www.samajalive.in
Monday, December 8, 2025
14.1 C
Bhubaneswar

ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟମ୍ୟାଚ୍ ଆଜିଠାରୁ

କିଙ୍ଗ୍‌ଷ୍ଟନ୍ : ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଆଶା ଅନୁସାରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଭାରତୀୟ ଦଳ। ମ୍ୟାଚ୍‌ର ପ୍ରଥମ ୨ ଦିନ ଉଭୟ ଦଳଙ୍କ ମଧ୍ୟରେ କିଛିଟା ମୁକାବିଲା ହୋଇଥିଲେ ହେଁ ପରବର୍ତ୍ତୀ ୨ ଦିନ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିିଥିଲା। ପେସ୍ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୨ୟ ଇନିଂସରେ ମାତ୍ର ୧୦୦ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ଭାରତ ପରାସ୍ତ କରିଥିଲା। ଫଳରେ ବିଦେଶମାଟିରେ ରନ୍ ହିସାବରେ ସର୍ବାଧିକ ୩୧୮ ରନ୍‌ରେ ଜିତି ଭାରତ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ଅପରାଜେୟ ୧-୦ ଲିଡ୍ ନେଇପାରିଛି। ଏହାସହ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ୬୦ ପଏଣ୍ଟ ହାସଲକରି ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୨ୟ ଟେଷ୍ଟମ୍ୟାଚ୍ ଖେଳିବାକୁ ଯାଉଛି। ଟ୍ବେଣ୍ଟି୨୦ ଓ ଦିନିକିଆ ପରି ଏହି ଟେଷ୍ଟମ୍ୟାଚ୍‌କୁ ଜିତି ସିରିଜ୍ ପୋଛିନେବାକୁ ଭାରତ ନିଶ୍ଚୟ ଚାହିଁବ।
ଭାରତକୁ ଉତ୍ସାହିତ କରଛି ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ବ୍ୟାଟିଂ। ରାହାଣେ ୧୦ମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ହନୁମା ୯୩ ରନ୍‌ର ଇନିଂସ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍ଥାନରେ ଏକମାତ୍ର ସ୍ପିନର ଭାବେ ଖେଳିଥିବା ରବୀନ୍ଦ୍ର ଜାଡ଼େଜା ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରିଥିବା ବେଳେ ଭଲ ବୋଲିଂ ମଧ୍ୟ କରିିଥିଲେ। ତେବେ ସବୁଠାରୁ ଅଧିକ ପ୍ରଭାବିତ କରିଛନ୍ତି ୩ ପେସ୍ ବୋଲର ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି। ଉଭୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍‌ସମ୍ୟାନଙ୍କୁ କବ୍‌ଜାରେ ଏହି ୩ ବୋଲର ରଖି ପାରିଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଜଣେ ମଧ୍ୟ ବ୍ୟାଟ୍‌ସମ୍ୟାନ୍ ପ୍ରଥମ ଟେଷ୍ଟରେ ପ୍ରଭାବଶାଳୀ ବ୍ୟାଟିଂ କରି ପାରିନଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍‌ ଓ ଡ୍ବେନ୍ ବ୍ରାଭୋଙ୍କ ପରି ଅଭିଜ୍ଞ ହୁଅନ୍ତୁ କିମ୍ବା ସିମ୍ରନ୍ ହେତ୍‌ମେୟର, ଜନ୍ କ୍ୟାମ୍ପ୍‌ବେଲ ଓ ସାଇ ହୋପ୍‌ଙ୍କ ପରି ପ୍ରତିଭାବାନ ବ୍ୟାଟ୍‌ସମ୍ୟାନ୍ ହୁଅନ୍ତୁ; ଭାରତୀୟ ପେସ୍ ଆକ୍ରମଣ ସମ୍ମୁଖରେ ସେମାନେ ଛିଡ଼ା ହୋଇ ପାରିନଥିଲେ। ‌ତେବେ ସାବିନା ପାର୍କର ପିଚ୍ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ସହାୟକ ହେବ। ପୂର୍ବରୁ ଏହା ବିଶ୍ବର ଦ୍ରୁତତମ ପିଚ୍ ଥିବା ବେଳେ ଗତ କିଛିବର୍ଷ ହେଲା ଏହା ସ୍ପିନରଙ୍କୁ ଫାଇଦା ଦେଉଛି। ତେଣୁ ଭାରତ ଏଠାରେ ୨ୟ ସ୍ପିନର ଖେଳାଇବା କଥା ଚିନ୍ତା କରିପାରେ। ତେବେ ୩ ପେସ୍ ବୋଲର ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ବଦଳାଇବାକୁ ଭାରତ ଚାହିଁବ ନାହିଁ।
ମ୍ୟାଚ୍‌ରେ ଭାରତୀୟ ଦଳକୁ ଚାପରେ ପକାଇବାକୁ ହେଲେ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳକୁ କିଛି ଚକିତକର ପ୍ରଦର୍ଶନ କରିବାକୁ ପଡ଼ିବ। ପେସ୍ ବୋଲର କିମାର ରୋଚ୍‌ଙ୍କୁ ଛାଡ଼ି ପ୍ରଥମ ଟେଷ୍ଟରେ କୌଣସି ଘରୋଇ ବୋଲର ଭାରତୀୟ ବ୍ୟାଟିଂ ଉପରେ ପ୍ରଭାବ ପକାଇ ପାରିନଥିଲେ। ପେସ୍ ବୋଲର ମିଗୁଏଲ୍‌ କମିନ୍‌ସଙ୍କ ସ୍ଥାନରେ କିମୋ ପଲ୍‌ ସାମିଲ ହୋଇଥିଲେ ହେଁ ଅଫ୍‌ସ୍ପିନର ରାହ୍‌କିମ୍ କର୍ନୱାଲଙ୍କୁ ଖେଳାଇବା କଥା ୱେଷ୍ଟଇଣ୍ଡିଜ୍ ଚିନ୍ତା କରିପାରେ। ପୁଣି ବ୍ୟାଟ୍‌ସମ୍ୟାନ୍ ସାମାରା ବ୍ରୁକ୍‌ସଙ୍କ ସ୍ଥାନରେ ଜାହ୍‌ମାର ହାମିଲ୍‌ଟନ ଖେଳିପାରନ୍ତି। ଶେଷଥର ପାଇଁ ଭାରତ ବିପକ୍ଷରେ ଘରୋଇ ୱେଷ୍ଟଇଣ୍ଡିଜ୍ ୨୦୦୨ରେ ଟେଷ୍ଟମ୍ୟାଚ୍ ଜିତି ପାରିଥିଲା। ଏହାପରେ ୨୦୦୬, ୨୦୧୧ ଓ ୨୦୧୬ରେ କ୍ରମାଗତ ୩ଟି ସିରିଜ୍‌ରେ ଘରୋଇ ଦଳକୁ ଭାରତ ପରାସ୍ତ କରିଛି। ଏଥର ୧-୦ରେ ଆଗୁଆ ଥିବା ବେଳେ ଏହି ସିରିଜ୍ ମଧ୍ୟ ଜିତିବାକୁ ଯାଉଛି। ଭାରତ ଯଦି ୨ୟ ଟେଷ୍ଟମ୍ୟାଚ୍ ଜିତେ; ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ୨୭ଟି ଟେଷ୍ଟମ୍ୟାଚ୍ ବିଜୟର ରେକର୍ଡକୁ ଅତିକ୍ରମ କରି ବିରାଟ କୋହଲି ଦେଶର ସଫଳତମ ଟେଷ୍ଟ ଅଧିନାୟକ ହେବେ।
ଆଜି (ଶୁକ୍ରବାର)ର ମ୍ୟାଚ୍‌
ଭାରତ-ୱେଷ୍ଟଇଣ୍ଡିଜ୍ (୨ୟ ଟେଷ୍ଟମ୍ୟାଚ୍‌)
ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ
ଚ୍ୟାନେଲ: ସୋନି ଟେନ୍-୧ ଓ ଟେନ୍-୩

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories