www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରାଣନାଥଙ୍କ ଜୀବନ ଥିଲା ସଂଘର୍ଷମୟ : ବିଶ୍ବଭୂଷଣ

ରାଜ୍ୟସ୍ତରୀୟ ୫୩ତମ ଶ୍ରାଦ୍ଧବାର୍ଷିକୀ ସମାରୋହ,  ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରାଣନାଥ ସମ୍ମାନ

ଭୁବନେଶ୍ବର : ଆଜୀବନ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ ବୈପ୍ଳବିକ ଚେତନାର ଅଗ୍ରଦୂତ ଥିଲେ।  ସ୍ବାଧୀନତା ସଂଗ୍ରାମରେ ତାଙ୍କର ବଡ଼ ଅବଦାନ ଥିଲା। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ତାଙ୍କର ଜୀବନ ସଂଘର୍ଷମୟ ଥିଲା ବୋଲି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମତପୋଷଣ କରିଛନ୍ତି।
ସ୍ବାଧୀନତା ସଂଗ୍ରାମର ଅଗ୍ରଗାମୀ ଯୋଦ୍ଧା, ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା, କୃଷକ ଓ ଗଡ଼ଜାତ ଆନ୍ଦୋଳନର ନେତା, ଶିକ୍ଷାବିତ ଓ ସାହିତ୍ୟିକ ପ୍ରାଣନାଥ ପଟ୍ଟନାୟକଙ୍କ ୫୩ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ସବୁକ୍ଷେତ୍ରରେ ପ୍ରାଣନାଥ  ଲଢ଼େଇ ଜାରି ରଖିଥିଲେ। ଇଂରେଜଙ୍କ ଅତ୍ୟାଚାର ବିରୋଧରେ ସେ ସ୍ବର ଉତ୍ତୋଳନ କରିଥିଲେ। ସେ ୧୦ ଥର କାରାଗାର ଯାଇଥିଲେ। କାରାଗାର ଯିବା ପରେ ସେ ତାଙ୍କ ପରିବାର ବିଷୟରେ ଚିନ୍ତା କରିନଥିଲେ। ଜୀବନରେ ଯେକୌଣସି ମୂଲ୍ୟ ଦେବାକୁ ସେ ସର୍ବଦା ପ୍ରସ୍ତୁତ ଥିଲେ। ଦଳିତ, ନିଷ୍ପେସିତ, ଗରିବ ଓ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସେ କାମ କରୁଥିଲେ। ପ୍ରଜା ମଣ୍ଡଳ ଆନ୍ଦୋଳନରେ ସେ ନେତୃତ୍ବ ନେଇଥିଲେ। ମାଟି ମା’ ପାଇଁ ସେ ଲଢ଼େଇ କରୁଥିଲେ। ତାଙ୍କ କଥାରେ ଯାଦୁକରୀ ସ୍ପର୍ଶ ଥିଲା। କୃଷକଙ୍କ ପାଇଁ ସେ ଲଢ଼ୁଥିଲେ। ଦେଶର ମୁକ୍ତି ପାଇଁ ଯେତେ ସଂଘର୍ଷ ଓ ଲଢ଼େଇ ହୋଇଛି; ସେଥିରେ ତାଙ୍କର ଅସୀମ ଅବଦାନ ପାଇଁ ସେ ସର୍ବଦା ନମସ୍ୟ ରହିବେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ଛାପ ଛାଡ଼ି ଯାଇଛନ୍ତି।  ବହୁ କଷ୍ଟରେ ଚାନ୍ଦା ଆଦାୟ କରି ସେ ପ୍ରାଣନାଥ କଲେଜ ଗଢ଼ିଥିଲେ। ପ୍ରତି କ୍ଷେତ୍ରରେ ତାଙ୍କର ତ୍ୟାଗ ପ୍ରଦର୍ଶିତ ହୋଇଛି ବୋଲି ରାଜ୍ୟପାଳ କହିଥିଲେ।
