ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ୨ମାସ ତଳେ ଚନ୍ଦ୍ରଯାନ-୨କୁ ଚନ୍ଦ୍ରପୃଷ୍ଠକୁ ପଠାଇବା ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମକୁ ଅବତରଣ କରାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଏଥିରେ ସଫଳତା ମିଳି ନ ଥିଲେ ହେଁ, ବର୍ତ୍ତମାନ ଇସ୍ରୋ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି। ଇସ୍ରୋ ପିଏସଏଲଭି-ସି ୪୭ ଜରିଆରେ ଭାରତୀୟ ସୀମା ଉପରେ ନଜର ରଖିବା ଲାଗି କାର୍ଟୋସାଟ୍-୩ ସହିତ ଆମେରିକାର ୧୩ଟି ନାନୋ ସାଟେଲାଇଟ୍ ସଫଳତାର ସହିତ ଉତ୍କ୍ଷେପଣ କରିଛି। ଫଳରେ ୨ ଦଶକ ଅର୍ଥାତ ୨୦ ବର୍ଷ ମଧ୍ୟରେ ଭାରତ ୩୩ଟି ଦେଶର ୩୦୦ରୁ ଅଧିକ ସାଟେଲାଇଟ୍ ଉତ୍କ୍ଷେପଣ କରିବାର ସଫଳତା ହାସଲ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ପିଏସଏଳଭି-ସି ୪୭ ଜରିଆରେ ସ୍ବଦେଶୀ କାର୍ଟୋସାଟ୍-୩ ସାଟେଲାଇଟ୍ ଏବଂ ଆମେରିକାର ୧୩ଟି ନାନୋ ସାଟେଲାଇଟକୁ ସଫଳତାପୂର୍ବକ ଉତ୍କ୍ଷେପଣ କରିଥିବାରୁ ମୁଁ ଇସ୍ରୋ ଟିମ୍କୁ ଶୁଭେଚ୍ଛା ଜଣାଉଛି। ଇସ୍ରୋ ପୁଣି ଥରେ ଦେଶକୁ ଗୌରବାନ୍ବିତ କରିଛି। ସୂଚନାଯୋଗ୍ୟ, ଗତ ବୁଧବାର ଶ୍ରୀହରିକୋର୍ଟସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୪୭ ଉତ୍କ୍ଷେପଣର ୧୭ ମିନିଟ ପରେ କାର୍ଟୋସାଟ୍-୩ ମହାକାଶର ୫୦୯ କିଲୋମିଟର ଦୂର କକ୍ଷରେ ସଫଳତାର ସହିତ ସ୍ଥାପିତ ହୋଇଥିଲା। ଏହାର ୧୦ ମିନିଟ ପରେ ଆମେରିକାର ୧୩ଟି ନାନୋ ସାଟେଲାଇଟ୍କୁ ପର୍ଯ୍ୟାୟକ୍ରମେ ନିଜ ନିଜ କକ୍ଷପଥରେ ସ୍ଥାପନ କରାଯାଇଥିଲା। କାର୍ଟୋସାଟ୍-୩ ଶତ୍ରୁ ପକ୍ଷର ସମସ୍ତ ଗତିବିଧି ଉପରେ ନଜର ରଖିବ।



