ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ : ଆଜି ଭାରତ- ଲେବାନନ ଫାଇନାଲ

କଟକ  : ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ତୃତୀୟ ସଂସ୍କରଣର ଫାଇନାଲ ରବିବାର ଭାରତ ଓ ଲେବାନନ ମଧ୍ୟରେ ଖେଳାଯିବ। ଫିଫା ମାନ୍ୟତାର ପାଖାପାଖି ସ୍ଥାନରେ ଥିବା ଦୁଇ ଦଳ ଟ୍ରଫି ଜିତିବା ନେଇ ଉଦ୍ୟମ କରିବେ। ଘରୋଇ ଭାରତ ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଥିବାବେଳେ ଲେବାନନ ପ୍ରଥମ ଥର ବିଜେତା ହେବାକୁ ଉଦ୍ୟମ କରିବ। ଦୁଇ ଦଳ ଏପର୍ଯ୍ୟନ୍ତ ପ୍ରତିଯୋଗିତାରେ ଅପରାଜୟ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।
ଲିଗ୍‌ ପର୍ଯ୍ୟାୟରେ ଭାରତ ୨-୦ ଗୋଲରେ ମଙ୍ଗୋଲିଆକୁ ଓ ୧-୦ ଗୋଲରେ ଭାନୁଆଟୁକୁ ପରାସ୍ତ କରିଥିବାବେଳେ ଲେବାନନ ସହିତ ମ୍ୟାଚ ଡ୍ର ରଖିଥିଲା। ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧିନ ଭାରତ ଏବେ ଫିଫା ମାନ୍ୟତାର ୧୦୧ ତମ ସ୍ଥାନରେ ରହିଥିବାବେଳେ ଲେବାନନ ୯୯ତମ ସ୍ଥାନରେ ରହିଛି। ଏଏଫ୍‌ସି ଏସିଆନ କପ୍‌ ପୂର୍ବରୁ ଇଗାର ଷ୍ଟିମାକ୍‌ଙ୍କ ପ୍ରଶିକ୍ଷଣପ୍ରାପ୍ତ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଜିତି ମନୋବଳ ଉଚ୍ଚ କରିବାର ଲକ୍ଷ୍ୟ ରଖିଛି। ଭାନୁଆଟୁ ଓ ମଙ୍ଗୋଲିଆ ଅପେକ୍ଷା ଲେବାନନ ଅଧିକ ଶକ୍ତିଶାଳୀ ହୋଇଥିବାରୁ ଭାରତ ପାଇଁ ଉକ୍ତ ଫାଇନାଲ ବଡ଼ ପରୀକ୍ଷା। ମୁଖ୍ୟ ପ୍ରଶିକ୍ଷକ ଷ୍ଟିମାକ୍‌ କହିଛନ୍ତି ଯେ, ଶେଷ ଲିଗ୍‌ ମ୍ୟାଚରେ ଲେବାନନ ବିପକ୍ଷରେ ଏକାଧିକ ଖେଳାଳିଙ୍କୁ ବିଶ୍ରାମ ଦେଇ ଭାରତ ଖେଳିଥିଲା। ସୁନୀଲ ଛେତ୍ରୀ,ଲାଲିନଜୁଆଲା ଚାଙ୍ଗେଟ, ସାହଲ ଅବଦୁଲ ସାମଦ ପ୍ରମୁଖ ପ୍ରତିଯୋଗିତାରେ ଗୋଲ ସ୍କୋର କରିଛନ୍ତି। ଗୋଲରକ୍ଷକ ଅମରିନ୍ଦର ସିଂହ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ସନ୍ଦେଶ ଝିଙ୍ଗାନ ଓ ଅମରିନ୍ଦର ଆଇଏସ୍‌ଏଲରେ କଳିଙ୍ଗ ଷ୍ଟାଡ଼ିୟମରେ ଏକାଧିକ ମ୍ୟାଚ ଖେଳିଛନ୍ତି। ଘରୋଇ ଦର୍ଶକଙ୍କ ସମର୍ଥନ ଦଳକୁ ଭଲ ପ୍ରଦର୍ଶନ ନେଇ ଉତ୍ସାହିତ କରିବ ବୋଲି ଷ୍ଟିମାକ୍‌ କହିଛନ୍ତି। ଲେବାନନ ବହୁତ ଶକ୍ତିଶାଳୀ। ଆମକୁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପଡିବ। ଲେବାନନକୁ ହରାଇବା ନେଇ ଦୃଢ ଆଶାବାଦୀ ବୋଲି ଷ୍ଟିମାକ୍‌ କହିଛନ୍ତି। ଅନ୍ୟପକ୍ଷରେ ଲେବାନନ ପ୍ରଥମ ମ୍ୟାଚରେ ୩-୧ ଗୋଲରେ ଭାନୁଆଟୁକୁ ପରାସ୍ତ କରିଥିବାବେଳେ ମଙ୍ଗୋଲିଅା ଓ ଭାରତ ସହିତ ମ୍ୟାଚ ଗୋଲଶୂନ୍ୟ ରହିଥିଲା। ଭାରତୀୟ ଫୁଟବଲ ଏବେ ବହୁତ ଆଗରେ ରହିଛି। ପ୍ରତିଯୋଗିତାର ସଫଳ ଆୟୋଜନ ସହ ଭାରତ କ୍ରମାଗତ ଭାବେ ମ୍ୟାଚ ଖେଳି ଉନ୍ନତି କରୁଛି। ଘରୋଇ ପଡିଆରେ ଭାରତକୁ ହରାଇବା ନେଇ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ୧୯୬୪ ପରେ ଭାରତକୁ ଏକ ପ୍ରତିଯୋଗିତା ଖେଳିବାକୁ ଆସିଛୁ। ଇଣ୍ଟରକଣ୍ଟିନେଣ୍ଟାଲ ଟ୍ରଫି ଜିତିବା ଆମର ଲକ୍ଷ୍ୟ ବୋଲି ଲେବାନନ ମୁଖ୍ୟ ପ୍ରଶିକ୍ଷକ ଏଲିସ କହିଛନ୍ତି। ଫାଇନାଲ ପୂର୍ବରୁ ଶନିବାର କଳିଙ୍ଗ ଷ୍ଟାଡ଼ିୟମରେ ଟ୍ରଫି ଅନାବରଣ କରାଯାଇଥିଲା।

Comments are closed.