ଦିଲ୍ଲୀର ସାନ୍ତ୍ୱନାମୂଳକ ବିଜୟ

0

ନୂଆଦିଲ୍ଲୀ : ଆଇପିଏଲ୍‍-୧୧ରେ ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‍ସକୁ ପରାସ୍ତ କରିଛି ଦିଲ୍ଲୀ ଡେୟାରଡେଭିଲ୍‍ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚେନ୍ନଇକୁ ୩୪ ରନ୍‍ରେ ଦିଲ୍ଲୀ ହରାଇଛି। ଋଷଭ ପନ୍ତ୍‍, ବିଜୟ ଶଙ୍କର ଓ ହର୍ଷଲ ପଟେଲଙ୍କ ଉପଯୋଗୀ ଇନିଂସ ବଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂକରି ୫ ୱିକେଟରେ ୧୬୨ ରନ୍‍ କରିଥିଲା। ପରେ ଅମ୍ବତି ରାୟୁଡୁଙ୍କ ଦ୍ରୁତ ଅର୍ଦ୍ଧଶତକ ସତ୍ତେ୍ୱ ଚେନ୍ନଇ ୬ ୱିକେଟ ହରାଇ ମାତ୍ର ୧୨୮ ରନ୍‍ କରି ପାରିଥିଲା। ପ୍ଲେଅଫ୍‍ରୁ ବାଦ୍‍ ପଡ଼ି ସାରିଥିବା ଦିଲ୍ଲୀ ୧୩ଶ ମ୍ୟାଚ୍‍ରେ ୪ର୍ଥ ବିଜୟ ସହ ସାନ୍ତ୍ୱନା ପାଇପାରିଛି। ପ୍ଲେଅଫ୍‍ ଖେଳିବା ନିଶ୍ଚିତ କରି ସାରିଥିବା ଚେନ୍ନଇ ୧୩ଶ ମ୍ୟାଚ୍‍ରେ ୫ମ ପରାଜୟ ଭୋଗିଛି।
ଚେନ୍ନଇ ସୁପର କିଙ୍ଗ୍‍ସ ସମ୍ମୁଖରେ ୧୬୩ ରନ୍‍ର ବିଜୟଲକ୍ଷ୍ୟ ଥିବା ବେଳେ ଏହା ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଓପ୍‍ନିଂ ଯୋଡ଼ି ୭ମ ଓଭରରେ ୪୬ ରନ୍‍ ଯୋଡ଼ିଥିବା ବେଳେ ସେନ୍‍ ୱାଟ୍‍ସନ ଧିମା ୧୪ ରନ୍‍କରି ବିଦାୟ ନେଇଥିଲେ। ତେବେ ଅନ୍ୟପଟେ ଅମ୍ବତି ରାୟୁଡୁ ଚମ୍ପିଆନ୍‍ଙ୍କ ପରି ବ୍ୟାଟିଂକରି ଅର୍ଦ୍ଧଶତକ ହାସଲ କରିଥିଲେ। ରାୟୁଡୁ ମାତ୍ର ୨୯ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୦ ରନ୍‍କରି ୧୦ମ ଓଭରରେ ଆଉଟ ହୋଇଥିଲେ। ପରେ ଦିଲ୍ଲୀର ଦୁଇ ଲେଗ୍‍ସ୍ପିନର ଚେନ୍ନଇ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ବାନ୍ଧି ରଖିଥିଲେ। ୧୭ ବର୍ଷ ବୟସ୍କ ନେପାଳର ସନ୍ଦୀପ ଲାମିଛାନେ ୧୫ ରନ୍‍ କରିଥିବା ସୁରେଶ ରୈନାଙ୍କୁ ଆଉଟ କରିଥିବା ବେଳେ ଅମିତ ମିଶ୍ର ୧ ରନ୍‍ କରିଥିବା ଇଂଲଣ୍ଡର ସାମ୍‍ ବିଲିଙ୍ଗ୍‍ସଙ୍କୁ ଆଉଟ କରିଥିଲେ। ପରେ ଆବଶ୍ୟକ ରନ୍‍ହାର ବଢ଼ି ଚାଲିଥିଲା। ୩ ଓଭରରେ ୫୫ ରନ୍‍ ଆବଶ୍ୟକ ଥିବା ବେଳେ ଧୋନି ରନ୍‍ଗତି ବଢ଼ାଇବା ପ୍ରୟାସରେ ଆଉଟ ହୋଇ ଯାଇଥିଲେ। ଧୋନି ୨୩ ବଲ୍‍ରୁ ମାତ୍ର ୧୭ ରନ୍‍ କରି ପାରିଥିଲେ। ଜାଡ଼େଜା ୧୮ ବଲ୍‍ରୁ ୨ଟି ଛକା ସହ ୨୭ ରନ୍‍କରି ଅପରାଜିତ ଥିଲେ। ଟ୍ରେଣ୍ଟ ବୋଲ୍‍ଟ ଓ ଅମିତ ମିଶ୍ର ୨ଟି ଲେଖାଏଁ ୱିକେଟ ପାଇଥିଲେ। ଦିଲ୍ଲୀ ଶେଷ ୧୦ ଓଭରରୁ ମାତ୍ର ୫୮ ରନ୍‍ ହିଁ କରି ପାରିଥିଲା।
