ସାମ୍ସନ୍ଙ୍କ ଶତକ ସତ୍ତ୍ବେ ସନ୍ରାଇଜର୍ସ ବିଜୟୀ
ହାଇଦରାବାଦ : ଆଇପିଏଲ୍-୧୨ରେ ପ୍ରଥମ ଶତକ ମାରିଛନ୍ତି ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମ୍ସନ୍। ଏହାସତ୍ତ୍ବେ ସେ ଦଳକୁ ଜିତାଇ ପାରିନାହାନ୍ତି। ଶୁକ୍ରବାର ରାଜସ୍ଥାନ ରୟାଲ୍ସକୁ ସନ୍ରାଇଜର୍ସ ହାଇଦରାବାଦ ୫ ୱିକେଟରେ ପରାସ୍ତ କରିଛି। ସାମ୍ସନ୍ଙ୍କ ଅପରାଜିତ ଶତକ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ୭୦ ରନ୍ ବଳରେ ରାଜସ୍ଥାନ ରୟାଲ୍ସ ୨ ୱିକେଟରେ ୧୯୮ ରନ୍ ସ୍କୋର୍ କରିଥିଲା। ପରେ ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଜନି ବେୟାରଷ୍ଟୋ ଓ ବିଜୟ ଶଙ୍କରଙ୍କ ଉପଯୋଗୀ ଇନିଂସ ବଳରେ ୧୯ ଓଭରରେ ୫ ୱିକେଟ ହରାଇ ସନ୍ରାଇଜର୍ସ ଜିତିଥିଲା।
ସନ୍ରାଇଜର୍ସ ହାଇଦରାବାଦ ୧୯୯ ରନ୍ ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିବା ପରେ ଡେଭିଡ୍ ୱାର୍ଣ୍ଣର ଝଡ଼ ପରି ରାଜସ୍ଥାନ ରୟାଲ୍ସ ବୋଲିଂ ବର୍ଷିଥିଲେ। ପରେ ଜନି ବେୟାରଷ୍ଟୋ ମଧ୍ୟ ରନ୍ଭୋଜିରେ ସାମିଲ ହୋଇଥିଲେ। ୬ଷ୍ଠ ଓଭରରେ ୨୫ ବଲ୍ରୁ ବାମହାତି ୱାର୍ଣ୍ଣର ଅର୍ଦ୍ଧଶତକ ପୂରଣ କରିଥିଲେ। ୬ ଓଭରର ପାୱରପ୍ଲେରେ ସନ୍ରାଇଜର୍ସ ୬୯ ରନ୍ କରିଥିଲା; ଯାହା ଅଦ୍ୟାବଧି ସର୍ବାଧିକ। ୧୦ମ ଓଭର ପର୍ଯ୍ୟନ୍ତ ୱାର୍ଣ୍ଣର-ବେୟାରଷ୍ଟୋ ଯୋଡ଼ି କ୍ରିଜ୍ରେ ରହିଥିଲେ ଏବଂ ୧୧୦ ରନ୍ର ଓପ୍ନିଂ ଭାଗିଦାରୀ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍ରେ ଅର୍ଦ୍ଧଶତକ ମାରିଥିବା ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂକରି ୩୭ ବଲ୍ରୁ ୨ଟି ଛକା ଓ ୯ଟି ଚୌକା ସହ ୬୯ ରନ୍କରି ଆଉଟ ହୋଇଥିଲେ। ୨୮ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୫ ରନ୍କରି ଆଉଟ୍ ହୋଇ ଯାଇଥିଲେ। ବିଜୟ ଶଙ୍କର କ୍ରିଜ୍କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଧିନାୟକ କେନ୍ ୱିଲିୟମ୍ସନଙ୍କ ସହ ଶଙ୍କର ଦ୍ରୁତ ୪୭ ରନ୍ କରିଥିଲେ। ୱିଲିୟମ୍ସନ ୨ଟି ଚୌକା ସହ ୧୪ ରନ୍ କରିଥିଲେ। ବିସ୍ଫୋରକ ଇନିଂସ ଖେଳି ମାତ୍ର ୧୫ ବଲ୍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ବିଜୟ ଶଙ୍କର ୩୫ ରନ୍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍ରେ ମନୀଷ ପାଣ୍ଡେ ୧ ରନ୍କରି ବିଦାୟ ନେଇଥିଲେ। ପରେ ୟୁସୁଫ୍ ପଠାନ୍ (୧୬) ଓ ରସିଦ୍ ଖାଁ (୧୫) ଅପରାଜିତ ରହି ସନ୍ରାଇଜର୍ସକୁ ଜିତାଇଥିଲେ। ଶ୍ରେୟାସ ଗୋପାଳ ୩ଟି ୱିକେଟ ପାଇଥିଲେ। ରସିଦ୍ ଖାଁ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ନେବା ପରେ ଏହାର ଓପ୍ନର ଧିମାଗତିରେ ଇନିଂସ ଆରମ୍ଭ କରିଥିଲେ। ୨୦ଟି ବଲ୍ରେ ୧୫ ରନ୍ ହୋଇଥିବା ବେଳେ ରାଜସ୍ଥାନ ପ୍ରଥମ ୱିକେଟ ହରାଇଥିଲା। ରସିଦ୍ ଖାଁଙ୍କୁ ସ୍ବିପ୍ ମାରିବା ପ୍ରୟାସରେ ଜୋସ୍ ବଟ୍ଲର (୫) ବୋଲ୍ଡ ହୋଇଥିଲେ। ଅଜିଙ୍କ୍ୟ ରାହାଣେ ଓ ସଞ୍ଜୁ ସାମ୍ସନ ପରେ ଇନିଂସକୁ ଆଗେଇ ନେଇଥିଲେ। ୯ ଓଭର ଶେଷରେ ରାଜସ୍ଥାନ ୧ ୱିକେଟରେ ୬୨ ରନ୍ କରିଥିବା ବେଳେ ଶେଷ ୧୧ ଓଭରରୁ ଏହା ୧୩୬ ରନ୍ ନେଇ ପାରିଥିଲା। ଏହା ସମ୍ଭବ ହୋଇଥିବା ସାମ୍ସନଙ୍କ ବିସ୍ଫୋରକ ଶତକୀୟ ଇନିଂସ ଯୋଗୁଁ। ରାହାଣେଙ୍କ ସହ ସାମ୍ସନ ୧୨.୨ ଓଭର କ୍ରିଜ୍ରେ ରହି ୨ୟ ୱିକେଟ ପାଇଁ ୧୧୯ ରନ୍ ଯୋଡ଼ିଥିଲେ। ୧୫ ଓଭରରେ ୧୨୨ ଏବଂ ଶେଷ ୫ ଓଭରରୁ ୭୬ ରନ୍ ହୋଇଥିଲା। ରାହାଣେ ୪୯ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୭୦ ରନ୍ କରିଥିଲେ। ଭୁବନେଶ୍ବରଙ୍କ ଏକ ଓଭରରୁ ୨୪ ରନ୍ ନେଇଥିବା ସାମ୍ସନ ଶେଷ ଓଭରରେ ଶତକ ପୂରଣ କରିଥିଲେ। ସାମ୍ସନ ୫୫ ବଲ୍ରୁ ୪ଟି ଛକା ଓ ୧୦ଟି ଚୌକା ସହ ୧୦୨ ରନ୍କରି ଏବଂ ବେନ୍ ଷ୍ଟୋକ୍ସ ୯ ବଲ୍ରୁ ୩ଟି ଚୌକା ସହ ୧୬ ରନ୍ରେ ଅପରାଜିତ ଥିଲେ। ରସିଦ୍ ଖାଁ ୪ ଓଭରରୁ ମାତ୍ର ୨୪ ରନ୍ଦେଇ ଗୋଟିଏ ୱିକେଟ ନେଇଥିଲେ।