ମୁମ୍ବଇ: ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଚଳିତ ଆଇପିଏଲ୍ରେ ତା’ର ୯ମ ମ୍ୟାଚ୍ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବଇ ଇଣ୍ଡିଆନ୍ସ। ଶନିବାର ରାଜସ୍ଥାନ ରୟାଲ୍ସକୁ ୫ ୱିକେଟରେ ପରାସ୍ତକରି ତା’ର ଅଧିନାୟକ ମୁମ୍ବଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ୩୫ତମ ଜନ୍ମଦିନର ଉପହାର ଦେଇଛି। ଜୋସ୍ ବଟ୍ଲରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ୬ ୱିକେଟରେ ୧୫୮ ରନ୍ କରିଥିଲା। ପରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ଓ ତିଳକ ବର୍ମାଙ୍କ ଲଢ଼ୁଆ ଇନିଂସ ବଳରେ ୪ଟି ବଲ୍ ବାକିଥାଇ ୫ ୱିକେଟ ହରାଇ ମୁମ୍ବଇ ଜିତିଥିଲା। ପ୍ଲେଅଫ୍ ଦୌଡ଼କୁ ପ୍ରାୟ ବାଦ୍ ପଡ଼ିଥିବା ମୁମ୍ବଇ ଏହି ବିଜୟ ସହ କ୍ରମାଗତ ୯ମ ପରାଜୟର ଲଜ୍ଜାରୁ ବର୍ତ୍ତି ପଏଣ୍ଟ ଖାତା ଖୋଲିପାରିଛି। ରାଜସ୍ଥାନ ୯ମ ମ୍ୟାଚ୍ରେ ୩ୟ ପରାଜୟ ଭୋଗିଛି।
ମୁମ୍ବଇ ଇଣ୍ଡିଆନ୍ସ ୧୫୯ ରନ୍ର ପିଛା କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଜାରିରଖି ୨ ରନ୍କରି ଆଉଟ୍ ହୋଇଥିଲେ। ଇଶାନ୍ କିଷନ୍ କିଛି ଭଲ ସଟ୍ ଖେଳି ୬ଷ୍ଠ ଓଭରରେ ବିଦାୟ ନେଇଥିଲେ। କିଷନ୍ ୧୮ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୪ ରନ୍ କରିଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଚମତ୍କାର ବ୍ୟାଟିଂ କରିଥିଲେ। ୩୬ ବଲ୍ରେ ସୂର୍ଯ୍ୟକୁମାର ଅର୍ଦ୍ଧଶତକ ପୂରଣ କରିଥିଲେ। ୩ୟ ୱିକେଟ ପାଇଁ ଉଭୟଙ୍କ ମଧ୍ୟରେ ୮୧ ରନ୍ର ଭାଗିଦାରୀ ପରେ ସୂର୍ଯ୍ୟ ଆଉଟ୍ ହୋଇ ଯାଇଥିଲେ। ସୂର୍ଯ୍ୟକୁମାର ୩୯ ବଲ୍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୧ ରନ୍ କରିଥିଲେ। ଶେଷ ୫ ଓଭରରୁ ମୁମ୍ବଇ ୩୭ ରନ୍ ଆବଶ୍ୟକ କରୁଥିଲା। ୨ଟି ବଲ୍ ପରେ ତିଳକ ବର୍ମା ଆଉଟ୍ ହୋଇଥିଲେ। ତିଳକ ୩୦ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୫ ରନ୍ କରିଥିଲେ। ଶେଷ ଓଭରରେ କୈରନ୍ ପୋଲାର୍ଡ ୧୦ ରନ୍କରି ଆଉଟ୍ ହୋଇଥିଲେ। ସିଙ୍ଗାପୁରର ଟିମ୍ ଡେଭିଡ୍ ୯ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ଏବଂ ଡାନିଏଲ୍ ସାମ୍ସ ବିଜୟସୂଚକ ଛକାମାରି ଅପରାଜିତ ଥିଲେ।
ମୁମ୍ବଇ ଇଣ୍ଡିଆନ୍ସ ଟସ୍ ଜିତି ଫିଲ୍ଡିଂ ନେବା ପରେ ରାଜସ୍ଥାନ ରୟାଲ୍ସ ଧୀରେସୁସ୍ଥେ ଇନିଂସ ଆରମ୍ଭ କରିଥିଲା। ଦେବଦତ୍ତ ପାଡିକଲ ୧୫ ରନ୍ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍ସନ ୭ ବଲ୍ରୁ ୨ଟି ଛକା ସହ ୧୬ ରନ୍କରି ଆଉଟ୍ ହୋଇଥିଲେ। ନ୍ୟୁଜିଲାଣ୍ଡର ଡ୍ୟାରିଲ ମିଚେଲ ଦୟନୀୟ ବ୍ୟାଟିଂକରି ୨୦ ବଲ୍ରୁ ଗୋଟିଏ ଚୌକା ସହ ୧୭ ରନ୍ କରିଥିଲେ। ଚଳିତ ସଂସ୍କରଣରେ ୩ଟି ବିସ୍ଫୋରକ ଶତକ ହାସଲ କରିଥିବା ଜୋସ୍ ବଟ୍ଲର କିନ୍ତୁ ଧୀମା ବ୍ୟାଟିଂ କରିଥିଲେ। ୧୫ ଓଭର ଶେଷରେ ବଟ୍ଲର ୪୬ ବଲ୍ରୁ ୪୩ ରନ୍ କରିଥିବା ବେେଳ ୧୬ଶ ଓଭରର ପ୍ରଥମ ୪ଟି ବଲ୍ରେ ଛକାମାରି ଶେଷ ବଲ୍ରେ ଆଉଟ୍ ହୋଇଥିଲେ। ବଟ୍ଲର ୫୨ ବଲ୍ରୁ ୪ଟି ଛକା ଓ ୫ଟି ଚୌକା ସହ ୬୭ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ବିନ ଶେଷଆଡ଼କୁ ୯ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୧ ରନ୍ କରିଥିଲେ। ଅଫ୍ସ୍ପିନର ହ୍ରିତିକ୍ ସୋକିନ୍ ଓ ପେସ୍ ବୋଲର ରାଇଲି ମେରେଡିଥ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।



