ଜନ୍ମଦିନରେ ଉତ୍କଳମଣିଙ୍କୁ ପ୍ରଣିପାତ
ସେବା ହିଁ ଥିଲା ତାଙ୍କ ଧର୍ମ ଓ କର୍ମ ଥିଲା ପରାଧୀନତାରୁ ମୁକ୍ତି ପାଇଁ ସଂଗ୍ରାମ, ସମାଜର ବିକାଶ
୧୮୭୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଉତ୍କଳର ଯୋଗଜନ୍ମା ସାଧକ, ଦରିଦ୍ରର ବନ୍ଧୁ, ବନ୍ୟା, ଦୁର୍ଭିକ୍ଷ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଭାବେ ମୃତ୍ୟୁବରଣ କରୁଥିବା ଓଡ଼ିଶାବାସୀଙ୍କ ପାଇଁ ରାହା ବନିଥିବା ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ ଦାସ। ପିତା ଦୈତ୍ୟାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀଙ୍କ କୋଳମଣ୍ଡନ କରି ଜନ୍ମ ନେଇଥିବା ଏହି ମହାନ ଦେଶଭକ୍ତ, ଭାଷାପ୍ରେମୀଙ୍କ ଆବିର୍ଭାବ ସତେ ଯେପରି ପରାଧୀନ ଉତ୍କଳରେ ଆଣିଥିଲା ସୂେର୍ଯ୍ୟାଦୟ ସହ ଅନ୍ୟ ଏକ ତେଜଦୀପ୍ତ ଜ୍ୟୋତିର ଆଭା। ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ଜନ୍ମିତ ଏହି ମହାତ୍ମାଙ୍କ ସ୍ବଳ୍ପ ଜୀବନ କାଳର କଠିନ, ତଥା ଅବିଶ୍ବସନୀୟ ଦୁଃଖଦ ଘଟଣାବଳୀ ଆଲୋଚନା କଲେ ସେ ଯେ ଜନ୍ମରୁ ଦୁଃଖୀ ଥିଲେ ଏହା ସ୍ପଷ୍ଟ ହୋଇଥାଏ। ସେ ଜନ୍ମରୁ ଦୁର୍ବଳ ଥିଲେ। ହେଲେ ଏହି ଦୁର୍ବଳ ଶିଶୁଟିକୁ ବେଶି ଦିନ ଯାଏ ନିଜର ସ୍ନେହ, କରୁଣା ଦେଇପାରିନଥିଲେ ମାତା ସ୍ବର୍ଣ୍ଣମୟୀ। ପୁତ୍ର ଜନ୍ମ ଦେବା ପରେ ସେ ଅସୁସ୍ଥ ହୋଇପଡ଼ିଲେ ଓ ମାତ୍ର କେତୋଟି ଦିନ ଭିତରେ ନିଜର ପ୍ରାଣପ୍ରିୟ ଦୁର୍ବଳ ଶିଶୁଟିକୁ ଛାଡ଼ି ଆରପାରିକୁ ଚାଲିଗଲେ। ଅନାଥ ଗୋପବନ୍ଧୁଙ୍କୁ ନିଜ କୋଳକୁ ଉଠାଇ ନେଇ ବଞ୍ଚାଇଲେ ପିତାଙ୍କ ବାଲ୍ୟ ବିଧବା ଭଉଣୀ କମଳା ଦେବୀ। କେବଳ ଏତିକିରେ ଗୋପବନ୍ଧୁଙ୍କ ଦୁଃଖ ସରିନଥିଲା। ପରେପରେ କୈେଶାରରେ ତାଙ୍କ ପିତା ଦୈତ୍ୟାରୀଙ୍କ ପରଲୋକ ଘଟିଥିଲା। ପରେ ଭାଇ ନାରାୟଣଙ୍କର ପରଲୋକ, ତରୁଣ ବୟସରେ ଏକମାତ୍ର ପୁତ୍ର ଓ ପତ୍ନୀଙ୍କ ବିୟୋଗ ଭଳି ଦାରୁଣ ଦୁଃଖ ତାଙ୍କୁ ସହିବାକୁ ପଡ଼ିଥିଲା।
