www.samajalive.in
Saturday, December 13, 2025
14.1 C
Bhubaneswar

ଯେତିକି ଭିନ୍ନତା ସେତିକି ଏକତାର ଆମ ଦେଶ

ଭାରତର ସମ୍ବିଧାନ ପ୍ରଣୟନ ହୋଇ ୨୬ ଜାନୁୟାରୀ, ୧୯୫୦ରେ ପ୍ରବର୍ତ୍ତନ ହେବା ସହିତ ପ୍ରାୟ ୨୦୦୦ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଏକ ବିଶାଳ ଉପମହାଦେଶରେ ଭୌଗୋଳିକ ଓ ରାଜନୈତିକ ଏକତା ଆଣି ଭାରତୀୟମାନଙ୍କ ଏକ ଦେଶ ଭାବେ ଆମ ଭାରତ ଦେଶର ଅଭ୍ୟୁଦୟ ହେଲା। ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଗୁପ୍ତ ମୌର‌୍ୟ୍ୟ ଓ ତାଙ୍କ ଠିକ୍‍ ପରବର୍ତ୍ତୀ ଉତ୍ତରାଧିକାରୀଙ୍କ ଶାସନକାଳ ପରଠାରୁ ହିନ୍ଦୁସ୍ଥାନ ଆଉ କେବେ ହେଲେ ଗୋଟିଏ ଶାସକ ବା ସରକାରଙ୍କ ଅଧୀନରେ ନଥିଲା। ତେଣୁ ଆମ ସ୍ୱାଧୀନତା ସଂଗ୍ରାମ କେବଳ ରାଜନୈତିକ ସ୍ୱାଧୀନତା ପାଇଁ ସୀମିତ ନଥିଲା, ବରଂ ବିଦେଶୀ ଶାସନରୁ ମୁକ୍ତି ସହିତ ଆମେ ଚାହିଁଥିଲେ ମଣିଷକୁ ମଣିଷଠାରୁ ମୁକ୍ତି, ଦାରିଦ୍ର‌୍ୟ, ଅଶିକ୍ଷା, ଭେଦଭାବ ଓ ଶୋଷଣରୁ ମଧ୍ୟ ମୁକ୍ତି।
ଆଇନତଃ କହିବାକୁ ଗଲେ ଆମେ ସ୍ୱାଧୀନତା ପାଇଥିଲେ ଇଂଲଣ୍ଡର ସଂସଦ ଦ୍ୱାରା ପାରିତ ‘‘ଭାରତୀୟ ସ୍ୱାଧୀନତା ଆଇନ, ୧୯୪୭’’ ନାମକ ଏକ ଆଇନ ଦ୍ୱାରା। ସେହି ଆଇନର ଧାରା ୮ରେ ବ୍ୟବସ୍ଥା ଥିଲା ଯେ ଆମେ ଇଂରେଜ ଯୁଗର ଅବସାନ ପରେ ଯେପରି ନିଜ ଦେଶର ଶାସନଭାର ନିଜେ ତୁଲାଇପାରିବା ସେଥିପାଇଁ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରି ଏକ ସମ୍ବିଧାନ ପ୍ରଣୟନ କରିବାକୁ। ଏହି ସମ୍ବିଧାନ ପ୍ରଣୟନ ସଭାର ଗଠନ ୧୯୪୬ର କ୍ୟାବିନେଟ୍‍ ମିଶନ ପ୍ଲାନ ଦ୍ୱାରା କଳ୍ପନା କରାଯାଇଥିଲା। ଏହି ସଭା ଆମ ଦେଶର ସମ୍ବିଧାନର ରୂପରେଖ କ’ଣ ହେବ ସେ ନେଇ ତା:୦୯.୧୨.