ସୁଭାଷ ବୋଷ ବଞ୍ଚିଥିଲେ ଭାରତ ବିଭାଜିତ ହୋଇନଥାନ୍ତା : ଡୋଭାଲ
ନୂଆଦିଲ୍ଲୀ : ଭାରତ ସ୍ବାଧୀନତା ହାସଲ କରିବା ସମୟରେ ଯଦି ସୁଭାଷ ବୋଷ ଜୀବିତ ଥାନ୍ତେ ତେବେ ଦେଶ ବିଭାଜନ ହୋଇନଥାନ୍ତା ବୋଲି ମତ ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ।
ଏଠାରେ ଆୟୋଜିତ ନେତାଜୀ ସୁଭାଷ ବୋଷ ସ୍ମାରକୀ ବକ୍ତୃତାମାଳାରେ ଉଦ୍ବୋଧନ ଦେଇ ଡୋଭାଲ କହିଥିଲେ ସୁଭାଷ ବୋଷଙ୍କୁ ନିଜ ନେତା ବୋଲି ସ୍ବୀକାର କରିଥାନ୍ତେ ବୋଲି ମହମ୍ମଦ ଅଲ୍ଲି ଜିନ୍ନା କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଯଦି ଦେଶ ବିଭାଜନ ସମୟରେ ସୁଭାଷ ବୋଷ ଜୀବିତ ଥାନ୍ତେ ତେବେ ଦେଶ ବିଭାଜନ ହୋଇନଥାନ୍ତା। ସୁଭାଷ ବୋଷଙ୍କ ନେତୃତ୍ବ ନେବା ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା ବୋଲି ଡୋଭାଲ ମତ ଦେଇଛନ୍ତି। ସୁଭାଷ ବୋଷ ଜଣେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହ ଦେଶର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ପରିବେଶରେ ପରିବର୍ତ୍ତନ ଆଣିବାରେ ସକ୍ଷମ ଥିଲେ। ସୁଭାଷ ବୋଷଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ମିଳିନଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ପ୍ରୟାସ ଜାରି ରଖିଥିବା ଡୋଭାଲ କହିଥିଲେ। ବ୍ରିଟିଶ ଶାସକଙ୍କ ଠାରୁ ସ୍ବାଧୀନତା ଭିକ୍ଷା କରିବେ ନାହିଁ ବୋଲି ସୁଭାଷ ସ୍ପଷ୍ଟ ଭାବେ ମତ ଦେଇଥିଲେ। ଏହା ତାଙ୍କୁ ଭାରତୀୟ ଇତିହାସରେ ଜଣେ ସ୍ବତନ୍ତ୍ର ସ୍ବାଧୀନତା ସଂଗ୍ରାମୀ ଭାବେ ମାନ୍ୟତା ପ୍ରଦାନ କରିଥିଲା। ସୁଭାଷ ବୋଷଙ୍କ ସାହସ ଅତୁଳନୀୟ ଥିଲା ବୋଲି ଡୋଭାଲ୍ କହିବା ସହ ସଶସ୍ତ୍ର ସଂଗ୍ରାମ ବଳରେ ସ୍ବାଧୀନତା ହାସଲ ପାଇଁ ସୁଭାଷ ବୋଷଙ୍କ ପ୍ରୟାସ ଚିର ସ୍ମରଣୀୟ ହୋଇ ରହିବ ବୋଲି ମତ ଦେଇଥିଲେ। ସୁଭାଷ ବୋଷ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ବୋଧ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଏପରି ବଳିଷ୍ଠ ବ୍ୟକ୍ତିତ୍ବ ବିଶ୍ବରେ କ୍ବଚିତ୍ ଦେଖିବାକୁ ମିଳନ୍ତି ବୋଲି ଡୋଭାଲ୍ କହିଥିଲେ।
Comments are closed.