କଲକାତା ପ୍ଲେଅଫ୍‍ର ନିକଟତର

0

କଲକାତା : ଆଇପିଏଲ୍‍-୧୧ରେ ମଙ୍ଗଳବାର ରାଜସ୍ଥାନ ରୟାଲ୍‍ସକୁ ୬ ୱିକେଟରେ ହରାଇଛି କଲକାତା ନାଇଟ ରାଇଡର୍ସ (କେକେଆର୍‍)। ଓପ୍‍ନିଂ ଯୋଡ଼ି ୫ମ ଓଭରରେ ୬୩ ରନ୍‍ ଭାଗିଦାରୀ କରିବା ପରେ ମଧ୍ୟ ରାଜସ୍ଥାନ ୧୯ ଓଭରରେ ୧୪୨ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପରେ କ୍ରିସ୍‍ ଲିନ୍‍ଙ୍କ ୪୫ ରନ୍‍ ସହ ସାମୂହିକ ଯୋଗଦାନ ବଳରେ କେକେଆର୍‍ ୧୮ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ୧୩ଶ ମ୍ୟାଚ୍‍ରେ ୭ମ ବିଜୟ ପରେ କଲକାତା ପ୍ଲେଅଫ୍‍ର ନିକଟତର ହୋଇଛି। ତେବେ ରାଜସ୍ଥାନ ୧୩ଶ ମ୍ୟାଚ୍‍ରେ ୭ମ ପରାଜୟ ଭୋଗି ସଙ୍କଟରେ ପଡ଼ିଯାଇଛି।
ସମ୍ମୁଖରେ ୧୪୩ ରନ୍‍ ଲକ୍ଷ୍ୟ ଥିବା ବେଳେ କଲକାତା ଓପ୍‍ନର ସୁନୀଲ ନାରାୟଣ ପ୍ରଥମ ୪ଟି ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକାମାରି ଇନିଂସ ଆରମ୍ଭ କରିଥିଲେ। ୭ଟି ବଲ୍‍ରୁ ୨୧ ରନ୍‍କରି ନାରାୟଣ ୨ୟ ଓଭରରେ ଆଉଟ ହୋଇଥିଲେ। ପରେ ରବିନ୍‍ ଉଥପ୍ପା ୪ ରନ୍‍କରି ବିଦାୟ ନେଇଥିଲେ। ଓପ୍‍ନର କ୍ରିସ୍‍ ଲିନ୍‍ ଓ ନୀତୀଶ ରାଣା ୩ୟ ୱିକେଟ ପାଇଁ ଦ୍ରୁତ ୩୩ ରନ୍‍ ଯୋଡ଼ିବା ପରେ ବାମହାତି ରାଣା ୧୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‍କରି ଆଉଟ ହୋଇଥିଲେ। ପରେ ଲିନ୍‍ ଓ ଅଧିନାୟକ ଦିନେଶ କାର୍ତ୍ତିକ ୪ର୍ଥ ୱିକେଟ ପାଇଁ ୭ ଓଭରରେ ୪୮ ରନ୍‍ ଯୋଡ଼ିଥିଲେ। ଲିନ୍‍ ୪୨ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୫ ରନ୍‍କରି ଆଉଟ ହୋଇଥିଲେ। ପରେ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ କେକେଆର୍‍କୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ରସେଲ ୮ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଛକା ସହ ୨୦ ଏବଂ କାର୍ତ୍ତିକ ୨୮ ବଲ୍‍ରୁ ୪ଟି ଚୌକା ସହ ୩୧ ରନ୍‍କରି ଅପରାଜିତ ଥିଲେ। ବେନ୍‍ ଷ୍ଟୋକ୍‍ସ ୨ଟି ୱିକେଟ ନେଇଥିଲେ।
ଘରୋଇ କଲକାତା ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ରାଜସ୍ଥାନ ରୟାଲ୍‍ସର ଇନିଂସ ପୂରା ନାଟକୀୟ ଥିଲା। ପ୍ରଥମ ବଲ୍‍ରେ ରାହୁଲ ତ୍ରିପାଠୀଙ୍କ କ୍ୟାଚ୍‍ ଛାଡ଼ିଥିଲେ ନୀତୀଶ ରାଣା। ପ୍ରଥମ ଓଭରରେ ୨ ରନ୍‍ ହୋଇଥିବା ବେଳେ ୨ୟ ଓଭରର ୩ୟ ବଲ୍‍ରୁ କ୍ରମାଗତ ୧୦ଟି ବଲ୍‍ରେ ୧୦ଟି ବାଉଣ୍ଡରୀ ମାରିଥିଲେ ରାଜସ୍ଥାନର ଦୁଇ ଓପ୍‍ନର ଜୋସ୍‍ ବଟ୍‍ଲର ଓ ରାହୁଲ ତ୍ରିପାଠୀ। ପ୍ରସିଦ୍ଧ କୃଷ୍ଣଙ୍କ ଶେଷ ୪ଟି ବଲ୍‍ରୁ ରାହୁଲ ୬, ୪, ୪, ୪ ମାରିଥିବା ବେଳେ ଶିବମ୍‍ ମାଭି ବୋଲିଂ କରିଥିବା ୩ୟ ଓଭରରେ ୬ଟିଯାକ ବଲ୍‍ରେ ବଟ୍‍ଲର ୪, ୬, ୪, ୪, ୬ ଓ ୪ ମାରିଥିଲେ। ୩ୟ ଓଭର ଶେଷରେ ରାଜସ୍ଥାନ ୪୯ ରନ୍‍ କରିଥିଲା। ପରବର୍ତ୍ତୀ ୧୫ ଓଭରରେ ରାଜସ୍ଥାନ ମାତ୍ର ୮୩ ରନ୍‍ ଯୋଗକରି ୧୦ଟିଯାକ ୱିକେଟ ହରାଇ ୨୦ ଓଭର ମଧ୍ୟ ଖେଳି ପାରିନଥିଲା। ଓପ୍‍ନିଂ ଯୋଡ଼ି ୬୩ ରନ୍‍ କରିବା ପରେ ରାହୁଲ ତ୍ରିପାଠୀ ମାତ୍ର ୧୫ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍‍କରି ପ୍ରଥମେ ଆଉଟ ହୋଇଥିଲେ। ଅଧିନାୟକ ରାହାଣେ ପୁଣି ବିଫଳ ହୋଇ ୧୧ ରନ୍‍କରି ଆଉଟ୍‍ ହୋଇଥିଲେ। ପରେ ସ୍ପିନର ବଟ୍‍ଲରଙ୍କୁ ବାନ୍ଧି ରଖିଥିଲେ। ୧୦ମ ଓଭରରେ ଆଉଟ ହୋଇଥିବା ବଟ୍‍ଲର ୨୨ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୩୯ ରନ୍‍ କରିଥିଲେ। ସଞ୍ଜୁ ସାମ୍‍ସନ ୧୨ ଓ ବେନ୍‍ ଷ୍ଟୋକ୍‍ସ ୧୧ ରନ୍‍କରି ଆଉଟ ହୋଇଥିଲେ। ଏହାସହ ୩୧ ରନ୍‍ରେ ରାଜସ୍ଥାନର ୬ଟି ୱିକେଟ ପଡ଼ି ଯାଇଥିଲା। ଜୟଦେବ ଉନାଦ୍‍କତ ଶେଷଆଡ଼କୁ ୧୮ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍‍ କରିଥିଲେ। ବାମହାତି କୁଲଦୀପ ଯାଦବ ୨୦ ରନ୍‍ଦେଇ ୪ଟି ୱିକେଟ ଏବଂ ଆନ୍ଦ୍ରେ ରସେଲ ଓ ପ୍ରସିଦ୍ଧ କୃଷ୍ଣ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Leave A Reply