋଇ ମେଡିକାଲ ମଧ୍ୟରେ ବଣ୍ଟାଯିବା ସହ ସଚେତନତା ସୃଷ୍ଟି କରାଯିବ। ସହଜ ଏବଂ ସମୟ ସାେପକ୍ଷରେ ଯେପରି ଗର୍ଭ ନଷ୍ଟ କରାଯାଇ ପାରିବ ଉକ୍ତ ଏସ୍ଓପି ତାହା ନିଶ୍ଚିନ୍ତ କରିବ। ଅଯଥାରେ ଗର୍ଭ ନଷ୍ଟ ପାଇଁ ସମୟ ଅପଚୟକୁ ରୋକିବା, ପ୍ରଶାସନିକ ସ୍ତରରେ ଏବଂ ଆଇନଗତ ସମସ୍ୟାକୁ ଦୂର କରିବା ଦିଗରେ ମଧ୍ୟ ଏହି ଏସ୍ଓପିରେ ସ୍ପଷ୍ଟ ଉଲ୍ଲେଖ ରହିବ। ରୋଗୀଙ୍କର ମାନସିକ ଅବସ୍ଥା ଯେପରି ଠିକ୍ ରୁହେ, ସେଥିପାଇଁ ଜଣେ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ନିଆଯିବ। ଏସ୍ଓପିର କାର୍ଯ୍ୟକାରିତାକୁ ନେଇ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଏବଂ ପରିବାର ବିଭାଗ ଏହାର ସମୀକ୍ଷା କରିବ। ଆବଶ୍ୟକସ୍ଥଳେ ସଂଶୋଧନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରିବ। ଏହି ବିଜ୍ଞପ୍ତି ସଂକ୍ରାନ୍ତରେ ପ୍ରତ୍ୟେକ ଥାନାର ପୁଲିସ୍ ଅଧିକାରୀଙ୍କୁ ସଚେତନ କରିବା ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି। ଏହି କପି ପାଇବାର ୬ମାସ ମଧ୍ୟରେ ଏସ୍ଓପି ଜାରି କରିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ପୀଡ଼ିତାଙ୍କ ଗର୍ଭ ନଷ୍ଟ ପାଇଁ ପରିବାର ପକ୍ଷରୁ ହୋଇଥିବା ଆବେଦନକୁ ଅନୁମତି ଦେବା ପରିପ୍ରେକ୍ଷୀରେ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ବାପା ପିଟିସନ୍ରେ ଦର୍ଶାଇଛନ୍ତି ଯେ, ତାଙ୍କ ଝିଅ ୧୩ ବର୍ଷର। ସେ ଅନୁସୂଚିତ ଜନଜାତି ବର୍ଗର। ସେ ରକ୍ତଶିକୁଳୀ ରୋଗରେ ପୀଡ଼ିତ। ବଳାତ୍କାର କାରଣରୁ ଝିଅ ଗର୍ଭବତୀ। ବଳାତ୍କାର ପରେ ଅଭିଯୁକ୍ତ ଧମକ ଚମକ ଦେବାରୁ ପୀଡ଼ିତା ଏହି ଘଟଣା ସଂକ୍ରାନ୍ତରେ ପରିବାରକୁ ଜଣାଇ ନ ଥିଲା। ମାସିକ ଋତୁସ୍ରାବରେ ଅନିୟମିତତା କାରଣରୁ ପରିବାର ଲୋକେ ଡାକ୍ତରଖାନାରେଦେଖାଇଥିଲେ। ପରୀକ୍ଷାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ସେତେବେଳକୁ ଗର୍ଭଧାରଣର ୨୪ସପ୍ତାହ ଅତିକ୍ରମ କରିସାରିଥିଲା। ସେ ୫ମାସରୁ ଊର୍ଦ୍ଧ୍ବ ସମୟ ଗର୍ଭବତି ହୋଇଥିବା ସହ ରକ୍ତିଶିକୁଳୀରେ ପୀଡ଼ିତ ଥିବାରୁ ପିଲା ଜନ୍ମ ଦେବା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ମେଡିକାଲ କର୍ତ୍ତୃପକ୍ଷ ଆଶଙ୍କା ବ୍ୟକ୍ତ କରିଥିଲେ। ଗର୍ଭ ନଷ୍ଟ କରିବାକୁ ହେଲେ ଅାଇନଗତ ପ୍ରତିବନ୍ଧକ ଥିବାରୁ ତାଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
Popular Categories



