ନୂଆଦିଲ୍ଲୀ,୬।୧୧: ନେପାଳ ପରେ ଏବେ ପାକିସ୍ତାନର ନୂତନ ପୀଢି ଅର୍ଥାତ ‘ଜେନ୍-ଜି’ ମଧ୍ୟ ନିଜ ସରକାରଙ୍କ ବିରୋଧରେ ଓହ୍ଲାଇଛନ୍ତି। ପାକ୍ ଅଧିକୃତ କାଶ୍ମୀର ବା ପିଓକେରେ ଗତ କିଛି ସପ୍ତାହ ଧରି ହିଂସ୍ର ପ୍ରଦର୍ଶନ ହୋଇଥିଲା। ଏବେ ପୁଣିଥରେ ସେହି ବିରୋଧରେ ନିଆଁ ଦେଖିବାକୁ ମିଳିଛି। ଏଥର ଏହାର ନେତୃତ୍ବ ନେଉଛନ୍ତି ‘ଜେନ୍-ଜି’ , ଅର୍ଥାତ ଛାତ୍ର ବର୍ଗ, ଯିଏକି ଶିକ୍ଷାରେ ସୁଧାର ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ‘ଜେନ୍-ଜି’ ଙ୍କ ଆନ୍ଦୋଳନକୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନାମୁଖ୍ୟ ମୁନୀରଙ୍କ ଚିନ୍ତା ବଢିଛି। ହାତରୁ ଶାସନ କ୍ଷମତା ଚାଲିଯିବାର ଭୟରେ ଅଛନ୍ତି।
ଆରମ୍ଭରୁ ଏହି ବିରୋଧ ବଢୁଥିବା ଫି’ ଓ ମୂଲ୍ୟାଙ୍କନ ପକ୍ରିୟା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ରୂପରେ ଆରମ୍ଭ ହୋଇଥିଲା, କିନ୍ତୁ ଏବେ ଏହା ଶେହବାଜ ସରିଫ୍ ସରକାରଙ୍କ ବିରୋଧରେ ଏକ ବଡ଼ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି। ଏହି ଆନ୍ଦୋଳନ ଅଧିକୃତ ଅଞ୍ଚଳରେ ପାକିସ୍ତାନ ପ୍ରତି ଯୁବପୀଢିଙ୍କ ଗଭୀର ଅସନ୍ତୋଷକୁ ଦର୍ଶାଉଛି।ବିରୋଧ ପ୍ରଦର୍ଶନ ଚଳିତ ମାସ ଆରମ୍ଭରୁ ହୋଇଥିଲା, ଯାହାକି ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ସ୍ଥିତି ସେତେବେଳେ ଖରାପ ହୋଇଥିଲା, ଯେତେବେଳେ ଅଜଣା ବନ୍ଧୁକଧାରୀ ଛାତ୍ରଙ୍କର ଏକ ଗ୍ରୁପ ଉପରକୁ ଗୁଳିମାଡ଼ କରିଥିଲା।ଯେଉଁଥିରେ ଜଣେ ଛାତ୍ର ଆହତ ହୋଇଯାଇଥିଲେ।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖିପାରିବେ ଯେ, ମୁଜଫରାବାଦରେ ଜଣେ ବ୍ୟକ୍ତି ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ କରୁଛି। ଯାହାଫଳରେ ପୁରା ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳୁଛି। ଏହି ଘଟଣା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଘଟିଥିଲା। ଏହାପରେ ଆନ୍ଦୋଳନକୁ ମିଳିଥିଲା ଟର୍ଣ୍ଣିଂ ପଏଣ୍ଟ। ଅସନ୍ତୁଷ୍ଟ ଛାତ୍ର ଟାୟାର ଜାଳିବା ସହ ଭଙ୍ଗାରୁଜା କରିଥିଲେ। ପାକିସ୍ତାନ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହି ପ୍ରଦର୍ଶନରେ ନେପାଳ ଓ ବାଂଲାଦେଶରେ ହୋଇଥିବା ‘ଜେନ୍-ଜି’ ଆନ୍ଦୋଳନର ଝଲକ ଦେଖିବାକୁ ମିଳୁଛି।



