ଭାରତୀୟ କ୍ରୀଡ଼ା ବଜାରରେ ଆଇପିଏଲ୍‌ର ରାଜୁତି

ନୂଆଦିଲ୍ଲୀ: ୧୭ ବର୍ଷ ହେଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କେବଳ ଦର୍ଶକଙ୍କ ମନୋରଞ୍ଜନ କରୁନାହିଁ; ଭାରତୀୟ କ୍ରୀଡ଼ା ବଜାରରେ ମଧ୍ୟ ରାଜୁତି କରୁଛି। ଗତ ସଂସ୍କରଣ ଅପେକ୍ଷା ଚଳିତ ସଂସ୍କରଣରେ ରାଜସ୍ବରେ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ପ୍ରାୟୋଜକଙ୍କ ପାଇଁ ଆଇପିଏଲ୍‌ ଏକ ପର୍ବ ଭଳି। ଭାରତରେ ଏହା ସବୁଠାରୁ ବଡ଼ ଉତ୍ସବ; ଯାହାର ମଜା ପୁରୁଷ-ମହିଳା, ଯୁବ-ବୃଦ୍ଧ, ଧନୀ-ଗରିବ ସମସ୍ତେ ନେଇଥାଆନ୍ତି। ମୁମ୍ବଇ ଇଣ୍ଡିଆନ୍‌ସ ଗତବର୍ଷ ୧୦୦ କୋଟି ଟଙ୍କାର ପ୍ରାୟୋଜନ ଅର୍ଥ ଅତିକ୍ରମ କରିଥିବା ବେଳେ ଚଳିତବର୍ଷ ଏହାର ୨୬ଟି ପ୍ରାୟୋଜକ ଅଛନ୍ତି। ଫଳରେ ଏହାର ପ୍ରାୟୋଜନ ଅର୍ଥରେ ୨୦ ପ୍ରତିଶତ ବୃଦ୍ଧିଘଟିଛି।

କେବଳ ଦଳ ନୁହନ୍ତି; ଟିଭି ପ୍ରସାରଣକାରୀ ଡିଜ୍‌ନୀ ଷ୍ଟାର ମଧ୍ୟ ଲାଭବାନ ହୋଇଛି। ଗତବର୍ଷ ୨୦୦୦ରୁ ୨୫୦୦ କୋଟି ଟଙ୍କା ଆୟ କରିଥିବା ଷ୍ଟାର୍‌ ଚଳିତବର୍ଷ ୧୫ଟି ପ୍ରାୟୋଜକଙ୍କ ସହ ଚୁକ୍ତିକରିଛି। ଏକ ସର୍ଭେ ଅନୁସାରେ, ୨୦୦୮ରେ ଆଇପିଏଲ୍‌ ଆରମ୍ଭହେବା ପରଠାରୁ ଭାରତୀୟ କ୍ରୀଡ଼ା ବଜାର ୬.୫ ଗୁଣ ବଢ଼ିଛି। ୨୦୦୮ରେ ଆଇପିଏଲ୍‌ରେ ବ୍ରାଣ୍ଡ୍‌ ମୂଲ୍ୟ ୨୪୨୩ କୋଟି ଥିବା ବେଳେ ୨୦୨୩ରେ ଏହା ୧୫,୭୬୬ ​କୋଟି ଟଙ୍କାରେ ପହଞ୍ଚିଥିଲା। ଭାରତୀୟ କ୍ରୀଡ଼ା ବଜାରର ୮୭ ପ୍ରତିଶତ ସ୍ଥାନ କ୍ରିକେଟ୍‌ ଅଧିକାର କରିଛି। ୧୦ଟି ଦଳଙ୍କୁ ନେଇ ଖେଳା ଯାଉଥିବା ଆଇପିଏଲ୍‌ର ବ୍ରାଣ୍ଡ୍‌ ମୂଲ୍ୟ ୪୩୩% ବୃଦ୍ଧିଘଟିଛି। ୨୦୨୨ରେ ଆଇପିଏଲ୍‌ର ୪୧୦ଟି ମ୍ୟାଚ୍‌ ପାଇଁ ପ୍ରସାରଣ ଅଧିକାରରୁ ୪୭୩୩୩ କୋଟି ଟଙ୍କା ବିସିସିଆଇ ପାଇଛି। ଫଳରେ ପ୍ରତି ମ୍ୟାଚ୍‌ର ମୂଲ୍ୟ ୧୧୮.୫ କୋଟି ଟଙ୍କା। ଫଳରେ ପ୍ରସାରଣ ଅର୍ଥ ଆୟରେ ଆମେରିକାର ନ୍ୟାସନାଲ ଫୁଟ୍‌ବଲ ଲିଗ୍‌ ପରେ ଆଇପିଏଲ୍‌ ବିଶ୍ବରେ ୨ୟ ସ୍ଥାନରେ ରହିଛି। ଚଳିତବର୍ଷ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍‌)ର ରାଜସ୍ବ ୧୧୫ କୋଟି ଟଙ୍କା​‌େ​‌ର ପହଞ୍ଚିଛି। ଗତବର୍ଷ ଏହା ୧୧୦ କୋଟି ଟଙ୍କା ଥିଲା। ଏହିପରି ଭାବେ ଆଇପିଏଲ୍‌ ଦେଶରେ ଇଣ୍ଡିଆନ୍ ପଇସା ଲିଗ୍‌ ପାଲଟିଛି। ରାଜସ୍ବ, ଲୋକପ୍ରିୟତା ଓ ଦର୍ଶକ ସଂଖ୍ୟା ଦୃଷ୍ଟିରୁ ଏହା ସମସ୍ତଙ୍କୁ ପଛରେ ପକାଇ ଦେଇଛି। ହ୍ବାଙ୍ଗ୍‌ଝୌ ଏସୀୟ କ୍ରୀଡ଼ା (୧୦୭ ପଦକ) ଓ ଏସୀୟ ପାରା କ୍ରୀଡ଼ା (୧୧୧ ପଦକ)ରେ ଭାରତର ଐତିହାସିକ ସଫଳତା ସତ୍ତ୍ବେ ଅଣକ୍ରିକେଟ୍‌ କ୍ରୀଡ଼ାରୁ ରାଜସ୍ବ ହ୍ରାସ ଘଟିଛି।

ତେବେ ପ୍ରସାରଣ ରାଜସ୍ବ ଦୃଷ୍ଟିରୁ କ୍ରିକେଟ୍‌ ପରେ ଫୁଟ୍‌ବଲ (ଆଇଏସ୍‌ଏଲ୍‌) ଓ କବାଡ଼ି (ପ୍ରୋ କବାଡ଼ି ଲିଗ୍‌୍‌) ୨ୟ ଓ ୩ୟ ସ୍ଥାନରେ ରହିଛି। ଆଗକୁ ପ୍ୟାରିସ୍‌ ଅଲିମ୍ପିକ୍‌ସ ଏବଂ କୋପା ଆମେରିକା ଓ ୟୁରୋ ଭଳି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ରହିଛି। ଏଥିରେ ଅଣକ୍ରିକେଟ୍‌ କ୍ରୀଡ଼ାରୁ କିଛି ଅଧିକ ରାଜସ୍ବ ମିଳିପାରେ। ହେଲେ ଆଇପିଏଲ୍‌ ବା କ୍ରିକେଟ୍‌ରୁ ମିଳୁଥିବା ରାଜସ୍ବର ଆଖପାଖରେ ପହଞ୍ଚିବା କଷ୍ଟକର ହେବ।

Comments are closed.