www.samajalive.in
Sunday, December 14, 2025
19.1 C
Bhubaneswar

‘କାନାଡ଼ା ସହ ବିବାଦ ଯୋଗୁଁ ପ୍ରଭାବିତ ହେବନି ଭାରତ-ଆମେରିକା ସମ୍ପର୍କ’

ଓଟାୱା : ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ଓ ପରବର୍ତ୍ତୀ କୂଟନୈତିକ ବିବାଦ ତୁଟାଇବାକୁ ଭାରତ ସହିତ ଘରୋଇ ଭାବେ ଆଲୋଚନା ପାଇଁ କାନାଡ଼ା ପ୍ରସ୍ତାବ ଦେବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହାର ଜବାବ ରଖାଯାଇଛି। ପ୍ରଥମତଃ କୂଟନୀତିଜ୍ଞ ନିଯୁକ୍ତି କ୍ଷେତ୍ରରେ ଭାରସାମ୍ୟ ରହିବା ଉଚିତ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ ଗୁରୁବାର କାନାଡ଼ାକୁ ସ୍ପଷ୍ଟ ଭାବେ ଶୁଣାଇଛନ୍ତି। ଭାରତରେ କାନାଡ଼ାର ଆବଶ୍ୟକତାଠାରୁ ଅଧିକ କୂଟନୀତିଜ୍ଞ ଅଛନ୍ତି। ଏହା ଭାରତ ତୁଳନାରେ ଯଥେଷ୍ଟ ଅଧିକ। ମୋଟ ୬୨ କୂଟନୀତିଜ୍ଞଙ୍କ ମଧ୍ୟରୁ ଆସନ୍ତା ୧୦ ତାରିଖ ସୁଦ୍ଧା ୪୧ଜଣଙ୍କୁ ପ୍ରତ୍ୟାହାର କରିନେବାକୁ ଭାରତ ସରକାର ତାଗିଦା କରିଛନ୍ତି। ଅପରପକ୍ଷରେ ଏ ସମ୍ପର୍କରେ ଆଲୋଚନା ଜାରି ରହିଥିବା ବାଗ୍‌ଚୀ କହିଛନ୍ତି। ନିଜାର ପ୍ରସଙ୍ଗରେ କାନାଡ଼ା ସରକାର ପ୍ରମାଣ ଦେବା ପରେ ଭାରତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ପୁନର୍ବାର ସ୍ପଷ୍ଟ କରିଛନ୍ତି।
ଅପରପକ୍ଷରେ ଏହି ମାମଲାରେ କାନାଡ଼ାକୁ ଆମେରିକା ସମର୍ଥନ କରୁଥିବାର ସୂଚନା ମିଳୁଥିବାରୁ ଭାରତ-ଆମେରିକା ସମ୍ପର୍କ ଖରାପ ହେବାର ଯେଉଁ ଆଶଙ୍କା ପ୍ରକାଶ ପାଉଛି ତାହାକୁ ଆମେରିକୀୟ ଦୂତାବାସ ଖଣ୍ଡନ କରିଛି। ନୂଆଦିଲ୍ଲୀସ୍ଥିତ ଆମେରିକା ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ସମ୍ପର୍କ କଥା ଉଠାଇଥିଲେ। କାନାଡ଼ା ସହ ଭାରତର ବିବାଦ କାରଣରୁ ଆମେରିକା-ଭାରତ ସମ୍ପର୍କ ପ୍ରଭାବିତ ହେବା ଆଶଙ୍କା ରହିଛି ଏବଂ ଏହି ସମ୍ପର୍କରେ ଯେମିତି ଆଞ୍ଚ ନଆସେ ସେଥିପାଇଁ ସେ କଠିନ ପରିଶ୍ରମ କରୁଥିବା ଗାର୍ସେଟି କହିଥିବା କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଗାର୍ସେଟି ନିଜ ଅଧିକାରୀମାନଙ୍କୁ ଭାରତୀୟ ପ୍ରତିପକ୍ଷଙ୍କ ସହ ସମ୍ପର୍କ ହ୍ରାସ କରିବାକୁ ପରାମର୍ଶ ଦେଇଥିବା ପ୍ରକାଶ ପାଇଥିଲା। ଏହାକୁ ଖଣ୍ଡନ କରି ସେ କହିଛନ୍ତି ଯେ ଏଭଳି ଖବର ଭ୍ରମାତ୍ମକ। ଭାରତ ଓ ଆମେରିକା ସମ୍ପର୍କ ପ୍ରଭାବିତ ହେବାର ପ୍ରଶ୍ନ ଉଠୁନାହିଁ।
ଦେଶରେ ଖଲିସ୍ତାନୀ ସମର୍ଥକ ଓ ଅନ୍ୟ ଆତଙ୍କବାଦୀ ସଂଗଠନ ପକ୍ଷରୁ ବିପଦ ଆଶଙ୍କା କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ କରାଇ ଦେଇଛି। ବିଶେଷକରି ଏନ୍‌ଆଇଏ ଅଧିକାରୀଙ୍କ ଉପରେ ଆକ୍ରମଣର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପୃକ୍ତ ଥିବା ପିଏଫ୍‌ଆଇ, ମୁଜାହିଦ୍ଦିନ ଗଜୱାତୁଲ ହିନ୍ଦ୍‌, ଆରପିଏଫ୍‌ ବା ପିଏଲଏ ଭଳି ଆତଙ୍କବାଦୀ ସଂଗଠନ ପକ୍ଷରୁ ଆଶଙ୍କା ରହିଥିବା ଏଥିରେ ଦର୍ଶାଯାଇଛି। କାଶ୍ମୀରରେ ଏନ୍‌ଆଇଏ ଅଧିକାରୀଙ୍କ ପ୍ରତି ଅଲ୍‌-ବାଦର୍‌ ସଂଗଠନ ପକ୍ଷରୁ ବିପଦ ଆଶଙ୍କା ରହିଛି। ଖଲିସ୍ତାନୀ ଆତଙ୍କବାଦୀଙ୍କ ଉତ୍ପାତ ବଢ଼ିବା ପରେ ବିଭିନ୍ନ ସ୍ଥାନରେ ଏନ୍‌ଆଏ ଚଢ଼ଉ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଏନ୍‌ଆଇଏ ଅଧିକାରୀଙ୍କୁ ଆତଙ୍କବାଦୀମାନେ ନିଶାଣ କରିଥିବା ପ୍ରକାଶ।
ଅନ୍ୟ ଏକ ଘଟଣାରେ କାନାଡ଼ାର ବ୍ରାମ୍ପଟନ୍‌ ପୁଲିସ ୮ ଶିଖ୍‌ ଯୁବକଙ୍କୁ ଦେଶର ଅସ୍ତ୍ରଶସ୍ତ୍ର ଆଇନ ବଳରେ ଗିରଫ କରିଛି। ସେମାନେ ବେଆଇନ ଭାବେ ଆଗ୍ନେୟାସ୍ତ୍ର ରଖିଥିଲେ ବୋଲି ପୁଲିସ କହିଛି। ଏଭଳି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାପଡ଼ିଛି। ଦେଶରେ ଖଲିସ୍ତାନୀ ଓ ଗ୍ୟାଙ୍ଗଷ୍ଟରଙ୍କ ଉତ୍ପାତ ବଢ଼ୁଥିବା ଯୋଗୁଁ ବିବାଦୀୟ ପରିସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ପ୍ରକାଶ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories