ରାଜାଙ୍କ ଅର୍ଦ୍ଧଶତକ, ଲକ୍ଷ୍ନୌକୁ ହରାଇଲା ପଞ୍ଜାବ
ଲକ୍ଷ୍ନୌ: ଆଇପିଏଲ୍ରେ ଶନିବାର ବିଜୟୀ ହୋଇଛି ପଞ୍ଜାବ କିଙ୍ଗ୍ସ। ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସକୁ ୨ ୱିକେଟରେ ପଞ୍ଜାବ ପରାସ୍ତ କରିଛି। କେଏଲ୍ ରାହୁଲ ୭୪ ରନ୍ କରିଥିଲେ ହେଁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ବିଫଳ ହେବାରୁ ଲକ୍ଷ୍ନୌ ୮ ୱିକେଟରେ ୧୫୯ ରନ୍ କରି ପାରିଥିଲା। ସିକନ୍ଦର ରାଜା ଓ ମାଥ୍ୟୁ ସର୍ଟଙ୍କ ଲଢ଼ୁଆ ଇନିଂସ ପରେ ଶାହ୍ରୁଖ୍ ଖାଁଙ୍କ ଚମତ୍କାର ଫିନିସ୍ ଯୋଗୁଁ ୩ଟି ବଲ୍ ବାକିଥାଇ ୮ ୱିକେଟ ହରାଇ ପଞ୍ଜାବ ଜିତିଥିଲା। ପଞ୍ଜାବ କିଙ୍ଗ୍ସ ୫ମ ମ୍ୟାଚ୍ରେ ୩ୟ ବିଜୟ ହାସଲ କରିଛି। ଲକ୍ଷ୍ନୌ ୫ମ ମ୍ୟାଚ୍ରେ ୨ୟ ପରାଜୟ ଭୋଗିଛି।
୧୬୦ ରନ୍ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍ସ ଇନିଂସ ଆରମ୍ଭ କରିବା ପରେ ଯୁଦ୍ଧବୀର ସିଂହ ଉଭୟ ଓପ୍ନରଙ୍କୁ ଆଉଟ୍ କରି ଦେଇଥିଲେ। ଅଥର୍ବ ତାଇଡେ (୦) ଓ ପ୍ରଭସିମ୍ରନ୍ ସିଂହ (୪) ବିଦାୟ ନେଇଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ସର୍ଟ ଦର୍ଶନୀୟ ବ୍ୟାଟିଂ କରି ୨୨ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୪ ରନ୍ କରିଥିଲେ। ୧୧ ଓଭରରେ ସ୍କୋର୍ ୭୫ ରନ୍ ଥିବା ବେଳେ ହରପ୍ରୀତ ସିଂହ ଭାଟିଆ ୨୨ ବଲ୍ରୁ ୨୨ ରନ୍କରି ଆଉଟ୍ ହୋଇଥିଲେ। ସାମ୍ କରନ୍ ୬ ଓ ଜିତେଶ ଶର୍ମା ୨ ରନ୍ କରି ବିଦାୟ ନେଇଥିଲେ। ୩୪ ବଲ୍ରୁ ଜିମ୍ବାୱେର ସିକନ୍ଦର ରାଜା ଜୀବନର ପ୍ରଥମ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୪ ବଲ୍ରୁ ୨୧ ରନ୍ ଆବଶ୍ୟକ ଥିବା ବେଳେ ରାଜା ଆଉଟ୍ ହୋଇଥିଲେ। ସିକନ୍ଦର ରାଜା ୪୧ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୭ ରନ୍ କରିଥିଲେ। ଶେଷ ଓଭରରୁ ୭ ରନ୍ ଆବଶ୍ୟକ ଥିବା ବେଳେ ୩ଟି ବଲ୍ରୁ ଏହା ପଞ୍ଜାବ ହାସଲ କରି ନେଇଥିଲା। ଶାହ୍ରୁଖ୍ ଖାଁ ମ୍ୟାଚ୍ ବିଜୟୀ ଇନିଂସ ଖେଳି ୧୦ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍କରି ଅପରାଜିତ ଥିଲେ। ଯୁଦ୍ଧବୀର ସିଂହ, ମାର୍କ ଉଡ୍ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରାଜା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ଫିଲ୍ଡିଂ ନେବା ପରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଅଧିନାୟକ କେଏଲ୍ ରାହୁଲ ଓ କାଏଲ୍ ମେୟର୍ସ ୫୩ ରନ୍ର ଭାଗିଦାରୀ କରିଥିଲେ। ମେୟର୍ସ ୨୩ ବଲ୍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୯ ରନ୍ କରିଥିଲେ। ଦୀପକ ହୁଡା ୨ ରନ୍ କରିଥିଲେ। ରାହୁଲ ଓ କ୍ରୁନାଲ ପାଣ୍ଡ୍ୟା ୪୮ ରନ୍ ଯୋଡ଼ିଥିଲେ। କ୍ରୁନାଲ ୧୭ ବଲ୍ରୁ ୨ଟି ଚୌକା ସହ ୧୮ ରନ୍ କରିଥିଲେ। ଗତ ମ୍ୟାଚ୍ର ହିରୋ ନିକୋଲାସ୍ ପୁରନ୍ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ। ରାହୁଲ ଓ ମାର୍କସ ଷ୍ଟଇନିସ୍ ୩୧ ରନ୍ ଯୋଡ଼ିଥିଲେ। ଷ୍ଟଇନିସ୍ ୧୧ ବଲ୍ରୁ ୨ଟି ଛକା ଓ ୧୫ ରନ୍ କରିଥିଲେ। ୧୨ ରନ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଶେଷ ୪ଟି ୱିକେଟ ହରାଇଥିଲା। ୧୯ଶ ଓଭରରେ ଆଉଟ୍ ହୋଇଥିବା ରାହୁଲ ୫୬ ବଲ୍ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୭୪ ରନ୍ କରିଥିଲେ। ଶିଖର ଧାୱନଙ୍କ ସ୍ଥାନରେ ପଞ୍ଜାବର ନେତୃତ୍ବ ନେଇଥିବା ସାମ୍ କରନ୍ ୩ଟି ଓ କାଗିସୋ ରାବାଡା ୨ଟି ୱିକେଟ ନେଇଥିଲେ।
Comments are closed.