ଇସ୍ରାଏଲ-ହମାସ ଯୁଦ୍ଧ : ହଜାରେ ଟପିଲା ମୃତ୍ୟୁସଂଖ୍ୟା

ଶତାଧିକ ଇସ୍ରାଏଲ ନାଗରିକ ପଣବନ୍ଦୀ, ଯୁଦ୍ଧରେ ହେଜବୋଲ୍ଲା ସାମିଲ, ଇସ୍ରାଏଲକୁ ୮୦୦କୋଟି ଡଲାର ସାମରିକ ସହାୟତା ଦେଲା ଆମେରିକା, ହମାସ ସପକ୍ଷରେ ବାହାରିଲା ଇରାନ

ତେଲ ଆବିଭ୍‌  : ଇସ୍ରାଏଲ ସେନା ଓ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ହମାସ’ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ରବିବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଶନିବାର ହମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ସହିତ ହମାସ ଅଧ୍ୟୁଷିତ ଗାଜା ସହର ଉପରେ ପ୍ରତିଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ଉଭୟ ଆକାଶ ଓ ସ୍ଥଳ ମାର୍ଗରେ ଆକ୍ରମଣ କରିଛି। ଏହି ଯୁଦ୍ଧରେ ଉଭୟ ପକ୍ଷରୁ ୧୦୦୦ରୁ ଅଧିକ ସାଧାରଣ ଲୋକ ଓ ସୈନିକ ପ୍ରାଣ ହରାଇଲେଣି। ଏଥିରେ ଇସ୍ରାଏଲର ୬୦୦ରୁ ୭୦୦ ନାଗରିକ ଓ ସୈନିକ ପ୍ରାଣ ହରାଇଥିବାବେଳେ ହମାସର ୩୦୦ରୁ ଅଧିକ ଯୋଦ୍ଧା ପ୍ରାଣ ହରାଇଛନ୍ତି। ଶନିବାର ଇସ୍ରାଏଲ ମଧ୍ୟକୁ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀମାନେ ଏବେ ବିଭିନ୍ନ ସ୍ଥାନରେ ଲୁଚି ରହିଛନ୍ତି। ସେମାନେ ଶତାଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଆତଙ୍କବାଦୀଙ୍କ କବଳରେ ପଣବନ୍ଦୀ ଥିବା ନାଗରିକମାନଙ୍କୁ ମୁକ୍ତ କରିବା ଲାଗି ଇସ୍ରାଏଲ ସେନା ଅଭିଯାନ ଚଳାଇଛି।
ଅନ୍ୟପଟେ ହମାସର ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଲେବାନନର ହେଜବୋଲ୍ଲା ଗୋଷ୍ଠୀ ନିଜକୁ ସାମିଲ କରିଛି। ହମାସ ଭଳି ହେଜବୋଲ୍ଲା ଏକ ରାଜନୈତିକ ଓ ସୁନ୍ନି ଇସଲାମିକ ଆତଙ୍କବାଦୀ ସଂଗଠନ। ହେଜବୋଲ୍ଲା ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ ରକେଟ ମାଡ କରାଯାଇଛି। ଇସ୍ରାଏଲ ଏହାର ଜବାବ ଦେବାକୁ ଯାଇ ହେଜବୋଲ୍ଲା ସଂଗଠନର ଆଡ୍ଡାସ୍ଥଳଗୁଡିକ ଉପରେ ଆକ୍ରମଣ କରିଛି। ହମାସ ସଶସ୍ତ୍ର ବାହିନୀର ନେତା କ୍ବାସମ ବ୍ରିଗେଡ କହିଛନ୍ତି ଯେ ସେମାନଙ୍କର ଯୋଦ୍ଧାମାନେ ଏବେ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଚଳାଇଛନ୍ତି। ରିପୋର୍ଟ ଅନୁଯାୟୀ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ୬୦୦ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଲେଣି। ସେହିପରି ଇସ୍ରାଏଲ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଯୁଦ୍ଧ ‘ଅପରେସନ୍‌ ଆଇରନ୍‌ ସୋର୍ଡସ୍‌’ ରେ ୩୦୦ରୁ ଅଧିକ ହମାସ ଯୋଦ୍ଧା ପ୍ରାଣ ହରାଇଲେଣି। ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଆକ୍ରମଣ ଜୋରଦାର କରାଯାଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ‘ଷ୍ଟେଟ୍‌ ଅଫ୍‌ ୱାର’ ଘୋଷଣା କରିଥିବାବେଳେ ଯୁଦ୍ଧରେ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଯୁଦ୍ଧକୁ ନେଇ ଇସ୍ରାଏଲ ଏହାର ନାଗରିକଙ୍କୁ ସତର୍କ କରାଇଛି। ନାଗରିକମାନଙ୍କୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଲୋକମାନଙ୍କୁ ବୋମା ନିରୋଧୀ ଆଶ୍ରୟସ୍ଥଳରେ ରହିବାକୁ କୁହାଯାଇଛି। ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୟାଡ ମୋରଡେଚାଇ, ନେଟିଭ ହାସାରା, କିବୁଜ ନିର ଆମ, ସେଡର୍ଟ ଆଦି ଅଞ୍ଚଳରେ ରକେଟ୍‌ ସାଇରନ ଶୁଣିବାକୁ ମିଳିଛି।
ଇସ୍ରାଏଲ ସେନା ମୁଖପାତ୍ର ସାମାଜିକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ଏକ ଦୀର୍ଘ ଓ କଷ୍ଟକର ଯୁଦ୍ଧର ସମ୍ମୁଖୀନ ହୋଇଛନ୍ତି। ଆଉ ଏହି ଯୁଦ୍ଧରେ ସେ ତାଙ୍କର ଲକ୍ଷ୍ୟକୁ ହାସଲ କରିବେ। ଇସ୍ରାଏଲର ଏହି ଯୁଦ୍ଧରେ ଭାରତ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବାକୁ କହିଛି। ସେହିପରି ଆମେରିକା ମଧ୍ୟ ଇସ୍ରାଏଲ ସପକ୍ଷରେ ବାହାରିଛି। ପ୍ରାଥମିକ ପର୍ଯ୍ୟାୟରେ ଆମେରିକା ଯୁଦ୍ଧ ସହଯୋଗ ଲାଗି ଇସ୍ରାଏଲକୁ ୮୦୦କୋଟି ଡଲାର ଜରୁରୀ ସହାୟତା ଘୋଷଣା କରିଛି। ଏହା ସହିତ ରାଷ୍ଟ୍ରପତି ବାଇଡେନ ଟେଲିଫୋନ ଯୋ​‌େ​‌ଗ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ସହଯୋଗ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ବାଇଡେନ କହିଛନ୍ତି ଯେ ଇସ୍ରାଏଲ ନିଜର ଆତ୍ମରକ୍ଷା ପାଇଁ ଯୁଦ୍ଧ କରିବା ଯଥାର୍ଥ।
ଅନ୍ୟପଟେ ହମାସ ଗୋଷ୍ଠୀକୁ ଇରାନ ସମର୍ଥନ ଘୋଷଣା କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ଉପରେ ହମାସ ଯେଉଁ ଆକ୍ରମଣ କରିଛି ତାହା ଆତ୍ମରକ୍ଷା ଲାଗି ଉଦ୍ଦିଷ୍ଟ। ପାଲେଷ୍ଟାଇନ ସମର୍ଥିତ ଏହି ଆକ୍ରମଣକୁ ଇରାନ ସମର୍ଥନ କରୁଛି। ଏପରିକି ସମସ୍ତ ମୁସଲମାନ ରାଷ୍ଟ୍ର ଏହି ଯୁଦ୍ଧରେ ହମାସକୁ ସମର୍ଥନ କରିବା ଲାଗି ଇରାନ କହିଛି। ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରୈସି କହିଛନ୍ତି ଯେ ପାଲେଷ୍ଟାଇନ ନାଗରିକ ନିଜର ଆତ୍ମରକ୍ଷା ଲାଗି ଲଢେଇ କରିବା ଯଥାର୍ଥ। ଏହି ଯୁଦ୍ଧକୁ ନେଇ ତେଲ ଆବିଭସ୍ଥିତ ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ସତର୍କତା ଜାରି କରିଛି। ଜରୁରୀ ପରିସ୍ଥିତିରେ ଦୂତାବାସକୁ ଫୋନ କରିବା ଲାଗି ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ରବିବାର ୨୭ଜଣ ଭାରତୀୟ ନାଗରିକ ଇସ୍ରାଏଲରୁ ସୁରକ୍ଷିତ ଫେରିଛନ୍ତି।

Comments are closed.