www.samajalive.in
Monday, December 15, 2025
17.1 C
Bhubaneswar

ବକୁଳ ବନର ବୈରାଗୀ

ସତ୍ୟବାଦୀର ସନ୍ଥ ପଣ୍ଡିତ ଗୋପବନ୍ଧୁ ଦାସ। ଜଣେ ଶୁଚିନିଷ୍ଟ ଓ ସତ୍ୟସନ୍ଧାନୀ କର୍ମବୀର। ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ ସହିତ ନିବିଡ଼ ଭାବେ ଯୋଡ଼ିହୋଇ ରହିଥିବା ଋଷିପ୍ରାଣ ଗୋପବନ୍ଧୁଙ୍କ ଜୀବନ ଥିଲା ସେବା ଓ ତ୍ୟାଗର ଏବ ଅନିର୍ବାଣ ଯଜ୍ଞ। ରାଜନୀତି, ସାମ୍ବାଦିକତା ଓ ସାହିତ୍ୟ ସାଧନା ଆଦି ସେ ଯଜ୍ଞର ଏକ ଏକ ମହିମାମୟ ଅଧ୍ୟାୟ।
ଶୈଶବରୁ ମାତୃହରା ଗୋପବନ୍ଧୁ ସୁଆଣ୍ଡୋ ଗ୍ରାମର ସ୍ରୋତସ୍ୱିନୀ ଭାର୍ଗବୀକୁ ମାତୃଜ୍ଞାନ କରି ପାଇଥିଲେ କରୁଣାର ଝର ଭଳି କଲ୍ୟାଣ ବିତରି ଯିବାର ପ୍ରେରଣା। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ି ଲଭିଥିଲେ ଆଧ୍ୟାତ୍ମିକ ଜୀବନ ଦର୍ଶନ ଓ ନିଷ୍କାମ କର୍ମଯୋଗର ଉଦ୍ଦୀପନା। ଉପନିଷଦ ତାଙ୍କୁ ଦେଇଥିଲା ନିର୍ଲିପ୍ତ ସାଧନା ମଧ୍ୟରେ ଅନ୍ତର୍ଜ୍ୟୋତିକୁ ନିରୀକ୍ଷଣ କରିବାର ଦିବ୍ୟଦୃଷ୍ଟି। ପୁଣ୍ୟ ନୀଳାଚଳର ଘଣ୍ଟା ଧ୍ୱନି ତାଙ୍କୁ ଶୁଣେଇଥିଲା ସାମ୍ୟ, ମୈତ୍ରୀ ଓ ସମନ୍ୱୟର ମନ୍ତ୍ର। ନିରନ୍ନ ଓ ଅସହାୟ ମଣିଷ ପାଖରେ ଠିଆ ହେବା ଏବଂ ତା ଆଖିରୁ ଲୁହ ପୋଛିଦେବା ଯଦି ମାନବିକତାର ପ୍ରଥମ ପାହାଚ ହୁଏ, ତେବେ ଏହାକୁ କେତେ ନିଷ୍ଠା ଓ ଶ୍ରଦ୍ଧାର ସହିତ ସମ୍ପାଦନ କରାଯାଇପାରେ, ତାହା ଜଗତକୁ ଦେଖେଇ ଦେଇଗଲେ କବି ଗୋପବନ୍ଧୁ।
ଉତ୍ସର୍ଗୀକୃତ ଜନସେବାରୁ ହଁ ଆରମ୍ଭ ଏହି ଆଦର୍ଶ ପୁରୁଷଙ୍କ ଆଦର୍ଶ କର୍ମସୂଚୀ। ୧୯୦୨ ମସିହାରେ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ସହ ମିଶି ଭାର୍ଗବୀ ତୀରରେ ଯେଉଁ ସେବା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଥିଲେ, ସେ ସଂକଳ୍ପରୁ ସେ ପଛକୁ ହଟିନାହାନ୍ତି ସାରା ଜୀବନ। ଛାତ୍ର ଜୀବନରୁ ତାଙ୍କ କିଶୋର ପ୍ରାଣକୁ ଜନସେବା ପାଇଁ ବ୍ୟାକୁଳ କରିଥିଲା ମୁକ୍ତାର ରାମଚନ୍ଦ୍ର ଦାସଙ୍କ ପ୍ରଭାବ ଓ ପ୍ରେରଣା। ସେ ପୁରୀ ଜିଲା ସ୍କୁଲର ଛାତ୍ର ଥିବାବେଳେ ରଥଯାତ୍ରା ସମୟରେ ହଇଜା ବ୍ୟାପିବାରୁ ପୁରୀର ରାସ୍ତା ଘାଟରେ ମରି ଶୋଇଲେ ଶହ ଶହ ଯାତ୍ରୀ। ଗୋପବନ୍ଧୁ ତତ୍‍କ୍ଷଣାତ୍‍ ସାଙ୍ଗସାଥୀମାନଙ୍କୁ ଏକାଠି କରି ଗଠନ କଲେ ‘ପୁରୀ ସେବା ସମିତି’ ନାମରେ ଏକ ସ୍ୱେଚ୍ଛାସେବୀ ସଂଗଠନ। ମାନବ ସେବା ହିଁ ମାଧବ ସେବା – ଏହି ମନ୍ତ୍ରରେ ସମସ୍ତଙ୍କୁ ଅଭିମନ୍ତ୍ରିତ କରି ଲାଗିପଡ଼ିଲେ ରୋଗୀସେବା ଓ ଶବ ସଂସ୍କାର କାର୍ଯ୍ୟରେ।
ବାସ୍ତବରେ ଗୋପବନ୍ଧୁ ଥିଲେ ଧର୍ମପ୍ରାଣ ମଣିଷ। ତାଙ୍କ ଧର୍ମର ସ୍ୱରୂପ ଥିଲା ଉଦାର ମାନବିକତା। “ଯେଉଁଠାରେ ଝଡ଼ି, ବଡ଼ି, ମଡ଼କ ଓ ମହାମାରୀ, ସେଠାରେ ଉଭା ଗୋପବନ୍ଧୁ। ଅନାହାର ଘୋଟିଯାଇଛି, ଚାରିଆଡ଼େ ହାହାକାର ମହାମାରୀ ବ୍ୟାପୀ ଯାଇଛି, ଲୋକେ ଝଡ଼ିପଡ଼ୁଛନ୍ତି – ଛାତ୍ର ଓ ସହକର୍ମୀମାନଙ୍କୁ ଧରି ପହଞ୍ଚିବେ ଗୋପବନ୍ଧୁ। ଝଡ଼ବର୍ଷା ହେଲେ ତାଙ୍କ ଆଖିରୁ ଝରେ ଲୋତକ।
ରାଜନୀତି କ୍ଷେତ୍ରରେ ସ୍ୱଚ୍ଛ ଓ ନୀତିନିଷ୍ଠ ଗୋପବନ୍ଧୁ ଥିଲେ ଏକ ବିରଳ ବ୍ୟକ୍ତି। ରାଜନୀତି ଅର୍ଥ ସେ ବୁଝିଥିଲେ ସେବା ଓ ତ୍ୟାଗ ବଳରେ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ନିରବଚ୍ଛିନ୍ନ ସଂଗ୍ରାମ। ୧୯୧୭ ମସିହାରେ ସେ ବିହାର ଓଡ଼ିଶା ବିଧାନସଭାରେ ସଦସ୍ୟ ଥିଲାବେଳେ ଓଡ଼ିଶାରେ ଦେଖାଦେଇଥିଲା ଭୟଙ୍କର