ଆସିଲା ଡିଏନ୍‌ଏ ରିପୋର୍ଟ, ଜନ୍ମ ନେଇଥିଲା ଶିଶୁକନ୍ୟା

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା

ଭୁବନେଶ୍ବର : ରାଜଧାନୀ ଚିକିତ୍ସାଳୟ (କ୍ୟାପିଟାଲ ହସ୍ପିଟାଲ)ରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଗୁରୁବାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୁଲିସ ହାତରେ ଡିଏନ୍‌ଏ ରିପୋର୍ଟ ଲାଗିଛି। ଅଭିଯୋଗକାରୀଙ୍କର ଶିଶୁକନ୍ୟା ଜନ୍ମ ନେଇଥିବା ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଶିଶୁକନ୍ୟା ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳଙ୍କର ବୋଲି ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଝିଅ କାହାର ସତ ଜାଣିବା ଲାଗି ପୁଲିସ ପକ୍ଷରୁ ଗତ ମଙ୍ଗଳବାର ପ୍ରାଣକୃଷ୍ଣଙ୍କ ପତ୍ନୀ ଓ ଶିଶୁ କନ୍ୟାର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ରାଜ୍ୟ ଫରେନସିକ ଲାବୋରେଟୋରିକୁ ନମୁନା ପଠା ଯାଇଥିଲା। ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳ ଚିକିତ୍ସା ଲାଗି ତାଙ୍କ ପତ୍ନୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅ‌େ‌ସ୍ତ୍ରାପଚାର ପରେ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ନବଜାତକକୁ ବଦଳି କରାଯାଇଥିବା କହି ସେ ଡାକ୍ତରଖାନା ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ସତ ନ ଜଣାପଡ଼ିବା ପର୍ଯ୍ୟନ୍ତ ମା’ ସହ ଶିଶୁକନ୍ୟାକୁ ଘରକୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ ଜିଦ ଧରିଥିଲେ। ପରେ ଘଟଣା ସମ୍ପର୍କରେ ଡା. ଶ୍ରୀ ସାହୁ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା।

Comments are closed.