ଭିଏତ୍‌ନାମ ସହ ବାଣିଜ୍ୟିକ ସମ୍ପର୍କ ପାଇଁ ରହିଛି ପର୍ଯ୍ୟାପ୍ତ ସୁଯୋଗ

ଓଡ଼ିଶାରୁ ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ବ

ଭୁବ‌େ‌ନଶ୍ବର : ଭିଏତନାମ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପର୍ଯ୍ୟଟନ ଏବଂ ଆତିଥେୟତା ପରି କୃଷି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାରୁ ବିଭିନ୍ନ ସାମଗ୍ରୀ ଭିଏତନାମକୁ ରପ୍ତାନି କରାଯାଇପାରିବ। ହୋ ଚି ମିନ୍ ସିଟିରେ ଅବସ୍ଥାପିତ ଭାରତର ବାଣିଜ୍ୟିକ ଦୂତ ଡ. ମଦନ ମୋହନ ସେଠୀ ଜଣେ ଓଡ଼ିଆ। ଆଗାମୀ ଏକବର୍ଷ ମଧ୍ୟରେ ଓଡ଼ିଶା ସେଠାରେ ଭଲ ବ୍ୟବସାୟ କରୁ ବୋଲି ସେ ଆଶା ରଖିଛନ୍ତି। ଓଡ଼ିଶାରୁ କିପରି ଅଧିକରୁ ଅଧିକ ସାମଗ୍ରୀ ସେଠାକୁ ରପ୍ତାନି ହୋଇପାରିବ, ସେ ଦିଗରେ ବିଚାର କରାଯିବା ଦରକାର ବୋଲି ନିକଟରେ ଭିଏତନାମରୁ ଫେରିଥିବା ବ୍ୟବସାୟିକ ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି।
ଡ. ସେଠୀଙ୍କ ନିମନ୍ତ୍ରଣକ୍ରମେ ଭୁବନେଶ୍ବରସ୍ଥିତ ବିଶ୍ବ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ର ସଂଯୋଜନାରେ ଏମଏସଏମଇ ବିଭାଗ ସହାୟତାରେ ଓଡ଼ିଶାରୁ ଏକ ୮ ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ଗତ ମାସରେ ଭିଏତନାମ ଗସ୍ତ କରିଥିଲେ। ସେଠାରେ ଭାରତ ଏବଂ ଭିଏତନାମ ମଧ୍ୟରେ ବ୍ୟବସାୟିକ ସମ୍ଭାବନା ଏବଂ ଔଦ୍ୟୋଗିକ ବନ୍ଧୁତା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ପ୍ରତିନିଧି ଦଳ ସଦସ୍ୟ ପ୍ରକାଶ କରିଛନ୍ତି। ଏହି ପ୍ରତିନିିଧି ଦଳରେ ସ୍ବସ୍ତି ଗ୍ରୁପ୍ ଅଧ୍ୟକ୍ଷ ଜେକେ ମହାନ୍ତି, ଆଇଟି ଏବଂ ଆଇଟିଇଏସର ପ୍ରଦୀପ୍ତ ମହାନ୍ତି ଏବଂ ଅଶ୍ବିନୀ ରଥ, ରାଜେନ ପାଢ଼ୀ (ସାମୁଦ୍ରିକ ଖାଦ୍ୟ), ସଞ୍ଜୀବ ମହାପାତ୍ର (ମେସିନାରୀ), ଜ୍ୟୋତ୍ସ୍ନା ଦାସ (ହସ୍ତଶିଳ୍ପ, ହସ୍ତତନ୍ତ), ଶ୍ୟାମା ଝା (ମାଣ୍ଡିଆ), ଆକାଶ ଝୁନଝୁନୱାଲା (ମସଲା) ସାମିଲ ଥିଲେ। ଏଥିସହ ରପ୍ତାନି, ପ୍ରୋତ୍ସାହନ ଏବଂ ବିପଣନ (ଇପିଏମ)ର ନିର୍ଦେଶକ ଦିଲୀପ ସାହୁ ଏବଂ ଡବ୍ଲ୍ୟୁଟିସି ଭୁବନେଶ୍ବର ପକ୍ଷରୁ ଶ୍ବେତା ବିଶ୍ବାଳ ମଧ୍ୟ ଏହି ଦଳରେ ରହିଥିଲେ।
ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଯେ ରପ୍ତାନି ଦୃଷ୍ଟିରୁ ଭାରତ ଠାରୁ ଭିଏତନାମ ଆଗରେ ରହିଛି। ବହୁ ସାମଗ୍ରୀକୁ ରପ୍ତାନି ପରେ ଏହାର ମୂଲ୍ୟଯୁକ୍ତ (ଭାଲ୍ୟୁ ଆଡିସନ) କରି ଭିଏତନାମ ବାହାରକୁ ପଠାଉଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ସେଠାରେ ଭଲ ସୁଯୋଗ ରହିଛି। ସେହିପରି କୃଷିଭିତ୍ତିକ ସାମଗ୍ରୀ, ମାଣ୍ଡିଆ ଆଦିର ମଧ୍ୟ ଚାହିଦା ଦେଖିବାକୁ ମିଳିଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସେଠାରେ ଓଡ଼ିଶା ପାଇଁ ବହୁ ସମ୍ଭାବନା ରହିଛି। ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଗକୁ ଓଡ଼ିଶାରୁ ଭିଏତନାମକୁ ରପ୍ତାନି ବଢ଼ିବ ବୋଲି ପ୍ରତିନିଧି ଦଳ ଆଶା ରଖିଛି। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀ‌‌େ‌‌ର ହୋଟେଲ ସଂଖ୍ୟା ବଢ଼ାଇବାକୁ ସୁପାରିସ କରାଯାଇଛି। ସେହିପରି ଭୁବନେଶ୍ବରରୁ ଥାଇଲାଣ୍ଡ, ମାଲେସିଆ, ଦୁବାଇ, ନେପାଳ, ଭିଏତନାମ, ବାଂଲାଦେଶ, ସିଙ୍ଗାପୁରକୁ ବିମାନ ଚଳାଚଳ ଉପରେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି।

kalyan agarbati

Comments are closed.