ହେଲେ ଏତେ ସବୁ କଷ୍ଟ ତାଙ୍କୁ ନିଜର ଲକ୍ଷ୍ୟ ପଥରୁ ଦୂରେଇ ପାରି ନଥିଲା। ସାରା ଜୀବନ ଦୁଃଖ ମଧ୍ୟରେ ଘାଣ୍ଟି ହୋଇଥିବା ଏହି ମହାମାନବଙ୍କ ପାଇଁ ସତେ ଯେପରି ସାରା ଓଡ଼ିଶାର ଦୁର୍ଗତ, ଅସହାୟ, ବୁଭୁକ୍ଷିତ ଲୋକେ ଥିଲେ ଅତି ଆତ୍ମୀୟ, ପରିବାରର ସଦସ୍ୟ ଭଳି। ଆଜୀବନ ସେ ସେହି ଲୋକମାନଙ୍କ ପାଇଁ ଲଢ଼େଇ କରିଥିଲେ। ଜୀବନର ସବୁକିଛି ଅର୍ପଣ କରିଥିଲେ। ସେବା ହିଁ ଥିଲା ତାଙ୍କ ଧର୍ମ ଓ କର୍ମ ଥିଲା ପରାଧୀନତାରୁ ମୁକ୍ତି ପାଇଁ ସଂଗ୍ରାମ ଓ ସମାଜର ବିକାଶ। ଦୁର୍ଗତକୁ ଦେଖିଲେ ତାଙ୍କ ଆଖିରୁ ଝରୁଥିଲା ଅବାରିତ ଲୁହ ଝରୁଥିଲା।
ତାଙ୍କର ଘଟଣା ବହୁଳ ମାତ୍ର ୫୧ ବର୍ଷର ସ୍ବଳ୍ପ ଜୀବନ କାଳ କିପରି କଟିଥିଲା ସେ ବିଷୟରେ ପର୍ଯ୍ୟାଲୋଚନା କଲେ ଏହି ଦେଶପ୍ରେମୀ ସେବକଙ୍କ ଜୀବନର ଅନେକ ନିଷ୍ଠାପର କାର୍ଯ୍ୟର ଚିତ୍ର ଉଦ୍ଭାସିତ ହୋଇଥାଏ। ଛାତ୍ର ଜୀବନର କଥା। ସେ ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିବାବେଳେ ହଇଜା ଲାଗି ଶହଶହ ଲୋକ ମୃତ୍ୟୁବରଣ କରି ଏଣେତେଣେ ରାସ୍ତାକଡ଼ରେ ପଡ଼ିଥିବା ଓ ହଜାରହଜାର ଲୋକ ଆକ୍ରାନ୍ତ ହେବା ଦେଖିଥିଲେ। ମୃତ ବ୍ୟକ୍ତିଙ୍କ ଶବ ଏଣେତେଣେ ପଡ଼ି ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ୁଥିଲା। ସେ ସମୟରେ ‘ପୁରୀ ସେବା ସମିତି’ ଗଠନ କରି ନିଜେ କେତେଜଣ େସ୍ବଚ୍ଛାସେବୀଙ୍କ ସହ ପ୍ରାୟ ୧୭ ଦିନ କାଳ ସବୁ ଶବ ପୋଡ଼ିବା ଥିଲା ତାଙ୍କ ସେବା କାର୍ଯ୍ୟର ଏକ ବିରଳ ଚିତ୍ର।
ସମାଜସେବା ପାଇଁ ଛାତ୍ରାବସ୍ଥାରେ ଶପଥ ଗ୍ରହଣ ମଧ୍ୟ ତାଙ୍କୁ ମହାତ୍ମା ଆସନ ଦେଇଥାଏ। ଭାର୍ଗବୀ ନଦୀ କୂଳରେ ଥିବା ଜାଗେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଗୋପବନ୍ଧୁ ସାପ୍ତାହିକ ଭାଗବତ ପାରାୟଣ ଆୟୋଜନ କରିଥାଆନ୍ତି। ଗୋଟିଏ ଦିନ ହରିହର, ନୀଳକଣ୍ଠ ଦାସ ଓ ଅନନ୍ତ ମିଶ୍ର ସେଠାରେ ପହଞ୍ଚିଥିଲେ। ଉତ୍କଳମଣିଙ୍କ ଅନୁରୋଧରେ ସମସ୍ତେ ନଦୀକୂଳକୁ ଗଲେ। ନଦୀକୂଳରେ ସମସ୍ତେ ବସିଥିବାବେଳେ ଗୋପବନ୍ଧୁ ନଦୀ ଆରପାରିରେ ଥିବା ବେଲପୁର ଗ୍ରାମରେ ଲାଗିଥିବା ହଇଜାରେ କେତେ ଯେ ଲୋକ ମଲେଣି ଓ ଶ୍ମଶାନରେ ଶବପୋଡ଼ା ପାଇଁ ଲାଗିଥିବା ନିଆଁ ଲିଭୁନଥିବା କହି ବିଲୁଆ, କୁକୁରମାନେ ନଦୀକୂଳରେ ଶବକୁ ଖାଉଥିବାର ଦୃଶ୍ୟ ବନ୍ଧୁମାନଙ୍କୁ ଦେଖାଇ ଥିଲେ। ସେ ପ୍ରଶ୍ନ କରିଥିଲେ ଏ ସମୟରେ ଆମର କର୍ତ୍ତବ୍ୟ କ’ଣ? ତାଙ୍କ ମତରେ ଆମେ ଶିକ୍ଷିତ ହେଲେ ମଧ୍ୟ ସରକାରୀ ଚାକିରି କରିବା ନାହିଁ। ଚାଲ ଶପଥ ନେବା, ଗରିବ, ଦୁର୍ଗତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା। ୪ ବନ୍ଧୁ ସେଠାରେ ଶପଥ କଲେ ଏବଂ ବଞ୍ଚିଥିବା ଯାଏ ଶପଥ ରଖି ଜାତିର ସେବାରେ, ଭାଷାର ବିକାଶରେ ସର୍ବୋପରି ଗରିବଙ୍କ ସେବା କାର୍ଯ୍ୟରେ ନିୟୋଜିତ ରହି ଜାତିର ଇତିହାସରେ ଏକ ବିରଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କଲେ। ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଗାନ୍ଧିଜୀଙ୍କର ଗୋପବନ୍ଧୁଙ୍କୁ ଉଚ୍ଚ ପ୍ରଶଂସା, ଜେଲ ଜୀବନ, ଆଇନ ବିଶାରଦ ଭାବେ ସେବା କାର୍ଯ୍ୟ ସର୍ବୋପରି କଲକାତାର ନିଷ୍ପେଷିତ ଓଡ଼ିଆଙ୍କ ବସ୍ତିରେ ନିଜର ଅସୁସ୍ଥତା ସତ୍ତ୍ବେ ୩ ଦିନ ରହି ନିଜ ଜୀବନକୁ ବିପନ୍ନ କରି ଜ୍ବରରେ ପୀଡ଼ିତ ହୋଇ ଅସମୟରେ ଅକାଳରେ ମୃତ୍ୟୁ ହିଁ ତାଙ୍କର ‘ସେବା ଆଗ, ଅନ୍ୟ ସବୁ ପଛ’ ନୀତିକୁ ସୂଚାଇଥାଏ। ୧୯୨୩ରେ ହଜାରିବାଗ ଜେଲରେ ରହି ୧୯୨୪ ଜୁନ ୨୬ ତାରିଖରେ ସେ ୭ମାସ ମୁକୁଳିବା ପରେ କଟକଠାରେ ଅନୁଷ୍ଠିତ ଉତ୍କଳ ପ୍ରାଦେଶିକ ସମ୍ମିଳନୀରେ ପ୍ରସିଦ୍ଧ ନେତା ଓ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ସଭାକୁ ପାଛୋଟି ନେଇ ଭାଷଣ ଆରମ୍ଭରୁ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ବୋଲି ସମ୍ବୋଧନ କରି ଓଡ଼ିଶାବାସୀଙ୍କୁ କୃତାର୍ଥ କରିଥିଲେ। ଲୋକଙ୍କୁ ସ୍ବାଧୀନତା ସଂଗ୍ରାମର ବାର୍ତ୍ତା ଜଣାଇବା ସହ ଇଂରେଜ ସରକାରଙ୍କୁ ଲୋକଙ୍କ ଅବସ୍ଥା ସମ୍ପର୍କରେ ସଚେତନ କରାଇବାକୁ ‘ସମାଜ’ ସମ୍ବାଦପତ୍ର ପ୍ରକାଶନ ସହ ସତ୍ୟବାଦୀରେ ବନ ବିଦ୍ୟାଳୟ ପ୍ରତିଷ୍ଠା ଭଳି କାର୍ଯ୍ୟ ଉତ୍କଳମଣିଙ୍କ ସାଧନାର ଗୋଟିଏ ଗୋଟିଏ ସ୍ମାରକୀ । ସେପରି ଦରଦୀ ମଣିଷ ଏବେ ବିରଳ। ରାଜ୍ୟବାସୀଙ୍କ ସୁଖ ଦୁଃଖର ସାଥୀ- ମହାନ ଓଡ଼ିଆ ପ୍ରାଣ ଜନସେବକଙ୍କ ପବିତ୍ର ଜନ୍ମ ଦିବସରେ ଆଜି ପ୍ରଣିପାତ କରୁଛୁ।
Comments are closed.