ଇସ୍ରାଏଲ ବିରୋଧରେ ବର୍ଷା ଚୋରି ଅଭିଯୋଗ ଆଣିଲେ ଇରାନ ଅଧିକାରୀ!

0

ତେହେରାନ୍‍ : ସମ୍ପ୍ରତି ଇରାନ୍‍ରେ ମରୁଡି ସଂକଟ ଲାଗି ରହିଛି। ଏଠାକାର ଲୋକେ ଆତୁରତାର ସହ ବର୍ଷା ଅପେକ୍ଷାରେ ଅଛନ୍ତି; କିନ୍ତୁ ଅସ୍ୱାଭାବିକ ପାଣିପାଗରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ଏଭଳି ପରିସ୍ଥିତିର କାରଣ କ’ଣ ଜାଣିବା ଲାଗି ବିଭାଗୀୟ ଅଧିକାରୀମାନେ ଉଦ୍ୟମ ଚଳାଇଥିବା ବେଳେ ଇରାନର ଜଣେ ପ୍ରତିରକ୍ଷା ଅଧିକାରୀ ଏକ ଅଜବ ଅଭିଯୋଗ ଆଣିଛନ୍ତି। ଇରାନ୍‍ ଆକାଶରୁ ଇସ୍ରାଏଲ୍‍ ବର୍ଷା ଏବଂ ତୁଷାର ଚୋରି କରିନେଉଛି ବୋଲି ଇରାନ ସିଭିଲ୍‍ ଡିଫେନ୍ସ ସଂସ୍ଥା ମୁଖ୍ୟ ବ୍ରିଗେଡିୟର ଜେନେରାଲ ଘୋଲାମ ରୋଜା ଜଲାଲି ଅଭିଯୋଗ କରିଛନ୍ତି। ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନ ଲାଗି ସେ ଇସ୍ରାଏଲ୍‍କୁ ଦାୟୀ କରିଛନ୍ତି। ଏକ ସାମ୍ବାଦିକ ସମ୍ମଳିନୀରେ ସେ କହିଛନ୍ତି, ଇରାନ୍‍ରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ପଛରେ ବିଦେଶୀ ଶକ୍ତିର ହାତ ରହିଛି। ଇସ୍ରାଏଲ୍‍ ଏହାର ପଡୋଶୀ ରାଷ୍ଟ୍ର ସହିତ ମିଶି ଇରାନ୍‍ରେ ଯେଭଳି ବର୍ଷା ନ ପହଞ୍ଚେ ସେଥିନେଇ ଷଡ଼ଯନ୍ତ୍ର କରିଛି। ଏ ନେଇ ଗବେଷକଙ୍କ ନିକଟରେ ପ୍ରମାଣ ରହିଛି। ଇରାନ୍‍ ଗବେଷଣା ସଂସ୍ଥା ଚାହିଁଲେ ଏହି ତଥ୍ୟର ସତ୍ୟାସତ୍ୟ ଯାଞ୍ଚ କରିପାରନ୍ତି ବୋଲି ଜଲାଲି ଦର୍ଶାଇଛନ୍ତି। ଆଫଗାନିସ୍ତାନ ଏବଂ ମଧ୍ୟପ୍ରାଚ୍ୟ ମଧ୍ୟବର୍ତ୍ତୀ ୨,୨୦୦ ମିଟର ଉଚ୍ଚ ପାର୍ବତ୍ୟାଞ୍ଚଳ ବରଫରେ ଆଚ୍ଛାଦିତ ଥିବା ବେଳେ ଇରାନ୍‍ ବରଫ ଦେଖିବାରୁ ବଞ୍ଚିତ ବୋଲି ସେ ଦର୍ଶାଇଛନ୍ତି। ଜଲାଲିଙ୍କ ଏଭଳି ଆଶ୍ଚର୍ଯ୍ୟଜନକ ଅଭିଯୋଗକୁ ନେଇ ଇରାନ୍‍ ପାଣିପାଗ ବିଭାଗ ସନ୍ଦେହ ମଧ୍ୟରେ ରହିଛି। ଖାଲି ଇରାନ୍‍ ନୁହେଁ; ବରଂ ସମଗ୍ର ବିଶ୍ୱରେ ମରୁଡି ଏବେ ବଡ଼ ସମସ୍ୟା ପାଲଟିଛି। ତେବେ ଜଲାଲି କେଉଁ ଆଧାରରେ ଏଭଳି ଅଭିଯୋଗ ଆଣିଛନ୍ତି ତାହା ଜଣା ନାହିଁ; ମାତ୍ର କୌଣସି ରାଷ୍ଟ୍ର ବାଦଲ କିମ୍ବା ତୁଷାର ଚୋରି କରିବା ସମ୍ଭବ ନୁହେଁ ବୋଲି ଇରାନ ପାଣିପାଗ ବିଭାଗ ସେବା ମୁଖ୍ୟ ଆହଦ ଭାଜିଫେ କହିଛନ୍ତି।

kalyan agarbati
Leave A Reply