ସିରିଜ ଜିତିବା ଲକ୍ଷ୍ୟରେ ଭାରତ
କାର୍ଡିଫ୍ : ଶୁକ୍ରବାର ଏଠାରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ତିନିଟିକିଆ ଟ୍ୱେଣ୍ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ। ଭାରତ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚକୁ ଜିତି ସିରିଜ କବ୍ଜା କରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଇଂଲଣ୍ଡ ପାଇଁ ଜରୁରୀ ହୋଇପଡିଛି। ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟିଂ ଓ ବୋଲିଂ ଦଳୀୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବାମହାତି ସ୍ପିନର କୁଳଦୀପ ଯାଦବ ୫ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ଏପରିକି କୁଳଦୀପଙ୍କ ବୋଲିଂ ବୁଝିବାରେ ଇଂଲଣ୍ଡ ବ୍ୟାଟସମ୍ୟାନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ବୋଲି ଅଧିନାୟକ ଇଓନ ମୋର୍ଗାନ ମଧ୍ୟ ସ୍ୱୀକାର କରିଛନ୍ତି। ଏହି ମ୍ୟାଚରେ ୧୬୦ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୭ ରନରେ ଓପନର ଶିଖର ଧାୱନଙ୍କ ୱିକେଟ ହରାଇଥିଲା। ତେବେ ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅପରାଜିତ ଶତକ ହାସଲ କରିବା ସହ ଦଳକୁ ସହଜ ବିଜୟ ଉପହାର ଦେଇଥିଲେ। ଅନ୍ୟତମ ଓପନର ରୋହିତ ଶର୍ମା (୩୨) ଓ ଅଧିନାୟକ କୋହଲିଙ୍କ ଅପରାଜିତ ୨୦ ରନ ଅବଦାନ ମଧ୍ୟ ପ୍ରଶଂସନୀୟ।
ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ପାଇଁ କୁଳଦୀପ ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ପ୍ରଥମ ମ୍ୟାଚର ପରିଣାମକୁ ସମୀକ୍ଷା କରିବାପରେ ଇଂଲଣ୍ଡ ଅଧିନାୟକ ମୋର୍ଗାନ ଓ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଜୋସ୍ ବଟ୍ଲର ଦଳୀୟ ବ୍ୟାଟସମ୍ୟାନଙ୍କୁ କ୍ରିଜ୍ରେ ତିଷ୍ଠି ରହି କୁଳଦୀପଙ୍କ ବଲକୁ ଭଲଭାବେ ପରଖିବାକୁ ପରାମର୍ଶ ଦେଇଛନ୍ତି। ମାଞ୍ଚେଷ୍ଟରରେ ସ୍ପିନରଙ୍କ ସଫଳତାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଦଳ ଶୁକ୍ରବାର ମ୍ୟାଚରେ ଅତିରିକ୍ତ ସ୍ପିନରଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟିଂରେ ଜୋ ରୁଟ୍ ଓ ଜନି ବେୟାରଷ୍ଟୋ ଖାତା ଖୋଲିବା ପୂର୍ବରୁ ସହଳ ଆଉଟ ହେବା ଘଟଣାରେ ଦଳର ବିଜୟ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଶୁକ୍ରବାର ମ୍ୟାଚରେ ଏହି ଦୁଇ ବ୍ୟାଟସମ୍ୟାନଙ୍କୁ ଅଧିକ ସତର୍କତାର ସହ ବ୍ୟାଟିଂ କରିବାକୁ ପଡିବ। ଭାରତୀୟ ସ୍ପିନରଙ୍କ ଉଚିତ ମୁକାବିଲା କରିବା ପାଇଁ ଇଂଲଣ୍ଡ ଦଳ ନେଟ୍ସରେ କେବଳ ସ୍ପିନ ବୋଲରଙ୍କ ସମ୍ମୁଖୀନ ହେଉଛି। ସ୍ପିନ ବୋଲିଂକୁ ସାମନା କରିବାରେ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ଦୁର୍ବଳତାକୁ ଦୃଷ୍ଟିରେ ରଖି କୋହଲି ଚୂଡାନ୍ତ ଏକାଦଶରେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ସାମିଲ କରିପାରନ୍ତି ବୋଲି ଆଶା କରାଯାଉଛି। ମାଞ୍ଚେଷ୍ଟରରେ ଭାରତର ଫାଷ୍ଟ ବୋଲର ଯୋଡି ଭୁବନେଶ୍ୱର କୁମାର ଓ ଉମେଶ ଯାଦବ ଏତେଟା ଫଳପ୍ରଦ ହୋଇପାରିନଥିଲେ।
କାର୍ଡିଫ୍ରେ ଶୁକ୍ରବାର ପାଗ ମୁଖ୍ୟତଃ ଶୁଖିଲା ରହିବ। ପିଚ୍ରୁ ଉଭୟ ବ୍ୟାଟସମ୍ୟାନ ଓ ବୋଲର ଫାଇଦା ଉଠାଇ ପାରିବେ ବୋଲି କ୍ୟୁରେଟର କହିଛନ୍ତି। ଉଭୟ ଦଳ ନିଜର ଲକ୍ଷ୍ୟ ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ଏହି ମ୍ୟାଚ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀ ଆଶା କରୁଛନ୍ତି।