୧୯୪୬ରୁ ତିନିବର୍ଷ ଧରି ସବିଶେଷ ଆଲୋଚନା ଓ ବିଚାର ବିମର୍ଶ କରି ପରିଶେଷରେ ୩୯୫ଟି ଅନୁଚ୍ଛେଦ ବିଶିଷ୍ଟ ଆମ ସମ୍ବିଧାନଟିକୁ ପ୍ରସ୍ତୁତ କରିଥିଲେ। ଡିସେମ୍ବର ୧୯୪୬ରେ ଭାରତର ସମ୍ବିଧାନ ସଭା, ଭାରତକୁ ଏକ ସ୍ୱାଧୀନ ସାର୍ବଭୌମ ସାଧାରଣତନ୍ତ୍ର ଦେଶ ଭାବେ ଗଢ଼ି ତୋଳିବାକୁ ତାଙ୍କ ଦୃଢ଼ ଓ ସତ୍ୟନିଷ୍ଠ ସଂକଳ୍ପ ଘୋଷଣା କରି ଏପରି ଏକ ସମ୍ବିଧାନର ଚିଠା ପ୍ରସ୍ତୁତ କଲେ ଯେଉଁଠି ସ୍ୱାଧୀନ ଭାରତ ଓ ତାହାର ସରକାରର ବିଭିନ୍ନ ସାମ୍ବିଧାନିକ ଅଙ୍ଗଗୁଡ଼ିକ ସେମାନଙ୍କ ସମସ୍ତ ଅଧିକାର ଓ କ୍ଷମତାଗୁଡ଼ିକ ଦେଶର ସାଧାରଣ ନାଗରିକମାନଙ୍କ ଠାରୁ ଆହରଣ କରି ଭାରତର ଜନଗଣଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିବେ।
ଆମ ସମ୍ବିଧାନ, ବିଶ୍ୱରେ ମଣିଷର ଚିନ୍ତାଚେତନାରେ ପ୍ରସ୍ତୁତ ଯେତେ ସମ୍ବିଧାନ ରହିଛି ସବୁଠାରୁ ବଡ଼ ଓ ବ୍ୟାପକ। ଏହା ପ୍ରଣୟନ ହେଲା ପରେ ପ୍ରଥମେ ପ୍ରଥମେ ଏହା ସମାଲୋଚିତ ହୋଇଥିଲା। ସ୍ୱନାମଧନ୍ୟ ସମ୍ବିଧାନ ବିଶେଷଜ୍ଞ ସାର୍‍ ଆଇଭର ଜେନିଂ ଆମ ସମ୍ବିଧାନକୁ ଅତି ବିଶାଳ, ଦୃଢ଼ ଓ କଠୋର ବୋଲି କହିଥିଲେ। ସମ୍ବିଧାନ ପ୍ରଣୟନ ସଭାର ଜଣେ ସଦସ୍ୟ ଶ୍ରୀହନୁମନ୍ତାପ୍ପା କହିଥିଲେ ଯେ ସେ ଆମ ସମ୍ବିଧାନର ଧ୍ୱନି ବୀଣା ଓ ସିତାରର ଧ୍ୱନି ହେବ ବୋଲି ଆଶା କରିଥିଲେ କିନ୍ତୁ ତାଙ୍କୁ ଶୁଣିବାକୁ ମିଳିଲା ବ୍ରିଟିଶ୍‍ ବ୍ୟାଣ୍ଡର କର୍କଶ ଶ୍ରୁତିକଟୁ ଧ୍ୱନି। ପ୍ରକୃତରେ ଉଭୟେ ବୋଧହୁଏ ଭୁଲ୍‍ ଥିଲେ। ଆମ ଦେଶର ବିଶାଳ ଭୌଗୋଳିକ କ୍ଷେତ୍ରରେ ବସବାସ କରୁଥିବା ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ଭିନ୍ନ ଭିନ୍ନ ରୁଚି, ଚାଲିଚଳନ, ପ୍ରଥା, ପରମ୍ପରା, ଖାଦ୍ୟ ପାନୀୟ, ଭାଷା, ଜୀବନ ଦର୍ଶନ ଓ ଜୀବନ ଶୈଳୀକୁ ସମ୍ମାନ ତଥା ସେ ସମସ୍ତଙ୍କ ସମାନ ଅଧିକାରକୁ ଧ୍ୟାନ ଦେଇ ସମ୍ବିଧାନ ଏପରି ଭାବେ ପ୍ରଣୟନ କରିବାର ଆବଶ୍ୟକତା ଥିଲା ଯଦ୍ଦ୍ବାରା କେହି ବି ଭାବିବେ ନାହିଁ ଯେ ସେମାନଙ୍କୁ ଅଣଦେଖା କରାଗଲା। ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶ ଚଳାଇବାର ଆକାଙ୍‌କ୍ଷା ହିଁ ସମ୍ବିଧାନର ବିଶାଳତାର କାରଣ। ବିଭିନ୍ନତା, ବିଚିତ୍ରତା, ଓ ବିପରୀତବୋଧ ଓ ଆଚରଣ ବିଶିଷ୍ଟ ଦେଶ ଆମର। ଏଠି ଗଙ୍ଗାଜଳ ଅମୃତ ସଦୃଶ କିନ୍ତୁ ଗଙ୍ଗାନଦୀ ସବୁଠାରୁ ପ୍ରଦୂଷିତ। ଦେଶର ସରକାରୀ ଭାଷା ଭାବେ ବାଛିବାକୁ ୩୦ ରୁ ଅଧିକ ସ୍ଥାନୀୟ ଭାଷା ଓ ଉପଭାଷା ଥିବା ସତ୍ତ୍ବେ ସରକାରୀ ଭାଷା ଭାବେ ଆମ ସମ୍ବିଧାନ ଇଂରାଜୀ ଭାଷାକୁ ଦୁଇଟି ସରକାରୀ ଭାଷା ମଧ୍ୟରୁ ଗୋଟିଏ ବୋଲି ସ୍ୱୀକୃତି ଦେଇଛି। ୧୯୫୦ର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ତାଲିକାଭୁକ୍ତ ସ୍ଥାନୀୟ ଭାଷାଗୁଡ଼ିକ ମଧ୍ୟରେ ସଂସ୍କୃତ ଭାଷା ରହିଛି ଯାହାକି ପ୍ରାର୍ଥନା ଓ ଉପାସନା ବ୍ୟତୀତ ଅନ୍ୟ ସମୟରେ କେହି କେବେ କହିବାର ଶୁଣାଯାଏ ନାହିଁ। ଦେଶ ଯଦିଓ ଧର୍ମନିରପେକ୍ଷ ସାଧାରଣତନ୍ତ୍ର ଭାବେ କଳ୍ପନା କରାଯାଇଥିଲା କିନ୍ତୁ ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟ, ଛଅଟି ମୁଖ୍ୟ ଧର୍ମ (ଧର୍ମାବଲମ୍ବୀଙ୍କ ସଂଖ୍ୟା ଦୃଷ୍ଟିରୁ) ଓ ପାଖାପାଖି ୨୦୦ ଧର୍ମ ବିଶ୍ୱାସକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛି। ସମାନତାର ଅଧିକାରକୁ ସାମ୍ବିଧାନିକ ଗ୍ୟାରେଣ୍ଟି ଦିଆଯାଇଛି ଓ କେବଳ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ କାରଣରୁ କାହା ସହିତ ଭେଦଭାବ କରିବାକୁ ସାମ୍ବିଧାନିକ ବାରଣ ରହିଥିବା ସତ୍ତ୍ବେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ଶ୍ରେଣୀର ଲୋକଙ୍କୁ ଅତୀତର ଶୋଷଣ ଯୋଗୁଁ କ୍ଷତିପୂରଣାତ୍ମକ ଭେଦଭାବର ବ୍ୟବସ୍ଥା ସମ୍ବିଧାନରେ ରଖାଯାଇଛି। ବୟସ୍କଙ୍କ ମତାଧିକାର ଭିତ୍ତିରେ ସଂସଦ ଓ ବିଧାନସଭାର ନିର୍ବାଚନ ହେବ ଓ ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ ଭିତ୍ତିକ ସ୍ୱତନ୍ତ୍ର ଭୋଟର ତାଲିକା ହେବ ନାହିଁ ବୋଲି ନୀତିଗତ ବ୍ୟବସ୍ଥା ରହିଥିବା ବେଳେ ଆରକ୍ଷଣ ବ୍ୟବସ୍ଥା ରଖାଯାଇଛି। ସମ୍ବିଧାନରେ ଏହି ପରସ୍ପର ବିରୋଧୀ ବ୍ୟବସ୍ଥା ରଖାଯିବାର କାରଣ ଖୋଜିବାକୁ ଗଲେ ଦେଖିବାକୁ ମିଳେ ଯେ ସ୍ୱାଧୀନତା ପୂର୍ବରୁ ଶହ ଶହ ବର୍ଷ ଧରି ଯେଉଁମାନେ ସାମାଜିକ, ଅର୍ଥନୈତିକ, ଆଧ୍ୟାତ୍ମିକ ଓ ବୌଦ୍ଧିକ ଭାବେ ଶୋଷିତ, ଅବହେଳିତ ଓ ନିର‌୍ୟାତନାର ଶିକାର ହୋଇଥିଲେ ସେମାନଙ୍କ ପାଇଁ ସ୍ୱାଧୀନତା ପରେ କ୍ଷତିପୂରଣ ଭାବେ ସ୍ୱତନ୍ତ୍ର ବ୍ୟବସ୍ଥା ରଖି ସେମାନଙ୍କୁ ଜାତୀୟ ଜୀବନର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଏପରି ପରସ୍ପର ବିରୋଧୀ କେତେକ ବ୍ୟବସ୍ଥା ରଖାଯିବାର ଆବଶ୍ୟକତା ଥିଲା। ତେବେ ଏସବୁ ଅସାମଞ୍ଜସ୍ୟତା, ଅସଙ୍ଗତି ଓ ବିରୋଧା ଭାବ ସତ୍ତ୍ବେ ଆମ ଦେଶର ବୈଶିଷ୍ଟ୍ୟ ହେଲା ମଇଁଷି ଶିଙ୍ଘ ଫଟା, ଯୁଝିଲା ବେଳକୁ ଗୋଟା। ଯେବେ ଯେବେ ଏ ଦେଶ କୌଣସି ଆହ୍ୱାନର ସମ୍ମୁଖୀନ ହୋଇଛି ଏ ଦେଶବାସୀ ଦୃଢ଼ ଭାବେ ସେମାନଙ୍କ ଏକତା ଓ ଅଭିନ୍ନତା ପ୍ରଦର୍ଶନ କରିଛନ୍ତି।
ଗୋଟିଏ ଦେଶର ଅବସ୍ଥା ସର୍ବଦା ସମ୍ବିଧାନରେ ଉଲ୍ଲିଖିତ ବିଭିନ୍ନ ବ୍ୟବସ୍ଥା ଓ ଉଦ୍ଦେଶ୍ୟର କାର‌୍ୟ୍ୟକାରିତା ଉପରେ ନିର୍ଭର କରିଥାଏ। ଏକ ଦେଶ ଭାବେ ଭାରତ ଭୂମିର ଅସ୍ତିତ୍ୱ ନିର୍ଭର କରେ ଆମେ ଭାରତର ଲୋକ କେତେ ଆନ୍ତରିକତାର ସହିତ ସମ୍ବିଧାନର ବ୍ୟବସ୍ଥାଗୁଡ଼ିକୁ କାର‌୍ୟ୍ୟକାରୀ କରୁଛେ। ଆମ ସମ୍ବିଧାନ କେବଳ ଧନୀ, ବୁଦ୍ଧିଜୀବୀ, ବିଦ୍ୱାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ସମ୍ବିଧାନ ସମସ୍ତ ଦେଶବାସୀଙ୍କ ହିତସାଧନ ଓ ସୁରକ୍ଷା ପାଇଁ ଶାସନ ନୀତିର ଏକ ଦସ୍ତାବିଜ। ଆମ ଦେଶରେ ସଂସଦୀୟ ଶାସନ ପଦ୍ଧତି ଯଦିଓ ଇଂରେଜଙ୍କ ଦ୍ୱାରା ଅନୁପ୍ରାଣିତ କିନ୍ତୁ ଏହା ଆମ ଉପରେ କେହି ଲଦି ଦେଇନାହାନ୍ତି। ଏହା ମୂଳତଃ ସ୍ୱଦେଶୀ। ଇତିହାସର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ ଯେ ୧୮୯୫ ମସିହାରୁ ହିଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକଙ୍କ ପ୍ରେରଣାରେ ମୁକ୍ତ ଭାରତ ପାଇଁ ଏକ ସମ୍ବିଧାନ ପ୍ରଣୟନ ପାଇଁ ଚିଠା ପ୍ରସ୍ତୁତ କରିବାକୁ ବେସରକାରୀ ଭାବେ ପ୍ରୟାସ କରାଯାଇଥିଲା ଯାହାର ନାମ ଥିଲା ‘‘ଭାରତର ସମ୍ବିଧାନ ବିଧେୟକ, ୧୮୯୫’’ ଓ ତାହାର ପ୍ରଥମ ଅଧ୍ୟାୟରେ ‘ଭାରତର ସଂସଦ’ ବିଷୟରେ ଉଲ୍ଲେଖ ରହିଥିଲା। ତିରିଶ ବର୍ଷ ପରେ ଅର୍ଥାତ୍‍ ୧୯୨୫ ମସିହାରେ ଖ୍ୟାତନାମା ଓକିଲ ଓ ରାଷ୍ଟ୍ରନୀତିଜ୍ଞ ସାର୍‍ ତେଜ୍‍ ବାହାଦୁର ସପ୍ରୁଙ୍କ ପ୍ରୋତ୍ସାହନ ଓ ପ୍ରେରଣାରେ ଅନ୍ୟ ଏକ ସ୍ୱଦେଶୀ ସମ୍ବିଧାନର ଚିଠା ପ୍ରସ୍ତୁତ ହୋଇ ଭାରତର ତତ୍କାଳୀନ ରାଜନେତାମାନେ ଉକ୍ତ ଚିଠା ସମ୍ବିଧାନଟିକୁ ଇଂଲଣ୍ଡ ପଠାଇଥିଲେ ଓ ‘‘ଭାରତ ରାଜ୍ୟଗୋଷ୍ଠୀ ବିଧେୟକ, ୧୯୨୫’’ ନାମକ ଉକ୍ତ ସ୍ୱଦେଶୀ ଚିଠା ସମ୍ବିଧାନଟି ସେତେବେଳେ ଇଂଲଣ୍ଡର ଶାସନ କ୍ଷମତାରେ ଥିବା ଶ୍ରମିକ ଦଳର ସମର୍ଥନ ଲାଭ କରିଥିଲା। ଏହି ଚିଠା ସମ୍ବିଧାନଟି ଇଂଲଣ୍ଡର ସଂସଦରେ ଉପସ୍ଥାପିତ ହୋଇଥିଲା। ଉକ୍ତ ସମ୍ବିଧାନରେ ବ୍ୟବସ୍ଥା ଥିଲା ଯେ ‘‘ରାଜାଙ୍କ ପ୍ରତିନିଧି ଭାବେ ଭାଇସ୍‍ରାୟ, ଏକ ସିନେଟ୍‍ ଓ ବିଧାନସଭାକୁ ନେଇ ଭାରତରେ ଏକ ସଂସଦ ରହିବ। ଏତଦ୍‍ବ୍ୟତୀତ ଭାରତୀୟମାନଙ୍କ ସ୍ୱାଧୀନତା, ସ୍ୱତନ୍ତ୍ରତା, ସୁରକ୍ଷା, ସମ୍ପତ୍ତି, ସମସ୍ତଙ୍କୁ ସମାନ ଅଧିକାର, ନାରୀ ପୁରୁଷଙ୍କ ମଧ୍ୟରେ ସମାନତା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାକୁ ଏକ ମୌଳିକ ଅଧିକାର ଭାବେ ଏହି ଚିଠା ସମ୍ବିଧାନରେ ବିହିତ ହୋଇଥିଲା। ତା’ ଛଡ଼ା ୨୧ ବର୍ଷରୁ ଅଧିକ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ଯାହାର କିଛି ନିଜ ସମ୍ପତ୍ତି ବା ରୋଜଗାର ଥିବ ସେମାନେ ଗୋଟିଏ ଭୋଟ୍‍ ଦେଇପାରିବେ ବୋଲି ବ୍ୟବସ୍ଥା ମଧ୍ୟ ଏହି ଚିଠା ବିଧେୟକଟିରେ ଥିଲା। ହାଉସ୍‍ ଅଫ୍‍ କମନ୍ସରେ ଏହି ଚିଠା ବିଧେୟକଟି ପ୍ରଥମ ପଠନ ସରିବା ପରେ ତାହା ଆଇନ ଭାବେ ପ୍ରୟଣନ ହେବାର ପ୍ରତ୍ୟାଶାରେ ମୁଦ୍ରଣ କରିବାକୁ ନି​‌େ​‌ର୍ଦଶ ମଧ୍ୟ ଦିଆଯାଇ ସାରିଥିଲା। କିନ୍ତୁ ଠିକ୍‍ ତା’ ପରେ ପରେ ଶ୍ରମିକ ଦଳ, ହାଉସ୍‍ ଅଫ୍‍ କମନ୍ସରେ ସେମାନଙ୍କ ସଂଖ୍ୟା ଗରିଷ୍ଠତା ହରାଇଲେ ଓ ଭାରତୀୟ ଲୋକଙ୍କ ଆଶା ୨୦ ବର୍ଷ ପାଇଁ ଘୁଞ୍ଚି ଯାଇଥିଲା।
