ଚମକିଲେ ସୂର୍ଯ୍ୟ, ବିରାଟ ; ଭାରତ ଶୃଙ୍ଖଳା ବିଜୟୀ

ହାଇଦରାବାଦ : ପ୍ରଥମ ମ୍ୟାଚ୍‌ ହାରିବା ପରେ କ୍ରମାଗତ ୨ୟ ବିଜୟ ସହ ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳା ୨-୧ରେ ଜିିତି ନେଇଛି ଘରୋଇ ଭାରତ। ରବିବାର ରୋମାଞ୍ଚକର ୩ୟ ତଥା ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ଭାରତ ପରାସ୍ତ କରିଛି। କ୍ୟାମେରନ୍‌ ଗ୍ରୀନ୍‌ ଓ ଟିମ୍ ଡେଭିଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଅଷ୍ଟ୍ରେଲିଆ ୭ ୱିକେଟ୍‌ରେ ୧୮୬ ରନ୍‌ କରିଥିଲା। ପରେ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଗୋଟିଏ ବଲ୍‌ ବାକିଥାଇ ୪ ୱିକେଟ ହରାଇ ଭାରତ ଜିତିଥିଲା। ଭାରତର ଏହି ଶୃଙ୍ଖଳା ବିଜୟ ବିଶ୍ବକପ୍‌ ପୂର୍ବରୁ ଦଳକୁ ନିଶ୍ଚୟ ଉତ୍ସାହିତ କରିବ। ୨୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ।
ଭାରତ ୧୮୭ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ​‌େ​ବ​‌େ​‌ଳ କେ.ଏଲ୍‌. ରାହୁଲ ପ୍ରଥମ ଓଭରରେ ୧ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍‌କରି ବିଦାୟ ନେଇଥିଲେ। ୩୦ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ୩ୟ ୱିକେଟରେ ୧୦୪ ରନ୍‌ ଯୋଡ଼ିଥିଲେ। ବିସ୍ଫୋରକ ବ୍ୟାଟିଂକରି ସୂର୍ଯ୍ୟକୁମାର ୩୬ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୬୯ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବିରାଟ କୋହଲି ୩୩ତମ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ ପୂରଣ କରିଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ସହ କୋହଲି ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୩ ଓଭରରୁ ଭାରତ ୩୨ ରନ୍‌ ଆବଶ୍ୟକ କରୁଥିବା ବେଳେ ମ୍ୟାଚ୍‌ ରୋମାଞ୍ଚକର ହୋଇ ଯାଇଥିଲା। କୋହଲି ଶେଷ ଓଭରରେ ୪୮ ବଲ୍‌ରୁ ୬ଟି ଛକା ଓ ୩ଟି ଚୌକା ସହ ୬୩ ରନ୍‌କରି ଆଉଟ୍‌ ହୋଇଥିଲେ। ୫ମ ବଲ୍‌ରେ ଚୌକାମାରି ହାର୍ଦିକ ଭାରତକୁ ଜିତାଇଥିଲେ। ହାର୍ଦିକ ୧୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍‌କରି ଅପରାଜିତ ଥିଲେ। ଡାନିଏଲ୍‌ ସାମ୍‌ସ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ଭାରତ ଫିଲ୍‌ଡିଂ ନେବା ପରେ ଅଷ୍ଟ୍ରେଲୀୟ ଓପ୍‌ନର କ୍ୟାମେରନ୍ ଗ୍ରୀନ୍‌ ପ୍ରଥମ ଓଭରରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍‌ ୭ ରନ୍‌କରି ଆଉଟ୍ ହୋଇଥିଲେ। ୫ ଓଭରରେ ଅଷ୍ଟ୍ରେଲିଆ ୬୨ ରନ୍‌ କରିଥିବା ବେଳେ ଗ୍ରୀନ୍ ଆଉଟ୍ ହୋଇଥିଲେ। ଗ୍ରୀନ୍‌ ୨୧ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ବିଧ୍ବଂସୀ ୫୨ ରନ୍‌ କରିଥିଲେ। ଅଷ୍ଟ୍ରେଲିଆର ମଧ୍ୟକ୍ରମ ବିଫଳ ହୋଇଥିଲା। ଷ୍ଟିଭେନ୍ ସ୍ମିଥ୍ ୯ ଓ ଗ୍ଲେନ୍‌ ମ୍ୟାକ୍ସୱେଲ ୬ ରନ୍‌ କରିଥିଲେ। ଜୋସ୍‌ ଇଙ୍ଗ୍‌ଲିସ୍ ୨୨ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌ କରିଥିଲେ। ମାଥ୍ୟୁ ୱେଡ୍‌ ୧ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ୧୧୭ ରନ୍‌ରେ ୬ଟି ୱିକେଟ ହରାଇବା ପରେ ଏହା ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ଟିମ୍ ଡେଭିଡ୍‌ ଓ ଡାନିଏଲ୍‌ ସାମ୍‌ସ। ଦୁହେଁ ଆକ୍ରମଣ କରି ୭ମ ୱିକେଟ ପାଇଁ ୩୪ ବଲ୍‌ରୁ ୬୮ ରନ୍‌ ଯୋଡ଼ିଥିଲେ। ସାମ୍‌ସ ୨୦ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୮ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ୩ୟ ମ୍ୟାଚ୍‌ ଖେଳି ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ସିଙ୍ଗାପୁର ଜନ୍ମିତ ଟିମ୍ ଡେଭିଡ୍‌ ବିଧ୍ବଂସୀ ବ୍ୟାଟିଂକରି ୨୭ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୫୪ ରନ୍‌ କରିଥିଲେ। କ୍ରମାଗତ ୩ୟ ମ୍ୟାଚ୍‌ରେ ଚମତ୍କାର ବୋଲିଂକରି ଅକ୍ଷର ପଟେଲ ୩ଟି ୱିକେଟ ନେଇଥିଲେ। ଯଶପ୍ରୀତ ବୁମ୍‌ରା ୪ ଓଭରରୁ ୫୦ ରନ୍‌ ଦେଇ ୱିକେଟ ନ ପାଇବା ଭାରତକୁ ନିରାଶ କରିଥିବ ନିଶ୍ଚୟ। ସୂର୍ଯ୍ୟକୁମାର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ଅକ୍ଷର ପଟେଲ ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ।

kalyan agarbati

Comments are closed.