ହାର୍ଦିକଙ୍କ ୮୭*; ରାଜସ୍ଥାନକୁ ହରାଇ ଶୀର୍ଷରେ ଗୁଜରାଟ
ମୁମ୍ବଇ : ଚଳିତ ଆଇପିଏଲ୍ରେ ଗୁରୁବାର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ଗୁଜରାଟ ଟାଇଟାନ୍ସ। ରାଜସ୍ଥାନକୁ ୩୭ ରନ୍ରେ ପରାସ୍ତକରି ଟେବୁଲ୍ର ଶୀର୍ଷରେ ପହଞ୍ଚିଛି ଗୁଜରାଟ ଟାଇଟାନ୍ସ। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୮୭ ଏବଂ ଅଭିନବ ମନୋହର ଓ ଡେଭିଡ୍ ମିଲରଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ୪ ୱିକେଟରେ ୧୯୨ ରନ୍ କରିଥିଲା। ଜୋସ୍ ବଟ୍ଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ରାଜସ୍ଥାନ ନିମ୍ନମାନର ପ୍ରଦର୍ଶନ କରି ୯ ୱିକେଟ ହରାଇ ୧୫୫ ରନ୍ କରି ପାରିଥିଲା। ୫ମ ମ୍ୟାଚ୍ରେ ୪ର୍ଥ ବିଜୟ ହାସଲକରି ଗୁଜରାଟ ଟାଇଟାନ୍ସ ସର୍ବାଧିକ ୮ ପଏଣ୍ଟ ପାଇଛି। ରାଜସ୍ଥାନ ୫ମ ମ୍ୟାଚ୍ରେ ୨ୟ ପରାଜୟ ଭୋଗିଛି।
୧୯୩ ରନ୍ ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍ସ ୬ ଓଭରର ପାୱରପ୍ଲେ ଶେଷରେ ୬୫ ରନ୍ କରିଥିଲା। ଜୋସ୍ ବଟ୍ଲର ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟ ପଟୁ ଦେବଦତ୍ତ ପାଡିକଲ ୦ ଓ ରବିଚନ୍ଦ୍ରନ ଅଶ୍ବିନ ୮ ରନ୍କରି ଆଉଟ ହୋଇଥିଲେ। ପରେ ଅଧିନାୟକ ସଞ୍ଜୁ ସାମ୍ସନ ୧୧ ରନ୍କରି ରନ୍ଆଉଟ୍ ହୋଇଥିଲେ। ବଟ୍ଲର ମାତ୍ର ୨୪ ବଲ୍ରୁ ୩ଟି ଛକା ଓ ୮ଟି ଚୌକା ସହ ୫୪ ରନ୍କରି ଆଉଟ ହୋଇଥିଲେ। ରାସି ଭାନ୍ ଡର୍ ଡ୍ୟୁସେନ୍ ୬ ରନ୍ କରିଥିଲେ। ୯୦ ରନ୍ରେ ୫ଟି ୱିକେଟ ପଡ଼ିବା ପରେ ସିମ୍ରନ୍ ହେତ୍ମେୟର ୧୭ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍କରି ଆଉଟ ହୋଇଥିଲେ। ରିୟାନ୍ ପରାଗ ୧୮ ଓ ଜେମ୍ସ ନିସାମ୍ ୧୭ ରନ୍କରି ଆଉଟ୍ ହୋଇଥିଲେ। ଯଶ ଦୟାଲ ଓ ଲୋକି ଫର୍ଗୁସନ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ। ମ୍ୟାଚ୍ ବିଜୟୀ ଇନିଂସ ଯୋଗୁଁ ହାର୍ଦିକ ପାଣ୍ଡ୍ୟା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ନେବା ପରେ ଗୁଜରାଟ ଟାଇଟାନ୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଓପ୍ନର ମାଥ୍ୟୁ ୱେଡ୍ ୩ଟି ଚୌକା ସହ ୧୨ ରନ୍କରି ଆଉଟ୍ ହୋଇଥିଲେ। ପରେ ବିଜୟ ଶଙ୍କର ମାତ୍ର ୨ ରନ୍କରି ବିଦାୟ ନେଇଥିଲେ। ୭ମ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ଥିବା ଓପ୍ନର ଶୁବ୍ମାନ ଗିଲ୍ ୧୪ ବଲ୍ରୁ ୨ଟି ଚୌକା ସହ ୧୩ ରନ୍କରି ଆଉଟ ହୋଇଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ଓ ଅଭିନବ ମନୋହର କିଛି ଓଭର ସେଟ୍ ହେବା ପରେ ୧୩ଶ ଓଭରରୁ ପ୍ରହାର ଆରମ୍ଭ କରିଥିଲେ। ଫଳରେ ୧୨ ଓଭରରେ ୮୭ ରନ୍ କରିଥିବା ଗୁଜରାଟ ଶେଷ ୮ ଓଭରରୁ ୧୦୫ ରନ୍ କରିବାରୁ ଏହା ୧୯୨ ରନ୍ କରିଥିଲା। ହାର୍ଦିକ ଓ କର୍ଣ୍ଣାଟକର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ଅଭିନବ ମନୋହର ୪ର୍ଥ ୱିକେଟ ଯୋଡ଼ିରେ ୯ ଓଭରରୁ ୮୬ ରନ୍ ନେଇଥିଲେ। ମନୋହର ପ୍ରଭାବଶାଳୀ ବ୍ୟାଟିଂକରି ୨୮ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୪୩ ରନ୍ କରିଥିଲେ। ପରେ ଇନିଂସ ଶେଷ ପର୍ଯ୍ୟନ୍ତ ହାର୍ଦିକ ଓ ଡେଭିଡ୍ ମିଲର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ୩ ଓଭରରୁ ୪୭ ରନ୍ ହୋଇଥିଲା। ହାର୍ଦିକ ଅର୍ଦ୍ଧଶତକ ପୂରଣକରି ୫୨ ବଲ୍ରୁ ୪ଟି ଛକା ଓ ୮ଟି ଚୌକା ସହ ୮୭ ରନ୍କରି ଅପରାଜିତ ଥିଲେ। ମିଲର ୧୪ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୧ ରନ୍କରି ଅପରାଜିତ ରହିଥିଲେ।
Comments are closed.