ପରିଶେଷରେ ଏହା କୁହାଯାଇପାରେ ଯେ, ଆମ ସମ୍ବିଧାନ ଆମକୁ ଏହି ବାର୍ତ୍ତା ଦିଏ ଯେ, ଯେଉଁମାନେ ଶାସନ କ୍ଷମତାରେ ଅଛନ୍ତି ସେମାନେ ସର୍ବେସର୍ବା ନୁହନ୍ତି। ଏ ଦେଶର ସର୍ବଶ୍ରେଷ୍ଠ ହେଲା ଆମ ସମ୍ବିଧାନ ଓ ଆମ ଚିର ଶାଶ୍ୱତ ସ୍ୱାଧୀନତା ପ୍ରକୃତ ସର୍ବେସର୍ବା ହେଲେ ଏ ଦେଶର ସାଧାରଣ ଜନତା। ଦେଶ ଗଠନ ପାଇଁ ଆମ ସମ୍ବିଧାନର ମୁଖବନ୍ଧରେ ଉଲ୍ଲିଖିତ ଦେଶର ‘‘ଏକତା ଓ ଅଖଣ୍ଡତା’’ ଅଭିବ୍ୟକ୍ତି ଓ ଭାରତର ଗଢ଼ଣ ନେଇ ପ୍ରଥମ ଅନୁଚ୍ଛେଦରେ ଲିଖିତ ବ୍ୟବସ୍ଥା ‘‘ଭାରତ, ରାଜ୍ୟଗୁଡ଼ିକର ଏକ ସଂଘ ହେବ’’ ଏହା ସୂଚାଏ ଯେ ଆମ ସମ୍ବିଧାନ ଅତିମାତ୍ରାରେ କେନ୍ଦ୍ରର ପ୍ରାଧାନ୍ୟ ଥିବା ଶାସନ ବ୍ୟବସ୍ଥାର ଏକ ଦସ୍ତାବିଜ। ସମଗ୍ର ଦେଶକୁ ଉଭୟ ଅନୁକୂଳ ଓ ପ୍ରତିକୂଳ ସମୟ ଓ ପରିସ୍ଥିତିରେ ଯେପରି ଅକ୍ଷୁଣ୍ଣ ଓ ଅଖଣ୍ଡ ରଖାଯାଇପାରିବ ସେହି ଲକ୍ଷ୍ୟ ନେଇ ଆମ ସମ୍ବିଧାନ ପ୍ରଣୟନ ହୋଇଛି। ଆମେ ଭାରତର ଲୋକେ ସମ୍ବିଧାନଟିକୁ ଗ୍ରହଣ କରିଛେ, ଆଇନରେ ପ୍ରଣୀତ କରିଛେ ଓ ନିଜ ପ୍ରତି ଲାଗୁ କରିଛେ। କେବଳ ଆମେ ଭାରତର ଲୋକେ ହିଁ ଏହାକୁ ରକ୍ଷା କରିବା, ସମ୍ମାନ ଦେବା ଓ ମାନି ଚଳିବା। ଯଦି କେବେ ଆମ ସମ୍ବିଧାନ ଦେଶବାସୀଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ତଥା ଅଭିବ୍ୟକ୍ତି, ବିଶ୍ୱାସ, ପୂଜା ଉପାସନାରେ ସ୍ୱତନ୍ତ୍ରତା, ମାନମର‌୍ୟ୍ୟାଦା ଓ ସୁବିଧା ସୁଯୋଗରେ ସମାନତା ଓ ଆମ ଭିତରେ ପରସ୍ପର ପ୍ରତି ଭ୍ରାତୃଭାବ ତଥା ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାରେ ବିଫଳ ହୁଏ ତେବେ ତାହା ଆମ ସମ୍ବିଧାନର ବିଫଳତା ବୋଲି କଦାପି କୁହାଯାଇପାରିବ ନାହିଁ ବରଂ ଆମ ନିର୍ବାଚିତ ପ୍ରତିନିଧିମାନେ ହିଁ ସମ୍ବିଧାନଟିକୁ ବିଫଳ କରିଦେଲେ ବୋଲି କୁହାଗଲେ ତାହା ସମ୍ଭବତଃ ଭୁଲ୍‍ ହେବ ନାହିଁ।

ଗୋଧନେଶ୍ବର ହୋତା

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories