ପ୍ରସିଦ୍ଧଙ୍କ ଘାତକ ବୋଲିଂ ; ଶୃଙ୍ଖଳା ଜିତିଲା ଭାରତ

ଅହମ୍ମଦାବାଦ : ୱେ​‌ଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ୧୧ଶ ଦିନିକିଆ ଶୃଙ୍ଖଳା ଜିତିପାରିଛି। ବୁଧବାର ୨ୟ ଦିନିକିଆ ମ୍ୟାଚ୍‌ରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ନେତୃତ୍ବରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍‌କୁ ୪୪ ରନ୍‌ରେ ଭାରତ ପରାସ୍ତ କରିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ କେ.ଏଲ୍‌. ରାହୁଲଙ୍କ ଉପଯୋଗୀ ଇନିଂସ ବଳରେ ଭାରତ ୯ ୱିକେଟରେ ୨୩୭ ରନ୍‌ କରିଥିଲା। ପରେ ୱେଷ୍ଟଇଣ୍ଡିଜ୍‌ ୪୬ ଓଭରରେ ୧୯୩ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଏହି ବିଜୟ ସହ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଭାରତ ଜିତିନେଇଛି। ୩ୟ ତଥା ଅନ୍ତିମ ଦିନିକିଆ ଶୁକ୍ରବାର ଖେଳାଯିବ।
୨୩୮ ରନ୍‌ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍‌ ଓପ୍‌ନିଂ ଯୋଡ଼ିରେ ୩୨ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୪୪ ରନ୍‌ରେ ୫ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ବ୍ରାଣ୍ଡନ୍‌ କିଙ୍ଗ୍‌ ୨୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। ସୈ ହୋପ୍ ୫୪ ବଲ୍‌ରୁ ୩ଟି ଛକା ସହ ୨୭ ରନ୍‌ କରିଥିଲେ। ପରେ ଡ୍ୟାରେନ୍ ବ୍ରାଭୋ ୧, ଅଧିନାୟକ ନିକୋଲାସ୍ ପୁରନ୍ ୯ ଓ ଜେସନ୍‌ ହୋଲ୍‌ଡର ୨ ରନ୍‌ କରିଥିଲେ। ୭୬ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ୬ଷ୍ଠ ୱିକେଟ ପାଇଁ ସାମାରା ବ୍ରୁକ୍‌ସ ଓ ଆକିଲ୍‌ ହୋସେନ୍ ୪୧ ରନ୍ ଯୋଡ଼ିଥିଲେ। ବ୍ରୁକ୍‌ସ ୬୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୪ ରନ୍‌ କରିଥିଲେ। ୭ମ ୱିକେଟ ପାଇଁ ହୋସେନ୍ ଓ ଫାବିଏନ୍‌ ଆଲେନ୍‌ ୪୨ ରନ୍‌ ଯୋଡ଼ିଥିଲେ ହେଁ ଅଳ୍ପ ବ୍ୟବଧାନରେ ଦୁହେଁ ଆଉଟ ହୋଇ ଯାଇଥିଲେ। ହୋସେନ୍ ୫୨ ବଲ୍‌ରୁ ୩ଟି ଚୌକା ସହ ୩୪ ରନ୍‌ କରିଥିଲେ। ଆଲେନ୍ ୧୩ ରନ୍‌ କରିଥିଲେ। ଓଡିଅନ୍ ସ୍ମିଥ୍‌ କିଛି ବଡ଼ ସଟ୍‌ ଖେଳି ଦଳକୁ ଜିତାଇବାର ପ୍ରୟାସ କରିଥିଲେ ହେଁ ସେ ବିଫଳ ହୋଇଥିଲେ। ସ୍ମିଥ୍ ୨୦ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ୯ ଓଭରରୁ ମାତ୍ର ୧୨ ରନ୍‌ଦେଇ ୪ଟି ୱିକେଟ ନେଇଥିଲେ। ସାର୍ଦୁଳ ଠାକୁର ୨ଟି ୱିକେଟ ନେଇଥିଲେ। ପ୍ରସିଦ୍ଧ କ୍ରିଷ୍ଣା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

BCCI twitter

ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ଫିଲ୍‌ଡିଂ ନେଇଥିଲା। ଅଧିନାୟକ ରୋହିତ ଶର୍ମା ୫ ରନ୍‌କରି ପ୍ରଥମେ ଆଉଟ୍‌ ହୋଇଥିଲେ। ଋଷଭ ପନ୍ତ୍‌ଙ୍କୁ ଓପନ୍‌ କରିବାକୁ ପଠାଇବା ଯୋଜନା ନିଷ୍ଫଳ ହୋଇଥିଲା। ନୂଆ ବଲ୍‌ର ମୁକାବିଲା କରିନପାରି ବାମହାତି ପନ୍ତ୍ ୩୪ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌କରି ବିଦାୟ ନେଇଥିଲେ। କୈରନ୍ ପୋଲାର୍ଡଙ୍କ ସ୍ଥାନରେ ଖେଳିଥିବା ଓଡିଅନ୍ ସ୍ମିଥ୍‌ ଗୋଟିଏ ଓଭରରେ ୨ଟି ୱିକେଟ ନେଇଥିଲେ। ପ୍ରଥମ ବଲ୍‌ରେ ପନ୍ତ୍‌ ଆଉଟ ହୋଇଥିବା ବେଳେ ଅନ୍ତିମ ବଲ୍‌ରେ ବିରାଟ କୋହଲି ଆଉଟ ହୋଇଥିଲେ। କୋହଲି ୩୦ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌ କରିଥିଲେ। ୪୩ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ କେ.ଏଲ୍‌. ରାହୁଲ ତାଙ୍କ ଇନିଂସ ଆରମ୍ଭରୁ ଏକ ସହଜ କ୍ୟାଚ୍‌ ଦେଇଥିଲେ ହେଁ ୱିକେଟ ରକ୍ଷକ ସୈ ହୋପ୍‌ ଏହାକୁ ଛାଡ଼ି ଦେଇଥିଲେ। ଏହାର ଫାଇଦା ଉଠାଇ ରାହୁଲ ଓ ସୂର୍ଯ୍ୟକୁମାର ଲଢ଼ୁଆ ଭାଗିଦାରୀ କରିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୯୧ ରନ୍‌ ଯୋଡ଼ିଥିଲେ। ରନ୍‌ଆଉଟ ହେବା ପୂର୍ବରୁ ରାହୁଲ ୪୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୯ ରନ୍‌ କରିଥିଲେ। ସୂର୍ଯ୍ୟକୁମାର ଓ ୱାଶିଂଟନ ସୁନ୍ଦର ୪୩ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ଲଢ଼ୁଆ ଇନିଂସ ଖେଳି ୮୩ ବଲ୍‌ରୁ ୫ଟି ଚୌକା ସହ ୬୪ ରନ୍‌ କରିଥିଲେ। ସୁନ୍ଦର ୪୧ ବଲ୍‌ରୁ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ଶେଷଆଡ଼କୁ ଦୀପକ ହୁଡା ୨୫ ବଲ୍‌ରୁ ୨ଟି ଚୌକା ସହ ଉପଯୋଗୀ ୨୯ ରନ୍‌ କରିଥିଲେ। ଆଲ୍‌ଜାରି ଜୋସେଫ ଓ ଓଡିଅନ୍ ସ୍ମିଥ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.