ରାଜ୍ୟ ପ୍ରାଣନାଥ ସ୍ମୃତି ସମିତି ପକ୍ଷରୁ  ଜୟଦେବ ଭବନରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ  ସମାରୋହରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ଦୀପକ ମାଲବ୍ୟ ସଭାପତିିତ୍ବ କରି କହିଥିଲେ, ସମାଜ ଓ ରାଷ୍ଟ୍ର ନିର୍ମାଣ ପାଇଁ ସମର୍ପିତ ଥିଲେ ପ୍ରାଣନାଥ।  ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ପ୍ରତିଟି ବ୍ୟକ୍ତି ନମସ୍ୟ। ଯେକୌଣସି ପେସା ହେଉ ନା କାହିଁକି; ଇଚ୍ଛାଶକ୍ତିର ସହ କାମ କଲେ ପ୍ରାଣନାଥଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ସେ କହିଥିଲେ, ଏପରି ବିଶ୍ବବିଦ୍ୟାଳୟ ଶ୍ରୀ ସାମନ୍ତ ଗଢ଼ିଛନ୍ତି; ଯେଉଁଠି ଗୋଟିଏ ଛାତ ତଳେ ବିଶ୍ବର ଭିନ୍ନଭିନ୍ନ ନାଗରିକ ଭାଇଭଉଣୀ ଭଳି ରହୁଛନ୍ତି। ସେଠା‌େ‌ର ଚାକିରି ସହ ବିଶ୍ବ ବନ୍ଧୁତ୍ବ, ଭାଇଚାରା ଓ ରାଷ୍ଟ୍ର ନିର୍ମାଣର ଶିକ୍ଷା ଦିଆଯାଉଛି।
ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପ୍ରାଣନାଥଙ୍କ ବିଚାରଧାରା ଆଜି ବି ବଞ୍ଚିଛି। ତାଙ୍କ ପରିବାର ଭିତରେ ଏହା ପ୍ରତିଫଳିତ ହେଉଛି।  ତାଙ୍କ ମୂଲ୍ୟବୋଧ ଓ ବିଚାରଧାରା ଆଗାମୀ ପିଢ଼ିକୁ ଆଗକୁ ନେବ।  ସାଂସଦ ଶ୍ରୀ ସାମନ୍ତ କହିଥିଲେ, ବଞ୍ଚିଥିବା ସମୟରେ ଆମେ ମଣିଷର ମୂଲ୍ୟ ବୁଝିପାରୁନା। କିନ୍ତୁ ମୃତ୍ୟୁ ପରେ ଏ ବିଷୟରେ ଚିନ୍ତନ କରାଯାଏ।  କେବଳ ପ୍ରାଣନାଥ ନୁହନ୍ତି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମୂଲ୍ୟାୟନ ସଠିକ୍ ଭାବେ ହୋଇନି। ବର୍ତ୍ତମାନ ଏପରି ବ୍ୟକ୍ତିିତ୍ବଙ୍କ ମୂଲ୍ୟାୟନ କରିବା ବଡ଼ କଥା। ସ୍ମୃତି ସମିତିର ସଭାପତି ତଥା ଶିକ୍ଷାବିତ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ତଥା ବରିଷ୍ଠ ସିନେ ସମୀକ୍ଷକ ଦିଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ‘ପ୍ରାଣନାଥ’ ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନେ ହେଲେ-ସାହିତ୍ୟିକ ଅସିତ୍ ମହାନ୍ତି, ଗାନ୍ଧିବାଦୀ, ସ୍ତମ୍ଭକାର ପ୍ରହ୍ଲାଦ କୁମାର ସିଂହ, ଶିକ୍ଷାବିତ୍ ଅଶୋକ ପାଣ୍ଡେ, ଚଳଚ୍ଚିତ୍ର ନିର୍ଦେଶକ ପ୍ରଣବ ଦାସ ଓ ସମାଜସେବୀ ଡ. ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories