ଇରାନ୍‍ ଭାରତର ଦ୍ୱିତୀୟ ସର୍ବବୃହତ୍‍ ତୈଳ ରପ୍ତାନିକାରୀ

0

ନୂଆଦିଲ୍ଲୀ: ଆମେରିକାର କଟକଣା ସତ୍ତେ୍ୱ ଭାରତ ଇରାନ୍‍ରୁ ତୈଳ ଆମଦାନୀ ଜାରି ରଖିଛି। ଫଳରେ ଭାରତକୁ ତୈଳ ରପ୍ତାନି କ୍ଷେତ୍ରରେ ସାଉଦି ଆରବକୁ ହଟାଇ ଇରାନ୍‍ ଦ୍ୱିତୀୟ ସ୍ଥାନ ହାସଲ କରିଛି। ସଂସଦରେ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ପ୍ରାୟ ୭ ବର୍ଷ ପରେ ଇରାନ ପୁଣି ଏହି ସ୍ଥାନ ଅଧିକାର କରିଛି।
କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଭାରତର ତୈଳ କମ୍ପାନୀମାନେ ଗତ ଏପ୍ରିଲ୍‍ ଓ ଜୁନ ମାସରେ ଇରାନ୍‍ରୁ ଅଧିକ ପରିମାଣରେ ତୈଳ ଆମଦାନି କରିବାରୁ ସାଉଦି ଆରବ ତୃତୀୟ ସ୍ଥାନକୁ ଚାଲିଯାଇଛି। ଏବେ ଇରାକ୍‍ରୁ ଭାରତ ସର୍ବାଧିକ ତୈଳ ଆମାଦାନି କରୁଛି। ତୈଳ ଆମଦାନି କ୍ଷେତ୍ରରେ ଦେଖାଦେଇଥିବା ଏହି ଅଭିବୃଦ୍ଧି ଇରାନ୍‍ ସହିତ ଭାରତର ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କକୁ ଦୃଢ଼ୀଭୂତ କରିବ ବୋଲି କୁହାଯାଉଛି। ଆମେରିକା କଟକଣା ପରେ ଚବାହାର ପୋର୍ଟ ପ୍ରକଳ୍ପରେ ପୁଞ୍ଜି ନିବେଶରୁ ଭାରତ ଦୂରେଇ ଯାଇଛି ବୋଲି ଇରାନ୍‍ କରିଥିବା ଅଭିଯୋଗ ଓ ଅସନ୍ତୋଷ ଏହାଦ୍ୱାରା କିଛି ପରିମାଣରେ ହ୍ରାସ ପାଇବ ବୋଲି କୂଟନୈତିଜ୍ଞମାନେ ଆଶା କରିଛନ୍ତି।
ଜୁନ୍‍ ମାସ ଶେଷ ସୁଦ୍ଧା ପ୍ରାପ୍ତ ତଥ୍ୟାନୁଯାୟୀ ଇରାକ୍‍ରୁ ଭାରତ ସର୍ବାଧିକ ୩.୫ ବିଲିୟନ୍‍ ଡଲାର ମୂଲ୍ୟର ୭.୨ ନିୟୁତ ଟନ୍‍ ଅଶୋଧିତ ତୈଳ ଆମାଦାନୀ କରିଥିବା ବେଳେ ଇରାନ୍‍ରୁ ୨.୯ ବିଲିୟନ ଡଲାର ମୂଲ୍ୟର ୫.୬ ନିୟୁତ ଟନ ଓ ସାଉଦୀ ଆରବରୁ ୨.୮ ବିଲିୟନ୍‍ ଡଲାରର ୫.୨ ନିୟୁତ ଟନ୍‍ ଅଶୋଧିତ ତୈଳ ଆମଦାନି କରିଥିଲା।

Leave A Reply