ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରତିଶୋଧ ନେବାକୁ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ ଏକାଧିକ କୂଟନୈତିକ ପଦକ୍ଷେପ ଗ୍ରହଣ କରାଯାଇଛି। ସିନ୍ଧୁ ନଦୀଜଳ ଚୁକ୍ତିକୁ ସ୍ଥଗିତ ରଖିବା ଏଥିମଧ୍ୟରେ ଅନ୍ୟତମ। ଭାରତର ଏଭଳି ନିଷ୍ପତ୍ତି ଫଳରେ ପାକିସ୍ତାନରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଥିବାବେଳେ କେତେକ ସ୍ଥାନରେ ମରୁଡି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ପାକିସ୍ତାନ ପ୍ରଥମେ ଏହି ପ୍ରସଙ୍ଗ ନେଇ ଭାରତକୁ ଧମକ ଦେବା ଆରମ୍ଭ କରିଥିଲା। ତେବେ ଅପରେସନ ସିନ୍ଦୂରର ପରିଣାମ ଭୋଗିବା ପରେ ପାକିସ୍ତାନର ସ୍ବର ନରମିବାରେ ଲାଗିଛି। ସିନ୍ଧୁ ନଦୀଜଳ ଚୁକ୍ତିର ପୁନର୍ବିଚାର କରିବାକୁ ପାକିସ୍ତାନ ଇତିମଧ୍ୟରେ ଭାରତକୁ ୪ଟି ଚିଠି ଲେଖିସାରିଥିବା ଜଣାପଡିଛି। ପାକିସ୍ତାନ ଜଳସମ୍ପଦ ବିଭାଗ ସଚିବ ସୟଦ ଅଲ୍ଲୀ ମୁର୍ତାଜା ଏହି ଚିଠିଗୁଡିକ ପଠାଇଛନ୍ତି। ଭାରତର ଜଳଶକ୍ତି ମନ୍ତ୍ରଣାଳୟ ଇତିମଧ୍ୟରେ ଉକ୍ତ ୪ଟି ଚିଠିକୁ ବିଦେଶ ମନ୍ତ୍ରଣାଳୟକୁ ପଠାଇ ଦେଇଛି। ଭାରତକୁ ଚିଠି ଲେଖିବା ସହ ପାକିସ୍ତାନ ଏହି ପ୍ରସଙ୍ଗରେ ବିଶ୍ବ ବ୍ୟାଙ୍କର ଦ୍ବାରସ୍ଥ ହୋଇଛି।
ସୂଚନାଯୋଗ୍ୟ ୧୯୬୦ରେ ବିଶ୍ବ ବ୍ୟାଙ୍କ ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ପୂର୍ବ ଦିଗରେ ପ୍ରବାହିତ ସତ୍ଲେଜ, ବ୍ୟାସ୍ ଓ ରବି ନଦୀର ଜଳ ଭାରତ ବ୍ୟବହାର କରୁଥିବାବେଳେ ପଶ୍ଚିମ ଦିଗରେ ପ୍ରବାହିତ ସିନ୍ଧୁ, ଝେଲମ ଓ ଚେନାବ୍ ନଦୀ ଜଳ ପାକିସ୍ତାନ ଭାଗରେ ପଡିଛି। ତେବେ ଏହି ସବୁ ନଦୀ ଭାରତ ଦେଇ ପ୍ରବାହିତ ହେଉଥିବାରୁ ଭାରତ ସୁବିଧାଜନକ ସ୍ଥିତିରେ ରହିଛି। ଉପରମୁଣ୍ଡରେ ଭାରତ ନିର୍ମାଣ କରିଥିବା ଡ୍ୟାମ୍ରୁ ପାଣି ନ ଛାଡିଲେ, ପାକିସ୍ତାନ ହଇରାଣ ହେବା ନିଶ୍ଚିତ। ଅପରପକ୍ଷରେ ଭାରତ ଯଦି ଆବଶ୍ୟକତାଠାରୁ ଅଧିକ ପାଣି ଛାଡେ, ତେବେ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ।