ଟସ୍‍ ଜିତି ଚେନ୍ନଇ ସୁପର କିଙ୍ଗ୍‍ସ ଫିଲ୍‍ଡିଂ ନେବା ପରେ ଘରୋଇ ଦଳ ଦିଲ୍ଲୀ ଡେୟାରଡେଭିଲ୍‍ସର ଓପ୍‍ନର ୪ ଓଭରରେ ୨୪ ରନ୍‍ କରିଥିଲେ। ଯୁବ ଓପ୍‍ନର ପୃଥ୍ୱୀ ସ’ ୧୭ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍‍କରି ଆଉଟ ହୋଇଥିଲେ। ପରେ ଅଧିନାୟକ ଶ୍ରେୟାସ ଆୟର ଓ ଫର୍ମରେ ଥିବା ଋଷଭ ପନ୍ତ୍‍ ୨ୟ ୱିକେଟ ପାଇଁ ୫୪ ରନ୍‍ ଯୋଡ଼ିଥିଲେ। ଆୟର ଧିମା ବ୍ୟାଟିଂକରି ୨୨ ବଲ୍‍ରୁ ୩ଟି ଚୌକା ସହ ୧୯ ରନ୍‍ କରି ପାରିଥିଲେ। ବାମହାତି ପନ୍ତ୍‍ ୨୬ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ରନ୍‍କରି ଆଉଟ ହୋଇଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ଖ୍ୟାତ ଗ୍ଲେନ୍‍ ମ୍ୟାକ୍ସୱେଲ ମାତ୍ର ୫ ରନ୍‍ କରି ପାରିଥିଲେ। ୧୭ ବର୍ଷ ବୟସ୍କ ଅଭିଷେକ ଶର୍ମା ମାତ୍ର ୨ ରନ୍‍ କରି ପାରିଥିଲେ। ୧୪.୪ ଓଭରରେ ଦିଲ୍ଲୀ ଡେୟାରଡେଭିଲ୍‍ସ ମାତ୍ର ୯୭ ରନ୍‍କରି ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା ଏବଂ ଦେଢ଼ଶହ ରନ୍‍ ଏହା ପାଇଁ କାଠିକର ପାଠ ମନେ ହୋଇଥିଲା। ତେବେ ବିଜୟ ଶଙ୍କର ଓ ହର୍ଷଲ ପଟେଲ ଲଢ଼ୁଆ ବ୍ୟାଟିଂକରି ଏହି ୩୨ ବଲ୍‍ରୁ ୬୭ ରନ୍‍ ଯୋଗ କରିବାରୁ ଦିଲ୍ଲୀ ସମ୍ମାନଜନକ ସ୍କୋର୍‍ରେ ପହଞ୍ଚି ପାରିଥିଲା। ତାମିଲନାଡ଼ୁର ବିଜୟ ଶଙ୍କର ୨୮ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୬ ଏବଂ ହର୍ଷଲ ପଟେଲ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୧୬ ବଲ୍‍ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୬ ରନ୍‍କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର ଲୁଙ୍ଗି ଏନ୍‍ଗିଡ଼ି ମାତ୍ର ୧୪ ରନ୍‍ଦେଇ ୩ଟି ୱିକେଟ ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୪ ଓଭରରୁ ମାତ୍ର ୧୯ ରନ୍‍ ଦେଇ ଗୋଟିଏ ୱିକେଟ ପାଇଥିଲେ।

Leave A Reply