ମରୁଡ଼ି ଓ ଦୁର୍ଭିକ୍ଷ। ଓଡ଼ିଶାର ଏହି ଦାରୁଣ ଦୁର୍ଭିକ୍ଷର ଚିତ୍ର ବିଧାନସଭାରେ ଉପସ୍ଥାପନ କଲାବେଳେ ଲୋକେ ଭୋକ ବିକଳରେ ଖାଉଥିବା କଳମଶାଗ, କଇଁନାଡ଼ ଓ କୁଣ୍ଡା ଆଦି ଦେଖେଇ ସେ ଏତେ ଭାବବିହ୍ୱଳ ହୋଇପଡ଼ିଥିଲେ ଯେ, କୋହ ସମ୍ଭାଳି ନପାରି କାନ୍ଦି ଉଠିଥିଲେ ଭୋ ଭୋ ହୋଇ।
ବନ୍ୟା, ମରୁଡ଼ି ଓ ରୋଗ ପ୍ରପୀଡ଼ିତ ମୁମୂର୍ଷୁ କଙ୍କାଳସାର ଓଡ଼ିଆ ଜାତି ପାଖରେ ଛିଡ଼ାହୋଇ ନିଜେ ଲୁହ ଝରାଇ ଏବଂ ଦୁର୍ଗତଙ୍କ ଆଖିରୁ ଲୁହ ପୋଛି ଦେଉଥିବା ଏହି ମଣିଷ ଜଣକ ନିଜକୁ କେବେ ନେତା ବୋଲି କହିନାହାନ୍ତି କି କେଉଁଠି ଦେଇନାହାନ୍ତି କର୍ମୀର ପରିଚୟ। ଅଥଚ ତାଙ୍କ ଛଳନାହୀନ ଓ ଅହଂକାର ଶୂନ୍ୟ ଅନ୍ତରର ଗଭୀରତମ ପ୍ରଦେଶରୁ ବାହାରି ଆସୁଥିବା କେଇପଦ କଥାରୁ ଛଳଛଳେଇ ଉଠୁଥିଲା ଜଣେ ସାଧାରଣ ମଣିଷର ଅସାଧାରଣ ବ୍ୟକ୍ତିତ୍ୱ। ଏହି ମହାପୁରୁଷଙ୍କ ଦୃଷ୍ଟିରେ ବ୍ୟକ୍ତି ନିଜ ପାଇଁ ନୁହେଁ, ଜାତି ପାଇଁ, ସମଷ୍ଟି ପାଇଁ ଜନ୍ମ। ଜଣକର ତ୍ୟାଗରେ, ତପସ୍ୟାରେ, ଅଭୀପ୍ସାରେ, ଉନ୍ନତ ଓ ସମୃଦ୍ଧ ହୁଏ ସମାଜ। ବିଶ୍ୱଠାରୁ ବିଶାଳ ଏହି ଭାବଧାରା ଯୋଗୁ ତାଙ୍କୁ ନିରନ୍ତର ଉଦ୍‍ବେଳିତ କରିଛି ଆପଣା ଜୀବନ ବିନିମୟରେ ଜାତୀୟ ଜୀବନକୁ ପରିପୁଷ୍ଟ କରିବାର ଏକ ସଂକଳ୍ପସ୍ନାତ ଅଭୀପ୍ସା। ସ୍ୱତଃ ତାଙ୍କ ଆତ୍ମା ପୁରୁଷ ଗାଇ ଉଠିଛି- ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’।
ଓଡ଼ିଶାରେ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ନିମନ୍ତେ ସେ ତତ୍ପର ହୋଇଉଠିଥିଲେ ଏବଂ ଓଡ଼ିଆଙ୍କ ସେବା ଓ ମାର୍ଗଦର୍ଶନ ନିମନ୍ତେ ଅନୁଭବ କରିଥିଲେ ଏକ ନିର୍ଭୀକ ସମ୍ବାଦପତ୍ରର ପ୍ରକାଶନର ଆବଶ୍ୟକତା। ଏ ଦିଗରେ ତାଙ୍କର ଐକାନ୍ତିକ ଉଦ୍ୟମ ଯୋଗୁ ୧୯୧୯ ମସିଆ ଅକ୍ଟୋବର ୪ ତାରିଖରେ ସତ୍ୟବାଦୀ ପ୍ରେସ୍‍ରୁ ଆତ୍ମପ୍ରକାଶ କରିଥିଲା ସାପ୍ତାହିକ ସମ୍ବାଦପତ୍ର ‘ସମାଜ’। ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ ସେ ସତ୍ୟବାଦୀ ପତ୍ରିକାରେ ଲେଖିଥିଲେ – ଯେଉଁମାନେ ନିରକ୍ଷର, ସେମାନଙ୍କ ବୁଝିବା ଭଳି ଭାଷାରେ ‘ସମାଜ’ ପ୍ରକାଶ ପାଇବ ଏବଂ ତାହା ନିରକ୍ଷର ଜନତାଙ୍କୁ ପାଠକରି ଶୁଣେଇବାର ଦାୟିତ୍ୱ ନେବେ ଶିକ୍ଷିତ ଲୋକମାନେ। ଅର୍ଥାତ୍‍ ‘ସମାଜ’ ହେବ ସାଧାରଣ ଜନତାଙ୍କ ମୁଖପତ୍ର ଏବଂ ନିରକ୍ଷର ଓଡ଼ିଆଙ୍କ ମାର୍ଗଦର୍ଶକ। ଏହି ଆଭିମୁଖ୍ୟ ନେଇ ‘ସମାଜ’ ଆତ୍ମପ୍ରକାଶ କରିଥିଲା ଏବଂ ତା’ର ପ୍ରକାଶନର ବର୍ଷକ ପରେ ସମ୍ପାଦକ ଗୋପବନ୍ଧୁ ଲେଖିଥିଲେ- ଜନସେବା ତଥା ଉତ୍କଳ ଖଣ୍ଡରେ ଜନଜାଗରଣ ନିମନ୍ତେ ‘ସମାଜ’ର ଉତ୍ପତ୍ତି।
ଏହି ମହାନାୟକଙ୍କ ମହାପ୍ରୟାଣ ପରେ ବି କେବେ ବ୍ୟର୍ଥ ଯାଇନି ତାଙ୍କର ମହାନ ଉଦ୍ଦେଶ୍ୟ। ଜନ୍ମଲଗ୍ନରୁ ଆଜି ପର୍ଯ୍ୟନ୍ତ ତା’ର ଦୀର୍ଘ ଶହେ ବର୍ଷର ଯାତ୍ରାକୁ ଅନୁଶୀଳନ କଲେ ଜଣାଯାଏ, ନିର୍ଭୀକ ସମ୍ବାଦ ପରିବେଷଣ ଦିଗରେ ଏହା ସାଜିଛି ଓଡ଼ିଆ ଜାତିର ‘ଜୀବନ ବେଦ’। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦୁର୍ଗତଙ୍କୁ ସହାୟତାର ହାତ ବଢାଇବା କ୍ଷେତ୍ରରେ ସେ ଏବେ ସୁଦ୍ଧା ସମାଜର ଆଶାବାଡ଼ି। ଆର୍ଥିକ ଫାଇଦା ହାସଲ ଲକ୍ଷ୍ୟରେ ‘ସମାଜ’ କେବେ ବିଜ୍ଞାପନ ପାଇଁ ସରକାରଙ୍କ ସହିତ ସାଲିସ କରିନାହିିଁ କି ବଢି ମରୁଡ଼ି ବେଳେ ଭୁଲିନାହିଁ ନିଜର ଗୁରୁ ଦାୟିତ୍ୱ।
