ଆପ୍କୁ କ୍ଷମତା ଦେଇ ନାହାନ୍ତି ସୁପ୍ରିମକୋର୍ଟ: ଅରୁଣ ଜେଟ୍ଲୀ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଉଲ୍ଲସିତ ଆପ୍ ସରକାରଙ୍କ ଆନନ୍ଦୋତ୍ସବ ପାଳନରେ ଭଟ୍ଟା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ। ଦିଲ୍ଲୀ ସରକାରଙ୍କ କ୍ଷମତା ସମ୍ବନ୍ଧୀୟ ରାୟକୁ ବୁଝିବାରେ ଆପ୍ ଭୁଲ୍ କରିଛି ବୋଲି ଜେଟ୍ଲୀ ଫେସ୍ବୁକ୍ରେ ପ୍ରକାଶିତ ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ଦିଲ୍ଲୀରେ ଆଇଏଏସ୍ ଅଧିକାରୀମାନଙ୍କ ନିଯୁକ୍ତି ଏବଂ ବଦଳି ଉପରେ ଆପ୍ ଏଯାବତ୍ କାହିଁକି ଆଇନଗତ ନିୟନ୍ତ୍ରଣ ଲାଭ କରିପାରିନାହିଁ ବୋଲି ସେ ଦର୍ଶାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ସାମ୍ବିଧାନିକ ପୀଠ ବହୁ ପ୍ରସଙ୍ଗ ଉପରେ ସିଧାସଳଖ ରାୟ ଦେଇ ନାହାନ୍ତି; କିନ୍ତୁ ଏ ଦିଗରେ ଅନେକ ସଙ୍କେତ ଦେଇଛନ୍ତି। ଏହାକୁ କେବଳ ବୁଝିବାର ଆବଶ୍ୟକତା ରହିଛି। ଏହି ନୀରବ ସଙ୍କେତକୁ ନ ବୁଝି ସୁପ୍ରିମକୋର୍ଟଙ୍କ ରାୟ ନିଜ ସପକ୍ଷରେ ଯାଇଛି ବୋଲି କହିବା ଉଚିତ ନୁହେଁ। ଜେଟ୍ଲୀ ଏହି ସ୍ତମ୍ଭରେ ସୁପ୍ରିମକୋର୍ଟଙ୍କ ତିନୋଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଥମତଃ ଦିଲ୍ଲୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ। ଦ୍ୱିତୀୟତଃ ପୁଲିସ, ଆଇନ ଶୃଙ୍ଖଳା ଏବଂ ଜମିଜମା ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର ଅଧିକାର କେବଳ କେନ୍ଦ୍ରର ଏବଂ ତୃତୀୟତଃ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି ସମ୍ବନ୍ଧୀୟ ନିଷ୍ପତ୍ତି ନେବାର କ୍ଷମତା ଦିଲ୍ଲୀ ସରକାରଙ୍କର ନାହିଁ। ପୁଲିସ, ଆଇନ ଶୃଙ୍ଖଳା ଏବଂ ଜମିଜମା ସମ୍ବନ୍ଧୀୟ ନିଷ୍ପତ୍ତି ନିର୍ଦ୍ଧାରଣ କ୍ଷମତା କେନ୍ଦ୍ର ସରକାରଙ୍କର ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ସରକାରଙ୍କ ନିକଟରେ ପୁଲିସ କ୍ଷମତା ନ ଥିବାରୁ ଏହା କୌଣସି ଅପରାଧ ମାମଲାର ତଦନ୍ତ ପାଇଁ କମିଟି ଗଠନ କରିପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିଭଳି ଅନ୍ୟ ରାଜ୍ୟଗୁଡିକ ସହିତ ଦିଲ୍ଲୀକୁ ତୁଳନା କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏଣୁ ପ୍ରଶାସନିକ କ୍ଷମତା ସମ୍ବନ୍ଧୀୟ ରାୟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରହିଛି ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ୍ ହେବ। ଏ ସମ୍ବନ୍ଧରେ ମତାମତ ଦେବା ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ସମ୍ପୂର୍ଣ୍ଣ ଭାବେ ପାଠ କରିବାକୁ ଜେଟ୍ଲୀ ଦର୍ଶାଇଛନ୍ତି।