ସପ୍ତମ ଥର ମହିଳା ଏସିଆ କପ୍ ଜିତିଲା ଭାରତ
ସିଲ୍ହଟ୍: ଭାରତୀୟ ମହିଳା କ୍ରିକେଟ ଦଳ ସପ୍ତମ ଥର ପାଇଁ ମହିଳା ଏସିଆ କପ୍ ଟ୍ରଫି ହାସଲ କରିଛି। ବାଂଲାଦେଶର ସିଲହଟରେ ଶନିବାର ଖେଳାଯାଇଥିବା ଅଷ୍ଟମ ସଂସ୍କରଣ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ସପ୍ତମ ଥର ପାଇଁ ଚମ୍ପିଆନ ହୋଇଛି। ଏଥି ସହିତ ଭାରତ ୮ଟି ସଂସ୍କରଣ ମଧ୍ୟରୁ ୭ଥର ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛି। ଶ୍ରୀଲଙ୍କା ବିଜୟ ପାଇଁ ଭାରତ ସମ୍ମୁଖରେ ୬୬ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ଜବାବରେ ଭାରତ ସ୍ମୃତି ମାନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୮.୩ ଓଭର ଖେଳି ଦୁଇ ୱିକେଟ ବିନିମୟେର ୭୧ରନ କରି ବିଜୟୀ ହୋଇଥିଲା। ଓପନର ଶେଫାଳି ବର୍ମା ୫ ଓ ଜେମିମା ରୋଡିଗ୍ବେଜ ୨ରନ କରି ଆଉଟ୍ ହୋଇଥିବାବେଳେ ସ୍ମୃତି ମାନ୍ଧାନା ୨୫ଟି ବଲରୁ ୬ଟି ଚୌକା ଓ ୩ଟି ଛକା ସହ ୫୧ ଓ ଅଧିନାୟିକା ହରମନପ୍ରୀତ କୌର ୧୧ରନ କରି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ପକ୍ଷରୁ ଇନୋକା ରାନାୱାରା ଓ କାଭିଶା ଦିଲାରି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟମ ଥର ପାଇଁ ଫାଇନାଲ ଖେଳିଥିବା ଭାରତୀୟ ମହିଳା ଦଳର ବୋଲରଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟରମାନେ ତିଷ୍ଠି ପାରିନଥିଲେ। ଦଳ ୩୨ ରନ ମଧ୍ୟରେ ୮ଟି ୱିକେଟ ହରାଇଥିଲା।
ଶେଷ ଆଡ଼କୁ ଓହାଡି ରାଣାସିଙ୍ଘେ ୧୧ ଓ ଇନୋକା ରାନାୱାରାଙ୍କ ୧୮ରନ ବଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୬୫ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରେଣୁକା ସିଂହ ୩ଟି, ରାଜେଶ୍ବରୀ ଗାଏକ୍ବାର୍ଡ ଓ ସ୍ନେହ ରଣା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ରେଣୁକା ସିଂହ ପ୍ଲେୟାର ଅଫ ଦି ମ୍ୟାଚ ଓ ଦୀପ୍ତି ଶର୍ମା ପ୍ଳେୟାର ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ। ଭାରତ ପୂର୍ବରୁ ୨୦୦୪, ୨୦୦୫, ୨୦୦୬, ୨୦୦୮, ୨୦୧୨, ୨୦୧୬ରେ ଚମ୍ପିଆନ ହୋଇଥିବାବେଳେ ୨୦୧୮ରେ ରନର୍ସଅପ ହୋଇଥିଲା।
Comments are closed.