ମୁମ୍ବଇ: ବିଶ୍ବର ସବୁଠାରୁ ଧନଶାଳୀ ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ର ୧୬ଶ ସଂସ୍କରଣ ଏବେ ଚାଲିଛି। ହେଲେ ଏପରି ୭ ଜଣ କ୍ରିକେଟର ଅଚନ୍ତି; ଯେଉଁମାନେ ୧୬ଟିଯାକ ସଂସ୍କରଣରେ (ଏକ ହେଉ ବା ପୃଥକ୍ ଫ୍ରାଞ୍ଚାଇଜି) ଖେଳିଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ହେଲେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍। ଏହି ୭ କ୍ରିକେଟରଙ୍କ ଉପରେ ଏହି ସ୍ବତନ୍ତ୍ର ଉପସ୍ଥାପନା।
ବିରାଟ କୋହଲି
ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ହେଉଛନ୍ତି ଏହି ୭ କ୍ରିକେଟରଙ୍କ ମଧ୍ୟରୁ ଏକମାତ୍ର; ଯିଏ ଗୋଟିଏ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପାଇଁ ହିଁ ଖେଳିଛନ୍ତି। ୨୦୦୮ରୁ ଅଦ୍ୟାବଧି ଆର୍ସିବି ପାଇଁ ଖେଳିଥିବା କୋହଲି ୨୩୩ଟି ମ୍ୟାଚ୍ ଖେଳି ଆଇପିଏଲ୍ କୀର୍ତ୍ତିମାନ ୭୦୪୩ ରନ୍ କରିଛନ୍ତି। ତାଙ୍କ ଆଭ୍ରେଜ୍ ୩୬.୬୮ ଓ ଷ୍ଟ୍ରାଇକ୍ରେଟ୍ ୧୨୯.୪୯। କୋହଲି ୫ଟି ଶତକ ଓ ୫୦ଟି ଅର୍ଦ୍ଧଶତକ ମାରିଛନ୍ତି। ହେଲେ କୋହଲି କଦାପି ଚମ୍ପିଆନ୍ ଦଳର ସଦସ୍ୟ ରହିନାହାନ୍ତି।
ରୋହିତ ଶର୍ମା
୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ରୋହିତ ଶର୍ମା ଡେକାନ୍ ଚାର୍ଜର୍ସ ପାଇଁ ଖେଳିବା ପରେ ୨୦୧୧ରୁ ଅଦ୍ୟାବଧି ମୁମ୍ବଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ରୋହିତ ୨୩୭ଟି ମ୍ୟାଚ୍ ଖେଳି ୬୦୬୩ ରନ୍ କରିଛନ୍ତି। ତାଙ୍କ ଆଭ୍ରେଜ୍ ୨୯.୭୨ ଓ ଷ୍ଟ୍ରାଇକ୍ରେଟ୍ ୧୨୯.୮୦। କୋହଲି ଗୋଟିଏ ଶତକ ଓ ୪୧ଟି ଅର୍ଦ୍ଧଶତକ ମାରିଛନ୍ତି। ଡେକାନ୍ ଚାର୍ଜର୍ସ ପାଇଁ ଥରେ ଓ ମୁମ୍ବଇ ଇଣ୍ଡିଆନ୍ସ ପାଇଁ ୫ ଥର ରୋହିତ ଆଇପିଏଲ୍ ଚମ୍ପିଆନ୍ ହୋଇଛନ୍ତି।
ଏମ୍.ଏସ୍. ଧୋନି
ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୦୮ରୁ ୨୦୧୫ ଏବଂ ୨୦୧୮ରୁ ଅଦ୍ୟାବଧି ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ପାଇଁ ଆଇପିଏଲ୍ ଖେଳିଛନ୍ତି। ସେ ରାଇଜିଂ ପୁଣେ ସୁପରଜ୍ୟାଣ୍ଟ୍ସ ପାଇଁ ୨୦୧୬ ଓ ୨୦୧୭ରେ ଖେଳିଛନ୍ତି। ଧୋନି ୨୦୪ ମ୍ୟାଚ୍ରୁ ୫୦୫୪ ରନ୍ କରିଛନ୍ତି। ତାଙ୍କ ଆଭ୍ରେଜ୍ ୩୯.୪୮ ଓ ଷ୍ଟ୍ରାଇକ୍ରେଟ୍ ୧୩୫.୮୬। ଧୋନି ୨୪ଟି ଅର୍ଦ୍ଧଶତକ ମାରିଛନ୍ତି। ସିଏସ୍କେ ପାଇଁ ଧୋନି ୪ ଥର ଆଇପିଏଲ୍ ଚମ୍ପିଆନ୍ ହୋଇଛନ୍ତି।
ଋଦ୍ଧିମାନ ଶାହା
