ସ୍କୁଟି ଡିକି ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ

ଆଠଗଡ :  ବାଇକ ଓ ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟ ଘଟଣା ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଘଟିବା ଏବଂ ତାହା ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଲୋକେ ଚେତୁ ନାହାଁନ୍ତି । ଏହି ଭଳି ଏକ ଘଟଣା ବୁଧବାର ଆଠଗଡଠାରେ ଘଟିଥିବା ଜଣାପଡିଛି। ଜଣେ ମହିଳା ତାଙ୍କ ମାଆଙ୍କ ସହିତ ଆଠଗଡ ଉପକୋଷାଗାର ଯାଇଥିବାବେଳେ ତାଙ୍କ ସ୍କୁଟି ଡିକିରେ ଥିବା ଅଢେଇ ଲକ୍ଷ ଟଙ୍କା ଡିକି ଭାଙ୍ଗି କେହି ଦୁର୍ବୁତ୍ତ ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଆଠଗଡ ହାଉସିଂବୋର୍ଡ କଲୋନୀରେ ରହୁଥିବା ରଶ୍ମିତା ରାଉତ ନାମକ ଜଣେ ମହିଳା ତାଙ୍କ ମାଆଙ୍କୁ ନେଇ ଦିନ ୧୨ଟାରେ ବୀରକିଶୋରପୁରସ୍ଥିତ ୟୁକୋ ବ୍ୟାଙ୍କରୁ ୨ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖି ଉପକୋଷାଗାରକୁ କୌଣସି କାମ ପାଇଁ ଆସିଥିଲେ। ଉପକୋଷାଗାର ପରିସରରେ ସ୍କୁଟିକୁ ରଖି କାର୍ଯ୍ୟାଳୟ ଭିତରକୁ ଯାଇ ପ୍ରାୟ ୧୫-୨୦ମିନିଟ ମଧ୍ୟରେ ଫେରିବା ବେଳକୁ ତାଙ୍କ ଡିକି ଭଙ୍ଗାଯାଇ ଟଙ୍କା ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ରଶ୍ମିତା ଆଠଗଡ ଥାନାକୁ ଯାଇ ତୁରନ୍ତ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆଇଆଇସି ବାମଦେବ ସ୍ୱାଇଁ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଆସି ଉପକୋଷାଗାର ଏବଂ ୟୁକୋ ବ୍ୟାଙ୍କର ସିସିଟିଭି ଯାଞ୍ଚ କରିବା ବେଳେ ଦୁଇଜଣ ଦୁର୍ବୁତ୍ତ ଏହି କାର୍ଯ୍ୟ କରିଥିବା ଜାଣିବାକୁ ପାଇଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଛି ଓ ଖୁବ୍‌‌ଶୀଘ୍ର ଦୁର୍ବୁତ୍ତଙ୍କୁ ଧରାଯିବ ବୋଲି ଆଇଆଇସି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

kalyan agarbati

Comments are closed.