ରୋନାଲ୍ଡୋ ଏବଂ ମେସିଙ୍କ ମୁଣ୍ଡ କାଟ୍ ପାଇଁ ଆଇଏସ୍ର ଧମକ
ମସ୍କୋ : ରୁଷ ଚଳିତ ବର୍ଷ ଫିଫା ଫୁଟବଲ ବିଶ୍ୱକପ୍ର ଆୟୋଜନ କରୁଛି। ରୁଷ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରୁ ଆରମ୍ଭ କରି ଛୋଟ ଛୋଟ କଥାକୁ ଧ୍ୟାନ ଦିଆଯାଉଛି। ଏହି ସମୟରେ ଆଇଏସ୍ଆଇଏସ୍ ଆତଙ୍କବାଦୀ ସଂଗଠନର ଏକ ଧମକ ରୁଷ ପାଇଁ ଚିନ୍ତାର ବିଷୟ ହୋଇଛି। ଆଇଏସ୍ ଆତଙ୍କବାଦୀ ସଂଗଠନ (ଇସଲାମିକ ଷ୍ଟେଟ୍) ଫୁଟ୍ବଲ ବିଶ୍ୱକପ ସମୟରେ ପ୍ରସିଦ୍ଧ ଫୁଟ୍ବଲ ତାରକା କ୍ରିଷ୍ଟିୟାନା ରୋନାଲ୍ଡୋ ଏବଂ ଲିୟୋନେଲ ମେସିଙ୍କ ଶିର ଚ୍ଛେଦନ କରିବ ବୋଲି ଧମକ ଦେଇଛି। ଲୋନଓଲ୍ ଜରିଆରେ ଆଇଏସ୍ ଏହି ଯୋଜନାକୁ ରୂପରେଖ ଦେବ ବୋଲି କହିଛି। ପ୍ରକାଶ ଯେ କୌଣସି ଯୋଜନାକୁ ସଫଳ ରୂପ ଦେଉଥିବା ଆତଙ୍କବାଦୀଙ୍କୁ ଲୋନଓଲ୍ ବୋଲି କୁହାଯାଏ। ଆଇଏସ୍ଆଇଏସ୍ ଧମକ ସହ କେତେକ ଫଟୋସପ୍ ଫୁଟେଜ୍ ସେୟାର କରିଛି। ଏଥିରେ ଆତଙ୍କବାଦୀ ରୋନାଲ୍ଡୋ ଏବଂ ମେସିଙ୍କୁ ଗଳାକାଟି ହତ୍ୟା କରୁଥିବା ଦେଖାଯାଇଛି। ଏହି ଖେଳାଳିଙ୍କ ରକ୍ତରେ ଫୁଟବଲ ପଡ଼ିଆକୁ ରକ୍ତରଞ୍ଜିତ କରାଯିବ ଓ ଏହି ଯୋଜନା ସଫଳ ହେବ ବୋଲି ଆଇଏସ୍ ପକ୍ଷରୁ କୁହାଯାଇଛି। ଏହି ଫୁଟେଜ ୱଫା ମିଡିଆ ଫାଉଣ୍ଡେସନ ଦ୍ୱାରା ଅପଲୋଡ କରାଯାଇଛି। ଏହି ମିଡିଆ ପାଉଣ୍ଡେସନକୁ ଇସଲାମିକ ଷ୍ଟେଟ୍ର ମୁଖପତ୍ର ବୋଲି କୁହାଯାଏ। ଉଲ୍ଲେଖ ଯେ ୧୪ ଜୁନ୍ର ଫିଫା ବିଶ୍ୱକପ ଆରମ୍ଭ ହେଉଛି ଓ ପ୍ରଥମ ମ୍ୟାଚ୍ ଲୁଜାନିକି ଷ୍ଟାଡିୟମରେ ହେବ।