ବଙ୍ଗଳାର ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ଶାହା ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କଲକାତା ନାଇଟ ରାଇଡର୍ସ, ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ସିଏସ୍କେ, ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଜାବ କିଙ୍ଗ୍ସ, ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ସନ୍ରାଇଜର୍ସ ହାଇଦରାବାଦ ଏବଂ ୨୦୨୨ରୁ ଅଦ୍ୟାବଧି ଗୁଜରାଟ ଟାଇଟାନ୍ସ ପାଇଁ ଆଇପିଏଲ୍ ଖେଳିଛନ୍ତି। ସେ ୧୫୫ ମ୍ୟାଚ୍ରୁ ୨୭୦୦ ରନ୍ କରିଛନ୍ତି। ତାଙ୍କ ଆଭ୍ରେଜ୍ ୨୫.୪୭ ଓ ଷ୍ଟ୍ରାଇକ୍ରେଟ୍ ୧୨୮.୭୬। ଋଦ୍ଧିମାନ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ମାରିଛନ୍ତି। ୨୦୨୨େର ଗୁଜରାଟ ଟାଇଟାନ୍ସ ପାଇଁ ସେ ଗୋଟିଏ ଟ୍ରଫି ଜିତିଛନ୍ତି।
ଶିଖର ଧାୱନ
ବାମହାତି ଓପ୍ନର ଶିଖର ଧାୱନ ୨୦୦୮ରେ ଦିଲ୍ଲୀ ଡେୟାରଡେଭିଲ୍ସ, ୨୦୦୯-୨୦୧୦ ମୁମ୍ବଇ ଇଣ୍ଡିଆନ୍ସ, ୨୦୧୧-୧୨ ଡେକାନ୍ ଚାର୍ଜର୍ସ, ୨୦୧୩ରୁ ୨୦୧୮ ସନ୍ରାଇଜର୍ସ ହାଇଦରାବାଦ ଏବଂ ୨୦୨୨-୨୩ରେ ପଞ୍ଜାବ କିଙ୍ଗ୍ସ ପାଇଁ ଆଇପିଏଲ୍ ଖେଳିଛନ୍ତି। ଧାୱନ ୨୧୩ ମ୍ୟାଚ୍ରୁ ୬୫୩୬ ରନ୍ କରିଛନ୍ତି। ଏଥିରେ ୨ଟି ଶତକ ଓ ୪୯ଟି ଅର୍ଦ୍ଧଶତକ ରହିଛି। ତାଙ୍କ ଆଭ୍ରେଜ୍ ୩୫.୭୨ ଓ ଷ୍ଟ୍ରାଇକ୍ରେଟ୍ ୧୨୭.୨୧। ୨୦୧୬ରେ ସନ୍ରାଇଜର୍ସ ପାଇଁ ଧାୱନ ଆଇପିଏଲ୍ ଜିତିଛନ୍ତି।
ଦିନେଶ କାର୍ତ୍ତିକ
ଦିନେଶ କାର୍ତ୍ତିକ ୨୦୦୮ରୁ ୨୦୧୦ ଦିଲ୍ଲୀ ଡେୟାରଡେଭିଲ୍ସ, ୨୦୧୧େର ପଞ୍ଜାବ, ୨୦୧୨-୧୩ରେ ମୁମ୍ବଇ ଇଣ୍ଡିଆନ୍ସ, ୨୦୧୫ ଏବଂ ୨୦୨୨-୨୩ ଆର୍ସିବି, ୨୦୧୪ ଦିଲ୍ଲୀ ଡେୟାରଡେଭିଲ୍ସ, ୨୦୧୬-୧୭ ଗୁଜରାଟ ଲାୟନ୍ସ ଏବଂ ୨୦୧୮ରୁ ୨୦୨୧ କେକେଆର୍ ପାଇଁ ଖେଳିଛନ୍ତି। କାର୍ତ୍ତିକ ୨୩୯ ମ୍ୟାଚ୍ରୁ ୪୪୮୬ ରନ୍ କରିଛନ୍ତି। ତାଙ୍କ ଆଭ୍ରେଜ୍ ୨୬.୮୨ ଓ ଷ୍ଟ୍ରାଇକ୍ରେଟ୍ ୧୩୨.୬୪। ସେ ୨୦ଟି ଅର୍ଦ୍ଧଶତକ ମାରିଛନ୍ତି। ୨୦୧୩ରେ ମୁମ୍ବଇ ଇଣ୍ଡିଆନ୍ସ ପାଇଁ କାର୍ତ୍ତିକ ଆଇପିଏଲ୍ ଜିତିଛନ୍ତି।
ମନୀଷ ପାଣ୍ଡେ
ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିବା ମନୀଷ ପାଣ୍ଡେ ୨୦୦୮ରେ ମୁମ୍ବଇ ଇଣ୍ଡିଆନ୍ସ, ୨୦୦୯-୧୦ ଆର୍ସିବି, ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ପୁଣେ ୱାରିଅର୍ସ ଇଣ୍ଡିଆ, ୨୦୧୪ରୁ ୨୦୧୭ କେକେଆର୍, ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ସନ୍ରାଇଜର୍ସ ହାଇଦରାବାଦ, ୨୦୨୨ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଓ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ମନୀଷ ୧୬୮ ମ୍ୟାଚ୍ରୁ ୩୭୮୧ ରନ୍ କରିଛନ୍ତି। ସେ ଗୋଟିଏ ଶତକ ଓ ୨୨ଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କ ଆଭ୍ରେଜ୍ ୨୯.୩୧ ଓ ଷ୍ଟ୍ରାଇକ୍ରେଟ୍ ୧୨୧.୩୪। ୨୦୧୪ରେ କେକେଆର୍ ପାଇଁ ପାଣ୍ଡେ ଏକମାତ୍ର ଆଇପିଏଲ୍ ଜିତିଛନ୍ତି।