ସତ୍ୟବାଦୀ ଥିଲା ସନ୍ଥ ଗୋପବନ୍ଧୁଙ୍କ ସାଧନା ପୀଠ। ସ୍ୱରାଜ୍ୟ ସାଧନ ପଥରେ ସହୃଦୟ ଓ କର୍ମନିଷ୍ଠ ଦେଶ ସେବକ ତିଆରି କରିବାର ଆବଶ୍ୟକତା ଅନୁଭବ କରି ସେ ସତ୍ୟବାଦୀରେ ପ୍ରତିଷ୍ଠା କରିଥିଲେ ବନବିଦ୍ୟାଳୟ। ଶିକ୍ଷାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଏଠାରେ ଖଞ୍ଜିଥିଲେ ଗୁରୁକୁଳ ଆଶ୍ରମର ଶୈକ୍ଷିକ ଶୃଙ୍ଖଳା। ଶିକ୍ଷା ସଂସ୍କାରକ ଗୋପବନ୍ଧୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଚୁମ୍ବକୀୟ ଆକର୍ଷଣ ଯୋଗୁ ବନ ବିଦ୍ୟାଳୟରେ ଯୋଗ ଦେଇଥିଲେ କବି ଦାର୍ଶନିକ ନୀଳକଣ୍ଠ, ସମାଜସେବୀ ହରିହର, କବି ନାଟ୍ୟକାର ଗୋଦାବରୀଶ ମିଶ୍ର, ଐତିହାସିକ କୃପାସିନ୍ଧୁ ପ୍ରମୁଖ ବହୁ ଆଦର୍ଶ ଓ ପ୍ରଜ୍ଞାଦୀପ୍ତ ଶିକ୍ଷକ। ସେମାନଙ୍କ ପାଣ୍ଡିତ୍ୟ ଓ ନିଷ୍ଠା ବଳରେ ଏକ ସାଂସ୍କୃତିକ ଜାଗରଣ ପୀଠରେ ପରିଣତ ହୋଇଥିଲା ସତ୍ୟବାଦୀ ବନବିଦ୍ୟାଳୟ।
ଏଠାରେ ସମାଜସେବା ଥିଲା ଶିକ୍ଷାର ପ୍ରଧାନ ଅଙ୍ଗ। ବନ୍ୟା, ବାତ୍ୟା ଓ ମଡ଼କ ଆଦି ପ୍ରାକୃତିକ ବିପଦ ବେଳେ ଛାତ୍ର ଶିକ୍ଷକ ଏକତ୍ର ହୋଇ ନିର୍ବାହ କରୁଥିଲେ ସ୍ୱେଚ୍ଛାସେବୀର ଭୂମିକା। ବାସ୍ତବରେ ଏ ଦେଶରେ ମଣିଷ ଗଢିବାର ବ୍ୟାପକ ପରିକଳ୍ପନାରେ ସତ୍ୟବାଦୀ ବନବିଦ୍ୟାଳୟ ଏକ ଖିଆଲ ନଥିଲା, ବରଂ ଏହା ଥିଲା ଜଣେ ମହାନ୍‍ ଶିକ୍ଷାବିତ୍‍ ତଥା ନିଷ୍ଠାପର ସଂଗଠକଙ୍କ ଉଦ୍ୟମରେ ଜୀବନ୍ୟାସ ନେଇଥିବା ବିଶ୍ୱର ପ୍ରଥମ ଆଦର୍ଶ ବିଦ୍ୟାଳୟ; କର୍ତ୍ତବ୍ୟ ସାଧନର ପାବନ ପୀଠ। ଏଠି ତିନିମହଲା କୋଠାଘର ନଥିଲା ବରଂ ବକୁଳ ଛୁରିଆନା ବୃକ୍ଷର ଏକ ମୁଗ୍ଧ ପ୍ରାକୃତିକ ପରିବେଶରେ ଖୋଲା ଆକାଶ ତଳେ ପ୍ରତିଷ୍ଠା ହୋଇଥିଲା ବନବିଦ୍ୟାଳୟ। ସେତେବେଳେ ବି ଖଳଲୋକ ଥିଲେ ଏବଂ ଖଳ ପ୍ରକୃତି ନେଇ ସେମାନେ ନିଆଁ ଲଗାଇ ଦେଇଥିଲେ ବହୁ କଷ୍ଟରେ ନିର୍ମିତ ଛାତ୍ରାବାସର ଚାଳଛପର ଘରେ। ଅପରାଧୀଙ୍କ ବିରୁଦ୍ଧରେ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ସତ୍ୟବାଦୀର ସନ୍ଥ ଗୋପବନ୍ଧୁ କହିଥିଲେ ଛାତ୍ରାବାସ ପାଇଁ ଆଉ ଏକ ଉନ୍ନତ ଗୃହର ଆବଶ୍ୟକତା ଦୃଷ୍ଟିରୁ ଏହା ବୋଧହୁଏ ବିଧି ନି‌େ‌ର୍ଦଷ। ଏଥିରୁ ସହଜରେ ବୁଝିହୁଏ, ତାଙ୍କର ପ୍ରତିକ୍ରିୟା କ୍ରୋଧରେ ନୁହେଁ, ଥିଲା ପ୍ରେରଣାରେ।
ପ୍ରାଚୀନ ଭାରତର ମୁନିଋଷିଙ୍କ ପରି ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀକୁ ଆପଣେଇ ନେଇଥିବା ବକୁଳ ବନର ବୈରାଗୀ ଗୋପବନ୍ଧୁଙ୍କ ଜୀବନ ଯେମିତି ସ୍ୱଚ୍ଛ ଓ ସରଳ, ତାଙ୍କ କାବ୍ୟ ସାଧନା ସେମିତି ସରଳ ଓ ନିରାଡ଼ମ୍ବର। ଅଥଚ ଅନ୍ତଃକରଣର ଐଶ୍ୱରିକ ଜ୍ୟୋତିରେ ଉଦ୍‍ଭାସିତ ସେ କୋମଳ କଳାପକ୍ଷର ସ୍ୱକୀୟ ସୌନ୍ଦର୍ଯ୍ୟ। ଏ ସୌନ୍ଦର୍ଯ୍ୟର ଆବେଦନ ଅତ୍ୟନ୍ତ ଗଭୀର ଓ ଗମ୍ଭୀର। ସେଥିରେ କଳ୍ପନାର ଅତିରଞ୍ଜନ ନାହିଁ, ଅଛି କେବଳ ତୀବ୍ର ଅନୁଭୂତି ଓ ଅଭିଜ୍ଞତାର ବିଶ୍ୱସ୍ତ ଭାବଲିପି।
ମାନବ ଜାତି ନିମନ୍ତେ ଆତ୍ମୋତ୍ସର୍ଗ ଏକ ସ୍ୱର୍ଗୀୟ, ଶାଶ୍ୱତ ଓ ଅନାବିଳ ଅନୁଭବ। ସେ ଦିବ୍ୟ ଅନୁଭବର ବାହକ ଥିଲେ ସନ୍ଥ ଗୋପବନ୍ଧୁ। ସେହି ଅନୁଚିନ୍ତନର ମାର୍ମିକ ଗୀତିମୟ ଗାୟତ୍ରୀ ହୋଇ ଆତ୍ମପ୍ରକାଶ କରିଛି କବିଙ୍କ ‘ଅବକାଶ ଚିନ୍ତା’, ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’, ‘ଗୋ ମାହାତ୍ମ୍ୟ’, ‘କାରା କବିତା’ ଓ ‘ନଚିକେତା ଉପାଖ୍ୟାନ’ ଓ ଅନ୍ୟାନ୍ୟ କବିତାବଳୀ। ସତ୍ୟ ଓ ମାନବିକତାର ଉନ୍ମେଷ ପାଇଁ ଲେଖନୀ ଧରିଥିଲେ ଭାଗବତ ପୁରୁଷ ଗୋପବନ୍ଧୁ। ତେଣୁ ଚିରନ୍ତନ ସତ୍ୟ ଉପରେ ପ୍ରତିଷ୍ଠିତ ଆଦର୍ଶବୋଧ ହିଁ ତାଙ୍କ ସାହିତ୍ୟର ଆତ୍ମା।
ବନ୍ଦୀଶାଳାରେ ସେ ଲେଖିଥିଲେ ମାନବିକତାର ମହାମନ୍ତ୍ର ବନ୍ଦୀର ଆତ୍ମକଥା। ଅତୁଳନୀୟ ସେ କବିତାବଳୀ। ସେଥିରେ ବୋଳିହୋଇ ଯାଇଛି ଜଣେ ବିଶ୍ୱପ୍ରାଣ ସେବକ ହୃଦୟରୁ ନିଃସୃତ ମାନବିକତାର ସୁବିପୁଳ ସୌରଭ। ସେ ସୌରଭ କଥା ଭାବିଲେ ଏକ ଅନିର୍ବଚନୀୟ ଆନନ୍ଦ ଓ ଆଶ୍ଚର୍ଯ୍ୟରେ ଭରିଯାଏ ଅନ୍ତର। ବୁଝିହୁଏ ନାହିଁ ପରାଧୀନ ଭାରତର, ଖଣ୍ଡିତ ଉତ୍କଳର ଏକ ଅଖ୍ୟାତ ଗ୍ରାମ ସୁଆଣ୍ଡୋରେ ଜନ୍ମ ହୋଇଥିବା ଜଣେ ସନ୍ତାନ ବିଶ୍ୱମାନବରେ ରୂପାନ୍ତରିତ ହେଲେ କେମିତି ? କେମିତି ସେ ଲେଖିପାରିଲେ-
“ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ।”(ଅବକାଶ ଚିନ୍ତା)
ଗୋପବନ୍ଧୁ ଥିଲେ ଆଧ୍ୟାତ୍ମିକ ପ୍ରଭାଯୁକ୍ତ ମଣିଷ। ଶିବମୟ ଉପାଦାନରେ ଗଢା ତାଙ୍କ ବିଶ୍ୱଦରଦୀ ପ୍ରାଣ। ତେଣୁ ତାଙ୍କ କାବ୍ୟ ଚେତନାର ମୂଳ ସ୍ତମ୍ଭ ହୋଇ ଠିଆ ହୋଇଛି ଆଧ୍ୟାତ୍ମିକ ତନ୍ମୟତା। ଗଭୀର ଈଶ୍ୱରାନୁରାଗ ଯୋଗୁ ସେ ପ୍ରତ୍ୟେକ ମଣିଷ, ଜୀବଜନ୍ତୁ, ବୃକ୍ଷଲତା, ନଦନଦୀ ଏବଂ ଏପରିକି ଧୂଳିକଣା ମଧ୍ୟରେ ବି ଅନୁଭବ କରିଛନ୍ତି ଈଶ୍ୱରୀୟ ସତ୍ତା। ଆଲୋଚକ ଗଙ୍ଗାଧର ବଳଙ୍କ ଭାଷାରେ- “ଗୋପବନ୍ଧୁ ବିଶ୍ୱପ୍ରକୃତି, ମାନବ, ମାନବେତର ପ୍ରାଣୀ, କୀଟପତଙ୍ଗ ଏବଂ ପ୍ରତ୍ୟେକ ରେଣୁ କଣାରେ ଭଗବାନଙ୍କ ଅବସ୍ଥିତି ଉପଲବ୍ଧି କରିଥିଲେ ଏବଂ ସେ ଥିଲେ ତାଙ୍କ ନିକଟରେ ଅନନ୍ତ ପ୍ରୀତି ଓ କରୁଣାର ଆଧାର।’’

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୁ ପଟ୍ଟନାୟକ ନଗର, ଭଦ୍ରକ ଦୂରଭାଷ:୬୩୭୧୬୪୨୪୬୪

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories