ନିର୍ବାଚନ ପାଇଁ ଭାରତ ଆଲୋଚନାରୁ ପଛଘୁଞ୍ଚା ଦେଉଛି: ପାକିସ୍ତାନ
ନ୍ୟୁୟର୍କ : ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଭାରତର ଧୈର୍ଯ୍ୟ ପରୀକ୍ଷା କରିବାର କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଧାରୁ ନ୍ୟୁୟର୍କଠାରେ ଅନୁଷ୍ଠିତ ସାର୍କ ରାଷ୍ଟ୍ର ସମୁହର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରୁ ଅଧାରୁ ଉଠି ଚାଲିଆସିବା ଘଟଣାରେ ବ୍ୟଥିତ ପାକିସ୍ତାନ ପ୍ରତିପକ୍ଷ ଶାହା ମେହମ୍ମୁଦ କୁରେଶୀ ପୁନଃ ଦୁଃସାହସପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନ ସହିତ ଆଲୋଚନାରୁ ଦୂରେଇ ରହୁଛନ୍ତି ବୋଲି ସେ କହିଛନ୍ତି। ଶୁକ୍ରବାର ଏସିଆ ସୋସାଇଟି ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆଲୋଚନା ପାଇଁ ଭାରତର କାହିଁକି ଏତେ କୁଣ୍ଠିତ? କେବଳ ନିର୍ବାଚନ ଓ ରାଜନୀତିକୁ ନେଇ? ଆଗାମୀ ନିର୍ବାଚନରେ ଏହି ଆଲୋଚନା କାଳେ ବୁମେରାଂ ହେବ ବୋଲି ଆଶଙ୍କା କରି ଭାରତ ସରକାର ପୁନଃ ପାକିସ୍ତାନ ସହିତ ଆଲୋଚନା ପ୍ରକ୍ରିୟାକୁ ଫେରିବାକୁ ଚାହୁଁନାହାନ୍ତି। ଉଲ୍ଲେଖ ଯେ ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦ ବୈଠକ ପୃଷ୍ଠଭୂମିରେ ସୁଷମା ଏବଂ କୁରେଶୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଗତସପ୍ତାହରେ ପାକିସ୍ତାନର ଅନୁରୋଧ ପରେ ଭାରତ ସ୍ଥିର କରିଥିଲା। ମାତ୍ର ଜାମ୍ମୁ-କାଶ୍ମୀରରେ ୩ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍ପିଓ)ଙ୍କୁ ନିର୍ମମ ହତ୍ୟା ଘଟଣାରେ କ୍ଷୁବ୍ଧ ଭାରତ ପରେ ଏହି ବୈଠକ ରଦ୍ଦ କରିଥିଲା। ପାକିସ୍ତାନ ଯେପର୍ଯ୍ୟନ୍ତ ଆତଙ୍କବାଦ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ତା’ ସହିତ ଦ୍ୱିପାକ୍ଷିକ ଆଲୋଚନା ଅସମ୍ଭବ ବୋଲି ଭାରତ ସରକାର କହିଛନ୍ତି।